ନାବାଳିକାଙ୍କୁ ପ୍ରେମ କରିବା ପଡ଼ିଲା ମହଙ୍ଗା,ମିଳିଲା ୧୦ ବର୍ଷର ଜେଲ ଦଣ୍ଡ,ଜାଣନ୍ତୁ ପୁରା ଘଟଣା

ପ୍ରେମ କରିବା ଆଦୌ ଭୁଲ ନୁହେଁ। କିନ୍ତୁ ଜଣେ ନାବାଳିକାଙ୍କୁ ପ୍ରେମ କରିବା ଭୁଲ ଅଟେ। ଏପରି ଭୁଲ କରିଥିବା ଜଣେ ବ୍ୟକ୍ତିଙ୍କୁ ୧୦ ବର୍ଷର ଜେଲଦଣ୍ଡ ମିଳିଛି। ପୋକସ ଆଇନ ଅନୁଯାୟୀ ସ୍ୱତନ୍ତ୍ର କୋର୍ଟ ଏପରି ଦଣ୍ଡାଦେଶ ଦେଇଛନ୍ତି। ଜେନ ନାବାଳିକାଙ୍କୁ ବ୍ୟକ୍ତି ବିବାହ କରିଥିଲେ। ଏହାପରେ ସେ ତାଙ୍କ ସହିତ ଶାରିରୀକ ସମ୍ପର୍କ ମଧ୍ୟ ରଖିଥିଲେ। କିନ୍ତୁ ନାବାଳିକାଙ୍କ ସହିତ ବ୍ୟକ୍ତି ଜଣଙ୍କ ଏପରି କରିବା ଦୁଷ୍କର୍ମ କରିଥିବେ ବୋଲି ଅଭିଯୋଗ ହୋଇଥିଲା। ତେଣୁ କୋର୍ଟ ଏହି ଅଭିଯୋଗକୁ ବିଚାର କରି ବ୍ୟକ୍ତିଙ୍କୁ ୧୦ ବର୍ଷର ଜେଲଦଣ୍ଡ ଦେଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ୨୦୧୪ ମସିହା ଏପ୍ରିଲ ୧୯ ତାରିଖରେ ମୁମ୍ବାଇରେ ଥିବା କୁରାର ପୋଲିସ ଷ୍ଟେସନରେ ପ୍ରଥମ ଘଟଣା ସମ୍ପର୍କରେ ଅଭିଯୋଗ ହୋଇଥିଲା। ନାବାଳିକାଙ୍କର ବାପା ଝିଅର ନିଖୋଜକୁ ନେଇ ଅଭିଯୋଗ ମଧ୍ୟ ଦାଖଲ କରିଥିଲେ। ଏହି ସମୟରେ ଝିଅଟିର ମାତ୍ର ବୟସ ୧୩ ବର୍ଷ ଥିଲା।

ସେହିପରି ବର୍ଷ ଏପ୍ରିଲ ୧୪ ତାରିଖରେ ଝିଅଟି ତାଙ୍କ ମା’ଙ୍କୁ କହି ଗୋଟିଏ କାମରେ ଘରୁ ବାହାରି ଯାଇଥଲେ। ତେବେ ଝିଅ ଆଉ ଘରକୁ ନ ଫେରିବାରୁ ପରିବାର ଲୋକମାନଙ୍କ ମନକୁ ପାପ ଛୁଇଁଥିଲା। ଝିଅକୁ କେହି ଅପହରଣ କରି ନେଇଥିବା ମଧ୍ୟ ସେମାନେ ଆଶଙ୍କା କରିଥିଲେ। ଶେଷରେ ଝିଅଟିର ବାପା ପୋଲିସ ନିକଟରେ ଅଭିଯୋଗ ମଧ୍ୟ କରିଥିଲେ।

ସବ ଇନସପେକ୍ଟର ଜବଦୀଶ ଗଭୀତ ଘଟଣାର ତଦନ୍ତ କରି ଝିଅର ମା’, ଦୁଇ ସାଙ୍ଗ ଓ ଜଣେ ମହିଳାଙ୍କର ବୟାନକୁ ରେକର୍ଡ ମଧ୍ୟ କରିଥିଲେ। ସେମାନେ ସମସ୍ତେ ଜଣେ ବ୍ୟକ୍ତି ଝିଅଟିକୁ ଅପହରଣ କରିଥିବାର ସନ୍ଦେହ କରିଥିଲେ। ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ପୁଣେ ନିକଟରୁ ଠାବ କରିଥିଲା। ଝିଅଟିକୁ ଉଦ୍ଧାର କରି ତାକୁ ମେଡିକାଲ ଟେଷ୍ଟ ପାଇଁ ମଧ୍ୟ ପଠାଇଥିଲା।

ତଦନ୍ତ ସମୟରେ ବ୍ୟକ୍ତି ଜଣଙ୍କ ପୋଲିସକୁ ପ୍ରେମ ବ୍ୟାପର ସମ୍ପର୍କରେ ସୂଚନା ଦେଇଥିଲେ। ବ୍ୟକ୍ତି ଜଣଙ୍କ କହିଥିଲେକି “ମୁଁ ଓ ଝିଅଟି ପରସ୍ପରକୁ ଭଲ ପାଉଥିଲୁ। ଝିଅଟିର ପରିବାର ଲୋକ ହଇରାଣ କରୁଥିବା କାରଣରୁ ସେ ବାହା ହେବା ପାଇଁ ମୋତେ ବାଧ୍ୟ କରିଥିଲେ। ଶେଷରେ ଆମେ ଘର ଛାଡ଼ି ବିବାହ କରିଥିଲୁ। ବିବାହ ପଞ୍ଜୀକରଣ ସମୟରେ ଝିଅଟି ତା’ର ବୟସ ୧୮ ବର୍ଷ ବୋଲି ମଧ୍ୟ କହିଥିଲା।”

ଏ ବିଷୟରେ ଆବଶ୍ୟକ ଭିଡିଓ ରେକର୍ଡିଂ ଓ ଦସ୍ତାବିଜ ମଧ୍ୟ ବ୍ୟକ୍ତି ଜଣଙ୍କ କୋର୍ଟ ଆଗରେ ଉପସ୍ଥାପନ କରିଥିଲେ। ଅଭିଯୁକ୍ତଙ୍କ ମତରେ ସେ ଆଇନ ଗତ ଉପାୟରେ ଝିଅଟିକୁ ବିବାହ କରିଛନ୍ତି। ସେ ତାଙ୍କୁ ଅପହରଣ କରିନାହାନ୍ତି କିମ୍ବା ଦୁଷ୍କର୍ମ ମଧ୍ୟ କରିନାହାନ୍ତି। ପରିବାର ଲୋକମାନଙ୍କ କବଳରୁ ତାଙ୍କର ଜୀବନକୁ ରକ୍ଷା କରିବା ପାଇଁ ସେ ଝିଅଟିକୁ ବିବାହ କରିଥିବା କଥା କୋର୍ଟଙ୍କୁ ଅବଗତ କରାଇଥିଲେ।

କୋର୍ଟରେ ଶୁଣାଣି ସମୟରେ ଝିଅଟି ମଧ୍ୟ ବିବାହ କଥାକୁ ସ୍ୱୀକାର କରିଥିଲେ। ତଥାପି ବ୍ୟକ୍ତି ଜଣଙ୍କ ସେବେଠାରୁ ଜେଲରେ ରହିଥିଲେ ଓ ବର୍ତ୍ତମାନ ତାଙ୍କୁ ୧୦ ବର୍ଷର ଜେଲ ଦଣ୍ଡ ମିଳିଛି।

ନିଖୋଜ ବେଳେ ଝିଅଟି ନାବାଳିକା ଥିଲେ ଓ ୮ମ ଶ୍ରେଣୀରେ ପଢ଼ୁଥିଲେ। ଝିଅଟି ତାଙ୍କର ବୟାନରେ କହିଛନ୍ତିଯେ ସ୍କୁଲ ଟ୍ରିପ ବେଳେ ସେ ଅଭିଯୁକ୍ତଙ୍କୁ ଭେଟିଥିଲେ। ଏହାପରେ ଦୁହିଁଙ୍କ ମଧ୍ୟରେ ଧୀରେ ଧୀରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଝିଅଟି ପ୍ରଥମେ ବ୍ୟକ୍ତି ଯୋଗେଶ୍ୱରୀ ଘରେ ରହିଥିଲେ। ଏହାପରେ ଭସାଇ ଯାଇଥିଲେ। ବାହାଘର ପରେ ଏଠାରେ ସେମାନେ ରହିବେ ବୋଲି ନିଷ୍ପତ୍ତି ନେଇଥିଲେ। ଏହି ସମୟରେ ଅଭିଯୁକ୍ତ ଜଣଙ୍କ ଝିଅଟି ସହ ଶାରିରୀକ ସମ୍ପର୍କ ମଧ୍ୟ ରଖିଥିଲେ।

ବିଚାରପତି ଡିଡି କୋଚେ କହିଛନ୍ତିକି, ଝିଅଟି ତାଙ୍କ ଘରୁ ନିଖୋଜ ହୋଇଯାଇଥିଲେ ସତ, ହେଲେ ତାଙ୍କୁ କେହି ଅପହରଣ କରିନଥିଲେ। ସେ ନିଜ ଇଚ୍ଛାରେ ଘରୁ ଚାଲିଯାଇଥିବା ସ୍ୱୀକାର କରିଛନ୍ତି। ପରିସ୍ଥିତିରେ ପଡ଼ି ଅଭିଯୁକ୍ତ ଜଣଙ୍କ ନିଜ ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ ଓ ଝିଅଟି ନାବାଳିକା ସେ ବୋଲି ଭୁଲି ଯାଇଥିଲେ। ତେଣୁ ସେ ତାଙ୍କ ସହିତ ଶାରିରୀକ ସମ୍ପର୍କ ରଖିଥିଲେ। ବାହାଘର ପରେ ହିଁ ଶାରିରୀକ ସମ୍ପର୍କ ସ୍ଥାପନ ହୋଇଥିଲା।

ଅଭିଯୁକ୍ତଙ୍କର ବୟସ ୩୦ କିମ୍ବା ୩୨ ବର୍ଷରୁ ଅଧିକ ହେବନାହିଁ। ସେ ତାଙ୍କର ଯୁବାବସ୍ଥାର ଅଧିକାଂଶ ସମୟ ଜେଲରେ କାଟି ସାରିଲେଣି। ତେଣୁ କୋର୍ଟ ତାଙ୍କୁ ଆଉ କଠୋର ଦଣ୍ଡ ଦେବା ସପକ୍ଷରେ ନାହାନ୍ତି। ତେବେ ପୋକସ ଆଇନର ସେକସନ ୬ ଅନୁସାରେ କୋର୍ଟ ତାଙ୍କୁ କେବଳ ୧୦ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରୁଛନ୍ତି।

odia sambada
Comments (0)
Add Comment