ପୌର ନିର୍ବାଚନ : କିଏ ମାରିବ ବାଜି ? ଜାଣନ୍ତୁ କେଉଁ ପ୍ରାର୍ଥୀଙ୍କର କଣ ରହିଛି ଶିକ୍ଷାଗତ ଯୋଗ୍ୟତା,ବୃତ୍ତି ଓ ସମ୍ପତ୍ତି ?

ଆସନ୍ତା ୨୪ ତାରିଖରେ ପୌର ନିର୍ବାଚନ ହେବାକୁ ଯାଉଛି। ୨୬ ତାରିଖରେ ଜଣାପଡ଼ିବ କିଏ ଏହି ନିର୍ବାଚନରେ ବାଜି ମାରିବ, ଆଉ କାହା ମୁଣ୍ଡରେ ସୁନା କଳସ ଢ଼ାଳିବେ ଭୋଟର? ବର୍ତ୍ତମାନ ଏହାରି ଭିତରେ ଭୁବନେଶ୍ୱରର ମେୟର ନିର୍ବାଚନକୁ ନେଇ ସବୁଠାରୁ ଅଧିକ ଚର୍ଚ୍ଚା ହେଉଛି। ରାଜଧାନୀରେ ଭୁବନେଶ୍ୱରରେ କିଏ ମେୟର ମୁକୁଟ ପିନ୍ଧିବେ? ମଇଦାନରେ ଅଛନ୍ତି ୩ ପ୍ରମୁଖ ଦଳ ବିଜେପି-କଂଗ୍ରେସ-ବିଜେଡି ଦଳର ପ୍ରାର୍ଥୀ। ବିଜେଡିରୁ ସୁଲୋଚନା ଦାସ ମେୟର ପ୍ରାର୍ଥୀ ହୋଇଥିବା ସମୟରେ କଂଗ୍ରେସରୁ ମଧୁସ୍ମିତା ଆଚାର୍ଯ୍ୟ ପ୍ରାର୍ଥୀ ହୋଇଛନ୍ତି। ସେହିଭଳି ବିଜେପିରୁ ସୁନୀତି ମୁଣ୍ଡ ପ୍ରାର୍ଥୀ ହୋଇଛନ୍ତି।

ତେବେ ଆପଣମାନେ ଜାଣନ୍ତିକି ଏହି ପ୍ରାର୍ଥୀମାନଙ୍କ ରାଜନୈତିକ କ୍ୟାରିଅର କ’ଣ ରହିଛି? କ’ଣ ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା ଅଟେ? ସେମାନଙ୍କ ରାଜନୈତିକ ପୁଷ୍ଠଭୂମି କ’ଣ ଅଟେ? କାହିଁକି, କେବେ ଓ କେମିତି ସେମାନେ ଏହି ରାଜନୀତିକୁ ଆସିଲେ? ତେବେ ଆସନ୍ତୁ ଜାଣିବା ଭୁବନେଶ୍ୱରର ଏହି ତିନି ପ୍ରମୁଖ ଦଳର ମେୟର ପ୍ରାର୍ଥୀମାନଙ୍କ ବିଷୟରେ।

ସୁଲୋଚନା ଦାସ:-

ବିଜେଡିରୁ ମେୟର ପ୍ରାର୍ଥୀ ଭାବରେ ଛିଡା ହୋଇଛନ୍ତି।

ଶିକ୍ଷାଗତ ଯୋଗ୍ୟତା:-

ଯାଜପୁର ଜିଲ୍ଲାର ବିଞ୍ଝାରପୁର ଗାଁ ସ୍କୁଲରୁ ତାଙ୍କର ପାଠପଢ଼ା ଆରମ୍ଭ ହୋଇଥିଲା। ପରେ ସେ ଭଦ୍ରକ କଲେଜରୁ ସ୍ନାତକ ଡିଗ୍ରୀ ପାସ କରିଥିଲେ। ଆଉ ତାପରେ ସେ କଟକ ରେଭେନ୍ସା କଲେଜ ଆସିଥିଲେ। ସେଠାରେ ସେ ଇକୋନୋମିକ୍ସରେ ସ୍ନାତକୋତ୍ତର ଶେଷ କରିଥିଲେ। ଏହା ସହିତ ସେ ସାମ୍ବାଦିକତାରେ ମଧ୍ୟ ସେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି। କେବଳ ସେତିକି ନୁହେଁ ସେ ଏଲଏଲବି ମଧ୍ୟ କରିଛନ୍ତି।

ବୃତ୍ତି:-

ପାଠ ପଢ଼ା ସରିବା ପରେ ସେ ପ୍ରଥମେ ଗୋଟିଏ କଲେଜରେ ଅଧ୍ୟାପିକା ଥିଲେ। କିଛି ଦିନ ଏହି ଶିକ୍ଷା ବୃତ୍ତିରେ ସେ ରହିଥିଲେ। ବିବାହ ପରେ ସେ ସାମ୍ବାଦିକତା କ୍ଷେତ୍ରରେ ପ୍ରବେଶ କରିଥିଲେ। ପରେ ସେ କଂଗ୍ରେସରେ ଯୋଗଦେଇ ଦଳର ମୁଖପାତ୍ର ହୋଇଥିଲେ। ନିଜର ରାଜନୈତିକ କ୍ୟାରିୟରର ଆରମ୍ଭ କରିଥିଲେ। ୨୦୧୭ ମସିହାରେ କଂଗ୍ରେସ ଛାଡ଼ି ସୁଲୋଚନା ବିଜୁ ଜନତା ଦଳରେ ସାମିଲ ହୋଇଥିଲେ। ତାଙ୍କୁ ବିଜେଡିର ମୁଖପାତ୍ର କରାଯାଇଥିଲା। ବର୍ତ୍ତମାନ ସେ ଭିନ୍ନକ୍ଷମ କମିଶନର ଦାୟିତ୍ୱରେ ମଧ୍ୟ ରହିଛନ୍ତି।

ସମ୍ପତ୍ତି:-

ନିର୍ବାଚନ କମିଶନରଙ୍କୁ ସୁଲୋଚନା ଦେଇଥିବା ତଥ୍ୟ ଅନୁଯାୟୀ, ତାଙ୍କ ନାଁରେ ଥିବା ସମ୍ପତ୍ତିର ମୂଲ୍ୟ ୨୬ ଲକ୍ଷ ୩୨ ହଜାର ୮୧୬ ଟଙ୍କା । ସେହିଭଳି ତାଙ୍କର ସ୍ୱାମୀ ପ୍ରଫୁଲ୍ଲ ଦାସଙ୍କର ସଂପତ୍ତିର ମଲ୍ୟ ୭୧ ଲକ୍ଷ ୨୭ ହଜାର ୫୨୨ ଟଙ୍କା। ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ନନ୍ଦା ଦେବୀ ଭିଆଇପି ଏନ୍‌କ୍ଲେଭ୍‌ରେ ତାଙ୍କର ସ୍ୱାମୀଙ୍କ ନାଁରେ ଗୋଟିଏ ଫ୍ଲାଟ୍‌ ରହିଛି। ଯାହାର ମୂଲ୍ୟ ୮୫ ଲକ୍ଷ ଟଙ୍କା ହେବ। ସୁଲୋଚନାଙ୍କ ନାଁରେ କୌଣସି ଜମିଜମା ନାହିଁ। ତାଙ୍କର ଗୋଟିଏ ହୋଣ୍ଡା ଆକ୍ଟିଭା ସ୍କୁଟି ଅଛି ଏବଂ ପ୍ରଫୁଲ୍ଲଙ୍କର ଗୋଟିଏ ଚାରି ଚକିଆ ରେନଲ୍ଟ ଡଷ୍ଟର ଅଛି।

ସୁନୀତି ମୁଣ୍ଡ:-

ବିଜେପି ତରଫରୁ ଭୁବନେଶ୍ୱର ମହାନଗର ନିଗମର ମେୟର ପ୍ରାର୍ଥୀ ହୋଇଛନ୍ତି ସୁନୀତି ମୁଣ୍ଡ । ସେ ଏକାଧାରରେ ଜଣେ ଲେଖିକା, ସ୍ତମ୍ଭକାର, ସମ୍ପାଦକ, ପ୍ରକାଶକ, ପ୍ରଯୋଜକ ଏବଂ ନିର୍ଦ୍ଦେଶକ ଅଟନ୍ତି। ସୁନୀତି ନୂଆପଡ଼ାର ମୂଳ ବାସିନ୍ଦା।

ଶିକ୍ଷାଗତ ଯୋଗ୍ୟତା:-

ସୁନୀତି ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧିନ ଭବାନୀପାଟଣା କଲେଜରୁ ଓଡ଼ିଆରେ ଏମଏ ପାସ କରିଛନ୍ତି। ଏହା ସହିତ ସେ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଷୟରେ ମଧ୍ୟ ପିଜି କରିଛନ୍ତି। ଏମିତିକି ସେ ଇନ୍ଦିରା ଗାନ୍ଧୀ ନ୍ୟାସନାଲ ଓପନ ୟୁନିଭର୍ସିଟି (ଇଗ୍ନୋ)ରୁ ରୁରାଲ ଡେଭଲପ୍‌ମେଣ୍ଟରେ ମଧ୍ୟ ପିଜି କରିଛନ୍ତି ।

ବୃତ୍ତି:-

ସୁନୀତି ଦକ୍ଷା ଫାଉଣ୍ଡେସନ୍‌ର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲିଟ୍‌ରେଚର୍‌ର ଚେୟାରପର୍ସନ ଅଟନ୍ତି। ଏହାସହ ସେ ଦକ୍ଷା ଭେନ୍‌ଚର ପ୍ରାଇଭେଟ୍‌ ଲିମିଟେଡ୍‌ର ମ୍ୟାନେଜିଂ ଡାଇରେକ୍ଟର ମଧ୍ୟ ରହିଛନ୍ତି। ସୁନୀତି ଦକ୍ଷା ବୁକ୍‌ସର ପବ୍ଲିଶର ମଧ୍ୟ। କେବଳ ସେତିକି ନୁହେଁ ସେ ଦକ୍ଷା ଏବଂ ତନୁଜା ମାଗାଜିନ୍‌ର ସଂପାଦିକା ମଧ୍ୟ ରହିଛନ୍ତି।

ସମ୍ପତ୍ତି:-

ସୁନୀତି ମୁଣ୍ଡ ହେଉଛନ୍ତି ମେୟର ପ୍ରାର୍ଥୀମାନଙ୍କ ମଧ୍ୟରେ ଦ୍ୱିତୀୟ ଧନୀ ପ୍ରାର୍ଥୀ। ତାଙ୍କର ମୋଟ୍‌ ସମ୍ପତ୍ତିର ମୂଲ୍ୟ ହେଉଛି ଏକ କୋଟି ୮ ଲକ୍ଷ ୨ ହଜାର ୬୭୧ ଟଙ୍କା। ତାଙ୍କର ବ୍ୟାଙ୍କ ଖାତାରେ ୧୨ ଲକ୍ଷ ୨ ହଜାର ୬୭୧ ଟଙ୍କା ଜମା ରହିଛି। ଭୁବନେଶ୍ୱରର ଝାରପଡ଼ା ଅଞ୍ଚଳରେ ତାଙ୍କର ଗୋଟିଏ ୬୦ ଲକ୍ଷ ଟଙ୍କାର ଫ୍ଲାଟ ଅଛି। ସୁନୀତିଙ୍କ ନାଁରେ ୧୮ ଲକ୍ଷ ଟଙ୍କାର ଗୋଟିଏ ପ୍ଲଟ୍‌ ମଧ୍ୟ ଅଛି। ତାଙ୍କର ଗୋଟିଏ ମାରୁତି ସୁଜୁକି କାର୍‌ ଅଛି।

ମଧୁସ୍ମିତା ଆଚାର୍ଯ୍ୟ:-

କଂଗ୍ରେସର ଭୁବନେଶ୍ୱର ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ ହେଉଛନ୍ତି ମଧୁସ୍ମିତା ଆଚାର୍ଯ୍ୟ। ସେ ଛାତ୍ର ଜୀବନରୁ ରାଜନୀତି ସହିତ ଜଡ଼ିତ। ଭୁବନେଶ୍ୱରର ରାଜନୀତିକୁ ମଧୁସ୍ମିତା ଅତି ପାଖରୁ ଦେଖିଛନ୍ତି। ସେ ଜଣେ ଜଣାଶୁଣା ଚେହେରା ଅଟନ୍ତି।

ଶିକ୍ଷାଗତ ଯୋଗ୍ୟତା:-

ମହର୍ଷି କଲେଜ ଅଫ ନ୍ୟାଚୁରାଲ ଲ’ରୁ ମଧୁସ୍ମିତା ଯୁକ୍ତ ୨ ପାସ୍‌ କରିଛନ୍ତି। ପରେ ସେ ଭୁବନେଶ୍ୱର କମଳା ନେହରୁ ମହିଳା କଲେଜରୁ ଗ୍ରାଜୁଏସନ ମଧ୍ୟ କରିଛନ୍ତି। ସେ କସମେଟୋଲୋଜିରେ ଏମବିଏ ମଧ୍ୟ କରିଛନ୍ତି।

ରାଜନୈତିକ କ୍ୟାରିଅର:-

କମଳା ନେହରୁ କଲେଜରେ ପାଠ ପଢ଼ୁଥିବା ସମୟରେ ମଧୁସ୍ମିତା ଛାତ୍ରୀ ସଂସଦର ସଭାନେତ୍ରୀ ଥିଲେ। ସେ ପୂର୍ବତନ ଧର୍ମଶାଳା କଂଗ୍ରେସ ବିଧାୟକ କାଙ୍ଗାଳି ଚରଣ ପଣ୍ଡାଙ୍କର ବୋହୂ।

ସମ୍ପତ୍ତି:-

ନିର୍ବାଚନ କମିଶନରଙ୍କ ନିକଟରେ ଦାଖଲ କରିଥିବା ତଥ୍ୟ ଅନୁସାରେ ମଧୁସ୍ମିତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୧୨ ଲକ୍ଷ ୩୧ ହଜାର ୫୦୬ ଟଙ୍କା। ତାଙ୍କ ସ୍ୱାମୀଙ୍କ ନାଁରେ ୮୨ ହଜାର ୧୦୦ ଟଙ୍କାର ସମ୍ପତ୍ତି ଅଛି।

odia sambada
Comments (0)
Add Comment