ମାର୍ଚ୍ଚରେ ଆସିପାରେ ବାତ୍ୟା ! ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଲଘୁଚାପ

ବର୍ତ୍ତମାନ ବତ୍ୟାକୁ ନେଇ ଭୟ ବଢୁଛି। ଚଳିତ ମାର୍ଚ୍ଚ ମାସରେ ବାତ୍ୟାର ଆଶଙ୍କା କରାଯାଉଛି। ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ପାଇଁ ଯାଉଛି। ଏହି ଲଘୁଚାପ ଧୀରେ ଧୀରେ ଘନିଭୂତ ହୋଇ ବାତ୍ୟାର ରୂପ ନେବ ବୋଲି ଆଂଶକା ସୃଷ୍ଟି ହୋଇଛି।

ଆସନ୍ତା ୨୦ ତାରିଖ ସୁଦ୍ଧା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି। ଏହା ଧୀରେ ଧୀରେ ଘନୀଭୂତ ହୋଇ ଉତ୍ତର ବଙ୍ଗୋପସାଗରରେ ଆସି ପହଞ୍ଚିବ। ଏହା କେତେ ମାତ୍ରାରେ ଘନୀଭୂତ ହେବ, ବାତ୍ୟା ରୂପ ନେବ କି ନାହିଁ, ସେ ବିଷୟରେ କୌଣସି ପ୍ରକାର ସ୍ପଷ୍ଟ ସୂଚନା ମିଳିନାହିଁ। ତେବେ ବର୍ତ୍ତମାନ ପରିବେଶ ଅନୁକୂଳ ଥିବା କାରଣରୁ ଏହା ବାତ୍ୟାର ରୂପ ନେଇପାରେ। ଅନ୍ୟପକ୍ଷରେ ଏହି ଲଘୁଚାପଟି ବାରମ୍ବାର ଦିଗ ପରିବର୍ତ୍ତନ କରିବାର ସମ୍ଭାବନା ଥିବାରୁ ଏହା ଭାରତ କିମ୍ବା ଓଡ଼ିଶା ସ୍ପର୍ଶ କରିବ କି ନାହିଁ, ତାହା ବର୍ତ୍ତମାନ ଆକଳନ କରିବା କଷ୍ଟକର। ବିଗତ ବର୍ଷମାନଙ୍କରେ ମଧ୍ୟ ମାର୍ଚ୍ଚ ମାସରେ ସୃଷ୍ଟ କୌଣସି ଘୂର୍ଣ୍ଣିଝଡ଼ ଭାରତ କିମ୍ବା ଓଡ଼ିଶା ସ୍ପର୍ଶ କରିନାହିଁ। କିନ୍ତୁ ଜଳବାୟୁ ପରିବର୍ତ୍ତନରେ ଏହି ସାମ୍ଭାବ୍ୟ ଘୂର୍ଣ୍ଣିଝଡ଼ ଭାରତର ଉପକୂଳ ଛୁଇଁବାର ସମ୍ଭାବନାକୁ ଏଡ଼ାଇ ହେବ ନାହିଁ ବୋଲି ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି। ଯଦି ଲଘୁଚାପଟି ବାତ୍ୟାର ରୂପ ନେବ ଓ ଭାରତର ଉପକୂଳକୁ ସ୍ପର୍ଶ କରିବ, ତେବେ ଏହା ଗତ ୧୨୧ ବର୍ଷ ମଧ୍ୟରେ ମାର୍ଚ୍ଚ ମାସର ୭ମ ବାତ୍ୟା ହେବ। କାରଣ ୧୯୦୧ ମସିହାଠାରୁ ଚଳିତ ବର୍ଷ ପର୍ଯ୍ୟନ୍ତ ମାର୍ଚ୍ଚ‌ ମାସରେ ମାତ୍ର ୬ଟି ବାତ୍ୟା ସୃଷ୍ଟି ହୋଇଛି ବୋଲି ଡ. ପଶୁପାଳକ ସୂଚନା ଦେଇଛନ୍ତି। ଅବଶ୍ୟ ଏ ବ୍ବିଷୟରେ ଆଇଏମ୍‌ଡି ତରଫରୁ କୌଣସି ପ୍ରକାର ସୂଚନା ମିଳିନାହିଁ।

ଡ. ପଶୁପାଳକ ଭିନ୍ନ ଭିନ୍ନ ମଡେଲ ଅନୁଧ୍ୟାନ କରି କହିଛନ୍ତିଯେ ଏନସିଇପି ଜିଏଫ୍‌ଏସ୍‌ ମଡେଲ ଅନୁସାରେ ସମ୍ଭାବ୍ୟ ଘୂର୍ଣ୍ଣଝଡ଼ଟି ଦିଗ ପରିବର୍ତ୍ତନ କରିବା ସମ୍ଭାବନା ରହିଥିବାରୁ ଭା‌ରତ ଉପକୂଳକୁ ଆଦୌ ସ୍ପର୍ଶ କରିବ ନାହିଁ। ବିଗତ କିଛି ବର୍ଷ ହେଲା ମାର୍ଚ୍ଚ ମାସରେ ଭାରତରେ ବାତ୍ୟା ହୋଇନାହିଁ। ଏଣୁ ଏଥର ମଧ୍ୟ ଏହା ଭାରତରେ ସ୍ଥଳଭାଗ ନ ଛୁଇଁବାର ଅଧିକ ସମ୍ଭାବନା ରହିଛି। କିନ୍ତୁ ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ଏହାର ଭାରତ ଉପକୂଳମୁହାଁ ହୋଇପାରେ। ତଥାପି ଆସନ୍ତା ୨୦ ତା‌ରିଖ ଆଡ଼କୁ ଏ ବିଷୟରେ ସ୍ପଷ୍ଟ ସୂଚନା ଆସିଯିବ ବୋଲି ସେ କହିଛନ୍ତି।

ଅନ୍ୟପଟେ ରାଜ୍ୟର ପାରଦ ବର୍ତ୍ତମାନ ଉପରମୁହାଁ ହେବାରେ ଲାଗିଛି। ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ସର୍ବାଧିକ ତାପମାତ୍ରା ୨ ରୁ ୩ ଦିନ ମଧ୍ୟରେ ୪୦ ଡିଗ୍ରି ଛୁଇଁବ। ବଲାଙ୍ଗୀର, ସୋନପୁର, ମାଲକାନଗିରି, ବୌଦ୍ଧ, ଅନୁଗୁଳ ଓ ଝାରସୁଗୁଡ଼ାରେ ଗ୍ରୀଷ୍ମ ପ୍ରବାହର ଆକଳନ କରାଯାଉଛି। ଆସନ୍ତା ୧୦ ଦିନ ପୂର୍ବରୁ ଗରମ କମିବାର ସମ୍ଭାବନା କମ‌। ଭୁବନେଶ୍ବର ସମେତ ଉପକୂଳ ଓଡ଼ିଶାରେ ୧୬ ତାରିଖ ସୁଦ୍ଧା ଆଉ ୨ ରୁ ୩ ଡିଗ୍ରି ବଢ଼ିବା ଯୋଗୁଁ କେତେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ମଧ୍ୟ ଛୁଇଁପାରେ। ୧୭ ତାରିଖରୁ ବଙ୍ଗେପସାଗରୀୟ ପବନ ବହିବା କାରଣରୁ ସର୍ବାଧିକ ତାପମାତ୍ରା ପ୍ରାୟ ୪ ଡିଗ୍ରି କମି ପରବର୍ତ୍ତୀ ୩ ଦିନ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବ ବୋଲି ଡ. ପଶୁପାଳକ ଏହି ବିଷୟରେ ସୂଚନା ଦେଇଛନ୍ତି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ ‌କେନ୍ଦ୍ର ତରଫରୁ ୧୫ ଓ ୧୬ ତାରିଖରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନାକୁ ନେଇ ଏକ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବିଶେଷ ଭାବରେ ସୋନପୁର, ବୌଦ୍ଧ, ବଲାଙ୍ଗୀର, ଅନୁଗୁଳ, ନୟାଗଡ଼ ଓ ଖୋର୍ଧା ଜିଲ୍ଲାରେ ଅତ୍ୟଧିକ ଖରାର ସମ୍ଭାବନା ଥିବା କାରଣରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ତାପମାତ୍ରା ୪ ଡିଗ୍ରି ବଢ଼ିଯିବ। ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ଛୁଇଁବ ଓ ଖରାର ପ୍ରକୋପ ମଧ୍ୟ ଅଧିକ ରହିବ। ଏହି ସମୟରେ ଅଂଶୁଘାତର ସମ୍ଭାବନା ଥିବା କାରଣରୁ ଖରାକୁ ନ ବାହାରିବାକୁ କେନ୍ଦ୍ର ତରଫରୁ ପରାମର୍ଶ ଦିଆଯାଇଛି। ଅନ୍ୟନ୍ତ ଜରୁରୀ ହେଲେ ପାଖରେ ପାଣି ବୋତଲ, ଓଦା ଗାମୁଛା ଓ ଛତା ଧରି ଖରାକୁ ଯିବା ପାଇଁ ପରାମର୍ଶ ଦିଆଯାଇଛି।

odia sambada
Comments (0)
Add Comment