ଇଏ କି ଦୃଶ୍ୟ ! ଶହ ଶହ ଯାତ୍ରୀ ଟ୍ରେନକୁ ଠେଲି ଠେଲି ନେଉଛନ୍ତି,ଦେଖନ୍ତୁ ଭିଡ଼ିଓ ଓ ଜାଣନ୍ତୁ ଏମିତି ପରିସ୍ଥିତି ଆସିଲା କାହିଁକି ?

ମିରଟରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି। ଯେତେବେଳେ ଟ୍ରେନରେ ବସିଥିବା ଶହ ଶହ ଯାତ୍ରୀ ସହାରନପୁରରୁ ଦିଲ୍ଲୀ ଅଭିମୁଖେ ଯାଉଥିଲେ, ସେତେବେଳେ ହଠାତ ରାସ୍ତାରେ ଟ୍ରେନଟି ଖରାପ ହୋଇ ଯାଇଥିଲା। ଯାତ୍ରୀମାନେ ଏହି ସମୟରେ ଟ୍ରେନ୍‌କୁ ଧକ୍କା ମାରି ମାରି ଆଗକୁ ନେଇ ଯାଇଥିଲେ। ଟ୍ରେନକୁ ଧକ୍କା ମାରି ମାରି ନେଉଥିବାର ଏକ ଭିଡିଓ ବର୍ତ୍ତମାନ ଇଣ୍ଟରନେଟରେ ବହୁତ ଭାଇରାଲ ହେଉଛି।

ଜଣାଇଦେଉଛୁକି, ଶନିବାର ଦିନ ସକାଳେ ସହାରନପୁରରୁ ଏକ ପାସେଞ୍ଜର ଟ୍ରେନ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିଲା। ଦୌରାଲା ଷ୍ଟେସନରେ ପହଞ୍ଚିବା ପରେ ଏକ ବଗିରେ କୌଣସି କାରଣ ଯୋଗୁଁ ନିଆଁ ଲାଗି ଯାଇଥିଲା। ଏହି ଅଗ୍ନିକାଣ୍ଡ ଫଳରେ ଯାତ୍ରୀମାନେ ଭୟଭୀତ ହୋଇ ଯାଇଥିଲେ ଏବଂ ଟ୍ରେନ୍‌କୁ ତତ୍‌କ୍ଷଣାତ ଷ୍ଟେସନରେ ଅଟକାଇ ଦେଇଥିଲେ। ଟ୍ରେନ ଅଟକିବା ମାତ୍ରେ ସମସ୍ତ ଯାତ୍ରୀ ଟ୍ରେନରୁ ଓହ୍ଲାଇ ପଡ଼ିଥିଲେ। ରେଲୱେ ଏହି ଘଟଣା ସମ୍ପର୍କରେ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲା।

ଯେପରି ଟ୍ରେନର ବାକି ଭାଗକୁ ନିଆଁ ନ ବ୍ୟାପେ, ସେଥିପାଇଁ ସଙ୍ଗେ ସଙ୍ଗେ ଉଦ୍ୟମ ଆରମ୍ଭ କରଯାଇଥିଲା। ଦୁଇଟି ବଗିକୁ ସଂଯୋଗ କରୁଥିବା କପଲିଂ ନ ଖୋଲିବାରୁ ତାହାକୁ ଭାଙ୍ଗି ଦିଆଯାଇଥିଲା। ସେତେବେଳକୁ ନିଆଁ ତୃତୀୟ ବଗି ଆଡ଼କୁ ବ୍ୟାପି ସାରିଥିଲା। ଏହାପରେ ରେଳ କର୍ମଚାରୀମାନେ ଟ୍ରେନର ଅନ୍ୟାନ୍ୟ ଅଂଶକୁ ନିଆଁ ମୁହଁରୁ ରକ୍ଷା କରିବା ପାଇଁ ଯାତ୍ରୀମାନଙ୍କଠାରୁ ସାହାଯ୍ୟ ମାଗିଥିଲେ। ସଙ୍ଗେ ସଙ୍ଗେ ସମସ୍ତ ଯାତ୍ରୀ ଏକଜୁଟ ହୋଇ ଯାଇଥିଲେ ଓ ଜଳନ୍ତା ବଗିରୁ ଅନ୍ୟ ବଗିଗୁଡ଼ିକୁ ଧକ୍କା ମାରି ଅଲଗା କରିଥିଲେ।

ଛତିଶଗଡର ପରିବହନ କମିଶନର ତଥା ସିନିୟର ଆଇପିଏସ୍ ଦାପାଂଶୁ କାବରା ଟ୍ରେନକୁ ଧକ୍କା ମାରି ନିଆଯାଉଥିବାର ଏକ ଭିଡିଓକୁ ଟ୍ଵିଟରରେ ସେୟାର କରିଛନ୍ତି। ସେ ଟ୍ଵିଟ କରି କହିଛନ୍ତିକି, ‘ଆମେ ଏକଜୁଟ ହୋଇ ଯଦି ପାହାଡ଼କୁ ଘୂଞ୍ଚାଇ ପାରିବା, ତେବେ ଏହା ତ ଟ୍ରେନ ଥିଲା। ଯାତ୍ରୀମାନଙ୍କର ସାହାଯ୍ୟର ଭାବନା ଏବଂ ମିଳିତ ପ୍ରୟାସର ଯେତେବି ପ୍ରଶଂସା କରାଯିବ, ସେତେ କମ ହେବ’। ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ ଓ ନିଆଁକୁ ଆୟତ୍ତ କରିଥିଲେ। ତେବେ ଏହି ଅଗ୍ନିକାଣ୍ଡରେ ବର୍ତ୍ତମାନ ପର୍ଯ୍ୟନ୍ତ କେହି ମଧ୍ୟ ମୃତାହତ ହୋଇଥିବାର ଖବର ନାହିଁ।

odia sambada
Comments (0)
Add Comment