ସେନ ଓ୍ଵାର୍ଣ୍ଣଙ୍କ ପରଲୋକ, ହୃଦଘାତରେ ମୃତ୍ୟୁ ହୋଇଥିବାର ସୂଚନା

ଅନ୍ତର୍ଜାତୀୟ କ୍ରିକେଟରେ ଲାଗିଲା ଆଉ ଏକ ବଡ଼ ଝଟକା। ଅଷ୍ଟ୍ରେଲିଆ କ୍ରିକେଟ ପାଇଁ ଏକ ଦାରୁଣ ଦୁଃଖ। ମହାନ୍‌ ସ୍ପିନର ସେନ୍‌ ଓ୍ଵାର୍ଣ୍ଣଙ୍କର ଅକାଳ ବିୟୋଗ ହୋଇଛି। ମାତ୍ର ୫୨ ବର୍ଷ ବୟସରେ ଓ୍ଵାର୍ଣ୍ଣଙ୍କର ଦେହାନ୍ତ ହୋଇଯାଇଛି। ସନ୍ଦେହ କରାଯାଉଛିକି ତାଙ୍କୁ ହୃଦଘାତ ହୋଇଛି। ସେନ୍‌ ଓ୍ଵାର୍ଣ୍ଣ ବିଶ୍ୱ କ୍ରିକେଟରେ ହେଉଛନ୍ତି ଦ୍ୱିତୀୟ ସର୍ବାଧିକ ଓ୍ଵିକେଟ୍ ଦଖଲକାରୀ। ଜଣେ ଲେଗସ୍ପିନର ଭାବରେ ସେ ବହୁତ ଖୁବ ଖ୍ୟାତି ଅର୍ଜନ କରିଥିଲେ।

ସେନ ଓ୍ଵାର୍ଣ୍ଣ ଥାଇଲାଣ୍ଡର ସାମୁଇଠାରେ ଏକ ଭିଲ୍ଲାରେ ଥିଲେ। ସେଠାରେ ତାଙ୍କୁ ହୃଦଘାତ ହୋଇଥିଲା। ତାଙ୍କୁ ତୁରନ୍ତ ଚିକିତ୍ସା ମଧ୍ୟ ଯୋଗା ଯାଇଥିଲା। ତେବେ ଡାକ୍ତରଙ୍କର ସମସ୍ତ ପ୍ରଚେଷ୍ଟା ସତ୍ତ୍ୱେ ମଧ୍ୟ ସେ ବଞ୍ଚି ପାରିଲେନି। ଓ୍ଵାର୍ଣ୍ଣ ୧୯୯୨ ମସିହାରେ ଅନ୍ତର୍ଜାତୀୟ କ୍ରିକେଟରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ତେବେ ପ୍ରଥମ ବର୍ଷ ତାଙ୍କୁ ବହୁତ ସଂଘର୍ଷ କରିବା ପାଇଁ ପଡ଼ିଥିଲା। କିନ୍ତୁ ଦ୍ୱିତୀୟ ବର୍ଷରୁ ସେ ନିଜର ବୋଲିଂ ମାଧ୍ୟମରେ ଉନ୍ନତି ଆଣି ଅଷ୍ଟ୍ରେଲିଆ ଦଳକୁ ଜିତାଇବା ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ସେହି ବର୍ଷ ଆସେସ ସିରିଜ୍‌ରେ ଇଂଲଣ୍ଡ ଖେଳାଳି ମାଇକ୍ ଗ୍ୟାଟିଂଙ୍କୁ ଯେଉଁଭଳି ଭାବରେ ଆଉଟ୍‌ କରିଲେ ସେହି ବଲକୁ ‘ବଲ୍‌ ଅଫ ଦି ସେଞ୍ଚୁରୀ’ କୁହାଗଲା। ୧୯୯୬ ଓ ୧୯୯୯ ମସିହାରେ ତାଙ୍କ ବୋଲିଂ ସାହାଯ୍ୟରେ ଅଷ୍ଟ୍ରେଲିଆ ବିଶ୍ୱ ଚାମ୍ପିଅନ୍‌ ହୋଇ ପାରିଥିଲା।

ତେବେ ବିଶ୍ୱ କ୍ରିକେଟରେ ଭାରତର ସଚିନ୍‌ ତେନ୍ଦୁଲକର ଏବଂ ସେନ୍‌ ଓ୍ଵାର୍ଣ୍ଣଙ୍କର ଲଢ଼େଇକୁ ପ୍ରତ୍ୟେକ କ୍ରିକେଟପ୍ରେମୀ ମନେ ରଖିଛନ୍ତି। ସାରା ବିଶ୍ୱର ବ୍ୟାଟ୍ସମ୍ୟାନମାନେ ତାଙ୍କର ଶିକାର ହୋଇ ଚାଲିଥିବା ସମୟରେ ତେନ୍ଦୁଲକର ତାଙ୍କୁ ଏମିତି ପ୍ରହାର କଲେଯେ ଓ୍ଵାର୍ଣ୍ଣ ଡରିବା ଆରମ୍ଭ କରିଥିଲେ। ଏମିତିକି ସେ ନିଜେ କହିଥିଲେକି ରାତିରେ ମୋତେ ତେନ୍ଦୁଲକର ଭୂତ ଲାଗୁଛି। ଅବଶ୍ୟ ଓ୍ଵାର୍ଣ୍ଣଙ୍କର କ୍ୟାରିୟର ଯେତେ ସଫଳ ଥିଲା ତାଙ୍କର ପଡ଼ିଆ ବାହାର ଜୀବନ ସେତିକି ବିବାଦୀୟ ରହିଥିଲା। ଡ୍ରଗ୍ସ ମାମଲା ଏବଂ ବିଭିନ୍ନ ନାରୀମାନଙ୍କ ସହିତ ସମ୍ପର୍କକୁ ନେଇ ସବୁବେଳେ ସେ ଚର୍ଚ୍ଚାରେ ରହୁଥିଲେ। ତେବେ ୨୦୦୩ ମସିହାରେ ଡ୍ରଗ୍ସ ମାମଲାରେ ତାଙ୍କୁ ଆଇସିସି ଏକ ବର୍ଷ ପାଇଁ କ୍ରିକେଟ ଜଗତରୁ ବାସନ୍ଦ କରିଥିଲା। ଏହାପରେ ସେ ଫେରିଥିଲେ ସତ କିନ୍ତୁ ଆଉ ଆଗ ଭଳି ତାଙ୍କର ବୋଲିଂରେ ଧାରନଥିଲା। ପରେ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ଯାଇଥିଲେ। ଏହାପରେ ସେ ଆଇପିଏଲ୍‌ରେ ରାଜସ୍ଥାନ ରୟାଲସ ତରଫରୁ ଖେଳିଥିଲେ ଏବଂ ପରବର୍ତ୍ତୀ ସମୟରେ କୋଚ ଭଳି ପରାମର୍ଶଦାତା ରହିଥିଲେ। ୨୦୧୩ ମସିହା ପର୍ଯ୍ୟନ୍ତ ସେ ରାଜସ୍ଥାନ ରୟାଲ୍ସ ସହିତ ଖେଳିବା ପରେ ୨୦୧୮ ମସିହାରୁ କ୍ରିକେଟ କମେଣ୍ଟେଟର ଭାବରେ ସେ କାର୍ଯ୍ୟ କରୁଥିଲେ।

odia sambada
Comments (0)
Add Comment