ଆମେରିକା ପରିବର୍ତ୍ତନ କଲା ନିଜର ଆଭିମୁଖ୍ୟ, ୟୁକ୍ରେନ ପାଇଁ କଲା ବଡ଼ଧରଣର ଘୋଷଣା

ଆମେରିକା ପରିବର୍ତ୍ତନ କରିଲା ନିଜର ଆଭିମୁଖ୍ୟ। ଶେଷରେ ୟୁକ୍ରେନ୍‌କୁ ସାହାଯ୍ୟ କରିବା ପାଇଁ ଆମେରିକା ରାଜି ହୋଇଛି। ଯୁଦ୍ଧରେ ଥରହର ୟୁକ୍ରେନକୁ ସାମରିକ ସହାୟତା ଯୋଗାଇ ଦେବାକୁ ଆମେରିକା ଆଗେଇ ଆସିଛି। ୟୁକ୍ରେନକୁ ୩୫୦ ମିଲିୟନ ଡଲାରର ସାମରିକ ସହାୟତା ଯୋଗାଇ ଦେବା ପାଇଁ ଆମେରିକାର କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି। ଆମେରିକା ସରକାରଙ୍କର କୁଟନୈତିକ ଅଧିକାରୀ ତଥା ସଚିବ ଆଣ୍ଟୋନୀ ବ୍ଲିନକେନ୍‌ ଟ୍ୱିଟ କରି ଏହି ବିଷୟରେ ଘୋଷଣା କରିଛନ୍ତି। ସେ ଆଜି ଅମେରିକାର ପ୍ରତିରକ୍ଷା ବିଭାଗକୁ ୟୁକ୍ରେନକୁ ସାହାଯ୍ୟ ପାଇଁ କହିଛନ୍ତି। ଯୁଦ୍ଧଗ୍ରସ୍ତ ୟୁକ୍ରେନଙ୍କୁ ତୁରନ୍ତ ୩୫୦ ମିଲିଅନର ସାମରିକ ସହାୟତା ଯୋଗାଇ ଦେବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।

ରୁଷର ଅକାରଣ ଓ ଅଯୁକ୍ତିକର ଯୁଦ୍ଧରୁ ୟୁକ୍ରେନକୁ ରକ୍ଷା କରିବା ପାଇଁ ସେ ଆମେରିକାର ପ୍ରତିରରକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଫ୍ରାନ୍ସ ଏବଂ ଚେକଗଣରାଜ୍ୟ ୟୁକ୍ରେନକୁ ସାମରିକ୍‌ ସହାୟତା ପାଇଁ ରାଜି ହୋଇ ସାରିଛନ୍ତି। ଫ୍ରାନ୍ସର ସହାୟତା ସମ୍ପର୍କରେ ୟୁକ୍ରେନର ରାଷ୍ଟ୍ରପତି ସ୍ପଷ୍ଟ କରିଦେଇଛନ୍ତି। ତେବେ ଯୁଦ୍ଧରେ ସହାୟତା ପାଇଁ ଗୋଟିଏ ପରେ ଗୋଟିଏ ଦେଶ ଧୀରେ ଧୀରେ ଆଗେଇ ଆସିବା ୟୁକ୍ରେନର ମନବଳକୁ ବର୍ତ୍ତମାନ ବୃଦ୍ଧି କରିଛି। ଅନ୍ୟପଟେ ୟୁକ୍ରେନ ରାଷ୍ଟ୍ରପତି ଭାରତର ପ୍ରଧାମନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସହାୟତା ଲୋଡ଼ିଛନ୍ତି। ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ୍‌ କରି ଯୁଦ୍ଧରେ ସାହାୟତା କରିବା ପାଇଁ ନିବେଦନ କରିଥିଲେ। ପ୍ରତିଉତ୍ତରରେ ଯୁଦ୍ଧକୁ ନେଇ ମୋଦି କଡ଼ା ନିନ୍ଦା କରିବା ସହିତ ଯୁଦ୍ଧ ବନ୍ଦ ହେବା ଦରକାର ବୋଲି ଆଶ୍ୱସନା ଦେଇଛନ୍ତି। ପୂର୍ବରୁ ଆମେରିକା ସମେତ ୟୁରୋପୀୟ ଦେଶଗୁଡ଼ିକ କେବଳ ସମବେଦନା ଓ ନିନ୍ଦା କରିଥିବା ସମୟରେ ଏହା ଯଥେଷ୍ଟ ନୁହେଁ ବୋଲି ୟୁକ୍ରେନର ରାଷ୍ଟ୍ରପତି କହିଥିଲେ।

ୟୁକ୍ରେନନ ରାଷ୍ଟ୍ରପତିଙ୍କ ଅନୁରୋଧ କରିବା ପରେ ଆମେରିକା ପ୍ରଥମେ ସାହାଯ୍ୟ ପାଇଁ ଅମଙ୍ଗ ହୋଇଥିଲା। ସବୁ ନାଟର ଗୋବର୍ଦ୍ଧନ ନାଟୋ ବ୍ୟାକ୍‌ଫୁଟ୍‌କୁ ଆସିଥିଲା। ତେବେ ରୁଷର ପ୍ରଚଣ୍ଡ ଆକ୍ରମଣରେ ୟୁକ୍ରେନ୍‌ ଧଂସବିଧ୍ୱଂସ ହେବା ସହିତ ସବୁଠାରେ ହାହାକାର ପରିସ୍ଥତି ସୃଷ୍ଟି ହୋଇଛି।

ଯୁଦ୍ଧର ତୃତୀୟ ଦିନରେ ମଧ୍ୟ ରୁଷର ସେନା ୟୁକ୍ରେନର ରାଜଧାନୀକୁ ଦଖଲ କରିବା ପାଇଁ ଏକ ପ୍ରକାର ସ୍ପଷ୍ଟ ହୋଇଛି। ପରିସ୍ଥିତି ଭୟାବହ ହେବା ପରେ ଆମେରିକା ନିଜର ଆଭିମୁଖ୍ୟକୁ ପରିବର୍ତ୍ତନ କରିଦେଇଛି। ସେପଟେ ଭୀଷଣ ଧ୍ୱଂସର ଲୀଳା ରଚିବା ପରେ ମଧ୍ୟ ୟୁକ୍ରେନ୍ ସେନା ଦମ୍ଭ ଭାଙ୍ଗି ନାହିଁ। ରୁଷର ସେନାକୁ କଡ଼ା ମୁକାବିଲା କରିବା ପାଇଁ ୟୁକ୍ରେନର ରାଷ୍ଟ୍ରପତି ମଧ୍ୟ ଭୟଭୀତ ନାହାନ୍ତି ବୋଲି କହିଛନ୍ତି।

odiasambada
Comments (0)
Add Comment