ଅନୁଭବଙ୍କର ସ୍ଥାନ ବର୍ଷା ନେବେ କି ? ଏପଟେ ସାଂସଦ ସୁଟିଂ ସେଟରେ ବ୍ୟସ୍ତ, ଆଉ ସେପଟେ ରାଜନୀତି ମୈଦାନରେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ

ବିଜେଡିର ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଏବଂ ତାଙ୍କର ପତ୍ନୀ ତଥାଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନିଙ୍କ ରାଜନୈତିକ ଭୂମିକାକୁ ନେଇ ବର୍ତ୍ତମାନ ବହୁତ ଚର୍ଚ୍ଚା ହେଉଛି। ରାଜନୀତିରେ ଥିବା ଅନୁଭବ ବର୍ତ୍ତମାନ ‘ଦାଦାଗିରି’ କରୁଛନ୍ତି, ଆଉ ଅଭିନୟ କରୁଥିବା ପତ୍ନୀ ବର୍ଷା ବର୍ତ୍ତମାନ ନେତାଗିରି କରୁଛନ୍ତି। ପଞ୍ଚାୟତ ନିର୍ବାଚନରେ ବର୍ଷାଙ୍କୁ ପ୍ରଚାର କରୁଥିବାର ଦେଖିବାକୁ ମିଳିଥିଲା। ଆଉ ଏପଟେ ଟିଭି ଶୋ ପାଇଁ ସୁଟିଂ ସେଟରେ ସାଂସଦ ଅନୁଭବ ମହାନ୍ତି ବ୍ୟସ୍ତ ଅଛନ୍ତି।

‘ନେତାଗିରି’ ବନାମ ‘ଦାଦାଗିରି’। ସ୍ବାମୀଙ୍କ ସ୍ଥାନ ନେବେ କି ସ୍ତ୍ରୀ? ଓଡିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ବର୍ତ୍ତମାନ ପ୍ରଚାର ମୈଦାନରେ। ବିଭିନ୍ନ ସ୍ଥାନରେ ବିଜୁ ଜନତା ଦଳର ପ୍ରାର୍ଥୀମାନଙ୍କ ପାଇଁ ପଞ୍ଚାୟତ ନିର୍ବାଚନ ପ୍ରଚାର କରିଛନ୍ତି। ଅଭିନେତା ତଥା କେନ୍ଦ୍ରାପଡା ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ସହିତ ବିବାଦ ସତ୍ୱେ ଦଳ ପାଇଁ ବର୍ଷା ପ୍ରଚାର କରିବାକୁ ନେଇ ବର୍ତ୍ତମାନ ରାଜନୈତିକ ଅଙ୍କକଷା ଆରମ୍ଭ ହୋଇଯାଇଛି। ବିବାଦ ପରେ ଅନୁଭବ ଦଳୀୟ ଫୋରମରୁ ଏକ ପ୍ରକାର ବାହାରେ ରହିଥିବା ସମୟରେ ବର୍ଷା ବିଜେଡିର ନିକଟତର ହେଉଥିବା ଚର୍ଚ୍ଚା ଜୋର ଧରିଛି। ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସାରେ ବର୍ଷା ଶତମୁଖ ହେବା ଏହି ଆଲୋଚନାକୁ ଆହୁରି ଖୋରାକ ଯୋଗାଇଛି।

ସେପଟେ ୨୦୧୭ ମସିହା ପଞ୍ଚାୟତ ନିର୍ବାଚନ ପ୍ରଚାରରେ ଅନୁଭବ ମହାନ୍ତି ବିଜେଡିର ଟ୍ରମ୍ପ କାର୍ଡ ସାଜିଥିଲେ। ଏପରିକି ୨୦୧୯ ମସିହାର ସାଧାରଣ ନିର୍ବାଚନରେ ହେଭିୱେଟ ବୈଜୟନ୍ତ ପଣ୍ଡାଙ୍କ ସହିତ ଲଢେଇରେ ଓହ୍ଲାଇଥିଲେ ମଧ୍ୟ ସମଗ୍ର ରାଜ୍ୟରେ ଦଳ ତାଙ୍କୁ କ୍ରାଉଡ ପୁଲର ଭାବରେ ବ୍ୟବହାର କରିଥିଲା। କିନ୍ତୁ ବର୍ତ୍ତମାନ ପ୍ରଚାର ମୈଦାନ ଛାଡି ସେ ଏକ ମନୋରଞ୍ଜନ ଚ୍ୟାନେଲରେ ରିୟଲିଟି ଶୋ ଶୁଟିଂରେ କେନ୍ଦ୍ରାପଡା ସାଂସଦ ଅନୁଭବ ବ୍ୟସ୍ତ ଅଛନ୍ତି।

ଆଲୋଚନା ହେଉଛିକି, ପାରିବାରିକ ବିବାଦ ପରେ ତାଙ୍କୁ ଆଉ ପାଖରେ ଦଳ ପୁରାଉ ନାହିଁ। ଏପରିକି, କୌଣସି ନେତା ମଧ୍ୟ ତାଙ୍କର ସାହାଯ୍ୟ ଲୋଡୁ ନଥିବା କୁହାଯାଉଛି। ଆଉ ଠିକ ଏତିକି ସମୟରେ ବିଜେଡି ପାଇଁ ବର୍ଷାଙ୍କର ପ୍ରଚାର, ଅନୁଭବଙ୍କର ରାଜନୈତିକ କ୍ୟାରିୟରକୁ ନେଇ ଏକ ବଡ ପ୍ରଶ୍ନ ସୃଷ୍ଟି ହୋଇଛି।

ନବୀନ ସରକାର ନାରୀ ସଶକ୍ତିକରଣ ଉପରେ ଅଧିକ ଗୁରୁତ୍ୱ ଦେଉଥିବା ସମୟରେ ବର୍ଷାଙ୍କର ଲୋକପ୍ରିୟତାକୁ ବ୍ୟବହାର କରିବା ପାଇଁ ଦଳର ଏକ ଗୋଷ୍ଠୀ ଉଦ୍ୟମ ଆରମ୍ଭ କରିଥିବାର ଚର୍ଚ୍ଚା ହେଉଅଛି। ବିବାଦରେ ଛନ୍ଦି ହୋଇଯାଇଥିବା ଏହି ଦମ୍ପତିଙ୍କ ମଧ୍ୟରୁ ଦଳ ବର୍ଷାଙ୍କ ଠାରୁ ଅଧିକ ଲାଭ ପାଇବ ବୋଲି କୁହାଯାଉଛି। ତେଣୁ ରାଜନୀତିରେ କିଏ ଇନ୍ ହେଉଛି ଆଉ କିଏ ଆଉଟ ତାହା ବର୍ତ୍ତମାନ ଦେଖିବାକୁ ଅପେକ୍ଷା ରହିଛି।

odia sambada
Comments (0)
Add Comment