ଭାରତୀୟଙ୍କୁ ଘରେ ଭିତରେ ରହିବା ପାଇଁ ପରାମର୍ଶ, ୟୁକ୍ରେନର ଦୁଇଟି ଗାଁକୁ ଦାଖଲ କଲା ରୁଷ

ରୁଷର ଘନଘନ ଆକ୍ରମଣ ପାଇଁ ବର୍ତ୍ତମାନ ୟୁକ୍ରେନର ସ୍ଥିତି ସାଂଘାତିକ ହୋଇଯାଇଛି। ବିଶେଷ ଭାବରେ ରାଜଧାନୀ କିଭରେ ରୁଷ ସୈନ୍ୟ କ୍ରୁଜ ମିସାଇଲ ମାଡ଼ କରୁଥିବାରୁ ସାଧାରଣ ଲୋକମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଯାଇଛି। ଘମାଘୋଟ ଲଢ଼େଇ ଚାଲିଥିବା ସମୟରେ ୟୁକ୍ରେନରେ ଫସି ରହିଥିବା ଭାରତୀୟମାନଙ୍କ ପାଇଁ ଭାରତ ସରକାର ସତର୍କ ସୂଚନା ଜାରି କରିଛନ୍ତି ।

ୟୁକ୍ରେନର ବିମାନ ସୀମାକୁ ବନ୍ଦ କରି ଦେଇଥିବାରୁ ସେଠାରେ ଥିବା ଭାରତୀୟମାନେ ସ୍ୱଦେଶ ଫେରିବେ କେମିତି, ତା’କୁ ନେଇ ବର୍ତ୍ତମାନ ଚିନ୍ତାରେ ପଡ଼ିଛନ୍ତି। ଏସବୁ ଭିତରେ କିଭ୍‌ରେ ଅବସ୍ଥାପିତ ଭାରତୀୟ ଦୂତାବାସ ତରଫରୁ ନିଜ ଦେଶର ନାଗରିକ ଓ ଶିକ୍ଷାର୍ଥୀଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି।

ଦୂତାବାସ ତରଫରୁ ସମସ୍ତଙ୍କୁ ଘର ଭିତରେ ରହିବା ପାଇଁ ପରମର୍ଶ ଦିଆଯାଇଛି। ସେହିପରି କେହିବି ଆତଙ୍କିତ ହୁଅନ୍ତୁ ନାହିଁ ବୋଲି ମଧ୍ୟ ଦୂତାବାସ ତରଫରୁ ଜାରି ସତର୍କ ସୂଚନାରେ କୁହାଯାଇଛି।

ଏଥିରେ କୁହାଯାଇଛିଯେ ବର୍ତ୍ତମାନ ୟୁକ୍ରେନର ସ୍ଥିତି ଅତ୍ୟନ୍ତ ଗମ୍ଭୀର ଓ ଉତ୍ତେଜନାପୂର୍ଣ୍ଣ ରହିଛି। କେତେବେଳେ କ’ଣ ଘଟିବ, ସେକଥା କୁହାଯାଇନପାରେ। ଦୟାକରି କେହିବି ଆତଙ୍କିତ ହୁଅନ୍ତୁ ନାହିଁ। ଯିଏ ଯେଉଁଠି ଅଛନ୍ତି, ସେଇଠାରେ ସୁରକ୍ଷିତ ରୁହନ୍ତୁ। ନିଜର ଘର, ହୋଟେଲ କିମ୍ବା ଯେକୌଣସି ସ୍ଥାନରେ ସମସ୍ତେ ରୁହନ୍ତୁ।

ଯେଉଁମାନେ ବର୍ତ୍ତମାନ କିଭ ଆସୁଛନ୍ତି, ସେମାନେ ନିଜର ଗସ୍ତ ସୂଚୀ ପରିବର୍ତ୍ତନ କରିଦିଅନ୍ତୁ। ବର୍ତ୍ତମାନ କିଭ ଆସନ୍ତୁ ନାହିଁ। ବିଶେଷ କରି ପଶ୍ଚିମ କିଭରୁ ଆସୁଥିବା ଲୋକମାନେ ସେମାନଙ୍କ ପୂର୍ବ ସହରକୁ ଫେରିଯାଆନ୍ତୁ। ପଶ୍ଚିମ ଦେଶ ସୀମାନ୍ତରେ ଥିବା ସୁରକ୍ଷିତ ସ୍ଥାନକୁ ସେମାନେ ଫେରିଯିବା ଦରକାର ବୋଲି ଦୂତାବାସ ତରଫରୁ କୁହାଯାଇଛି। ଦୂତାବାସ ପରବର୍ତ୍ତୀ ଅବସ୍ଥାରେ ଲୋକମାନଙ୍କୁ ଅପଡେଟ ଦେବ ବୋଲି ମଧ୍ୟ କହିଛି। ଅନ୍ୟପକ୍ଷରେ ରୁଷର ସେନାର ଆକ୍ରମଣ ଜାରି ରହିଛି। ରୁଷ ବର୍ତ୍ତମାନ ପର୍ଯ୍ୟନ୍ତ ୟୁକ୍ରେନର ଏକାଧିକ ଏୟାରବେସକୁ ଉଡ଼ାଇ ଦେଇଛି। ସେହିପରି ପୂର୍ବ ପ୍ରାନ୍ତରେ ଥିବା ଦୁଇଟି ଗାଁକୁ ମଧ୍ୟ ରୁଷ ସେନା ଦଖଲ କରି ନେଇଥିବାର ୟୁକ୍ରେନ ଦାବି କରିଛି। ବର୍ତ୍ତମାନ ୟୁକ୍ରେନର ବିଭିନ୍ନ ସ୍ଥାନରେ ରୁଷର ଯୁଦ୍ଧ ବିମାନ ଓ ରାସ୍ତାରେ ଟ୍ୟାଙ୍କ ଗଡ଼ୁଥିବା ଭଳି ଚିତ୍ର ବର୍ତ୍ତମାନ ସାମ୍ନାକୁ ଆସିଛି। ତଥାପି ୟୁକ୍ରେନ ଆର୍ମି ରୁଷ ନିକଟରେ କୌଣସି ପରିସ୍ଥିତିରେ ଆତ୍ମସମର୍ପଣ କରିବ ନାହିଁ ବୋଲି କିଭ କହିଛି।

odia sambada
Comments (0)
Add Comment