ରୁଷ କଟକଣାକୁ କଲା ବେଖାତିର: ଆକ୍ରମଣ ପାଇଁ ପ୍ରସ୍ତୁତ, ବେଲାରୁସରେ ବିଶାଳ ସୈନ୍ୟ ଛାଉଣି

ୟୁକ୍ରେନ ଉପରୁ ସଙ୍କଟ ଟଳିବାର ସମ୍ଭାବନା ଆଦୌ ଦେଖାଯାଉ ନାହିଁ। ରୁଷ ନିଜର ଜିଦରେ ଅଟଳ ରହିଛି ଏବଂ ‌ଯେକୌଣସି ମୁହୂର୍ତରେ ସେ ୟୁକ୍ରେନ ଉପରେ ଆକ୍ରମଣ କରିପାରେ। ୟୁକ୍ରେନରେ ଥିବା ଏହାର ସମସ୍ତ କୂଟନୀତିଜ୍ଞଙ୍କୁ ପ୍ରତ୍ୟାହାର କରିବା ଆରମ୍ଭ କରିଦେଇଛି। ପୂର୍ବ ୟୁକ୍ରେନର ୨ଟି ଅଞ୍ଚଳ ଡୋନେସ୍କ ଏବଂ ଲୁହାଂସ୍କକୁ ରୁଷ୍‌ ସ୍ବତନ୍ତ୍ର ରାଷ୍ଟ୍ର ଭାବରେ ‌ଘୋଷଣା କରିବା ସହ ବିଶାଳ ସାମରିକ ଅଭିଯାନ କରିବାକୁ ଯାଉଛି। ୟୁକ୍ରେନ ସୀମାରେ ଲକ୍ଷାଧିକ ସୈନ୍ୟଙ୍କ ସହ ଟ୍ୟାଙ୍କ ଓ କ୍ଷେପଣାସ୍ତ୍ର ମଧ୍ୟ ମୁତୟନ କରିଛି। ରୁଷର ରାଷ୍ଟ୍ରପତି ପୁଟିନ କହିଛନ୍ତିଯେ ଦେଶର ସ୍ବାର୍ଥ ଏବଂ ନାଗରିକଙ୍କର ସୁରକ୍ଷାରେ କୌଣସି ପ୍ରକାର ସାଲିସ ଆଦୌ କରାଯିବ ନାହିଁ। ତାଙ୍କର ଏଭଳି ଆଭିମୁଖ୍ୟ ଫଳରେ ଶାନ୍ତିପୂର୍ଣ୍ଣ ସମାଧାନ ଆଶା ଭୁଲିଯାଇଛି।

ଅନ୍ୟପକ୍ଷରେ ରୁଷ ବିରୋଧରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଏକଜୁଟ୍‌ ହେବା ଆରମ୍ଭ ଛନ୍ତି। ଆମେରିକା, ବ୍ରିଟେନ ଏବଂ ୟୁରୋପୀୟ ସଂଘ ରୁଷ୍‌ ବିରୋଧରେ ମଧ୍ୟ କଟକଣା ଲଗାଇଛନ୍ତି ଏବଂ ଆଗକୁ ଏହି କଟକଣା ଅଧିକ କଠୋର ହେବ ବୋଲି ସେ ଚେତାବନୀ ଦେଇଛନ୍ତି। ଆଜି ବ୍ରିଟେନ୍‌-ଆମେରିକା ଏବଂ ୟୁରୋପୀୟ ସଂଘ ନେତାଙ୍କ ମଧ୍ୟରେ ୟୁକ୍ରେନ୍‌ ପ୍ରସଙ୍ଗ ନେଇ ଆଲୋଚନା ହୋଇଛି ଏବଂ ସମସ୍ତେ ଏକସ୍ବରରେ ରୁଷ୍‌କୁ ବହୁତ ନିନ୍ଦା କରିଛନ୍ତି। ଆମେରିକା କହିଛିଯେ ରୁଷ ୟୁକ୍ରେନ ଆକ୍ରମଣ କଲେ ୫୦ ହଜାର ଲୋକ କ୍ଷତିଗ୍ରସ୍ତ ହେବେ ଏବଂ ସେଠାରେ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ।

କିନ୍ତୁ ପାଶ୍ଚାତ୍ୟ ରାଷ୍ଟ୍ରର କୌଣସି କଟକଣା/ଚେତାବନୀକୁ ରୁଷ୍‌ ଖାତିର ନକରି ୟୁକ୍ରେନ ସୀମାରେ ସୈନ୍ୟସାମନ୍ତଙ୍କର ମୁତୟନ ବଢ଼ାଇବା ସହ ସ୍ବାଧୀନ ଘୋଷଣା କରିଥିବା ପୂର୍ବ ୟୁକ୍ରେନ ଅଞ୍ଚଳକୁ ବିପୁଳ ସୈନ୍ୟ ପଠାଇବା ପ୍ରକ୍ରିୟା ଜାରି ରଖିଛି। ନୂଆ ଉପଗ୍ରହ ଚିତ୍ରରେ ଦେଖିବାକୁ ମିଳିଛିଯେ ୟୁକ୍ରେନ ସୀମା ନିକଟସ୍ଥ ଦକ୍ଷିଣ ବେଲାରୁସରେ ରୁଷ ଅଧିକ ସେନା ମୁତୟନ କରିଛି ଏବଂ ଭାରୀ ଯୁଦ୍ଧାସ୍ତ୍ର ମଧ୍ୟ ଠୁଳ କରିଛି। ୟୁକ୍ରେନ୍‌ ସୀମାଠାରୁ ମାତ୍ର ୪୦ କିଲୋମିଟର ଦୂରରେ ରୁଷର ବିଭିନ୍ନ ରେଂଜ୍‌ର କ୍ଷେପଣାସ୍ତ୍ର ସବୁ ସଜ୍ଜିତ ହୋଇ ରହିଛି। ଶତାଧିକ ବିଶାଳ ସାମରିକ ଯାନରେ ଏହି ଅତ୍ୟାଧୁନିକ ଯୁଦ୍ଧ ଉପକରଣ ଆଜି ପହଞ୍ଚିଛି।

ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତିଯେ ରୁଷ କୂଟନୈତିକ ସମାଧାନ ପାଇଁ ପ୍ରସ୍ତୁତ ଅଛି, କିନ୍ତୁ ରୁ୍‌ଷର ସ୍ବାର୍ଥ ଏବଂ ସୁରକ୍ଷା କ୍ଷେତ୍ରରେ କୌଣସି ଆଲୋଚନାର ପ୍ରଶ୍ନ ଉଠୁନାହିଁ। ଡିଫେଣ୍ଡର୍‌ ଅଫ୍‌ ଦି ଫାଦରଲାଣ୍ଡ୍‌ ଡେ’ ଅବସରରେ ପୁଟିନ ଆଜି ଉଦ୍‌ବୋଧନ ଦେଇ କହିଛନ୍ତିକି, ଆମ ରାଷ୍ଟ୍ର କୌଣସି ଜଟିଳ ସମସ୍ୟାର କୂଟନୈତିକ ସମାଧାନ ପାଇଁ ଉନ୍ମୁକ୍ତ। କିନ୍ତୁ ରୁଷର ସ୍ବାର୍ଥ ଏବଂ ନାଗରିକମାନଙ୍କ ସୁରକ୍ଷାରେ କୌଣସି ପ୍ରକାର ସାଲିସ ଆଦୌ କରାଯାଇପାରିବନି। ରୁଷର ସ୍ବାର୍ଥ ଏବଂ ନାଗରିକମାନଙ୍କ ସୁରକ୍ଷାକୁ ନେଇ ଆମେ କାହା ସହିତ ଆଲୋଚନା ଚାହୁନାହୁଁ ବୋଲି ପୁଟିନ କହିଛନ୍ତି।

ୟୁକ୍ରେନ୍‌ ସଙ୍କଟର ସମାଧାନକୁ ବାଟ ଖୋଜିବା ପରିବର୍ତ୍ତେ ଆମେରିକା ଏହି ପ୍ରସଙ୍ଗରେ କେବଳ ଭୟ ଓ ଆତଙ୍କ ସୃଷ୍ଟି କରିଚାଲିଛି ବୋଲି ଚୀନ୍‌ କହିଛି। ଆମେରିକା ଓ ଅନ୍ୟ କେତେକ ରାଷ୍ଟ୍ର ରୁଷ ବିରୋଧରେ ଏକାପାଖିଆ କଟକଣାକୁ ଲାଗୁ କରିଛନ୍ତି, ତାହା କୌଣସି ଦୃଷ୍ଟିରୁ ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ ଚୀନ ଦୃଢ଼ ବିରୋଧ କରୁଅଛି। ୟୁକ୍ରେନକୁ ଆମେରିକା ଅସ୍ତ୍ର ଯୋଗାଇ ରୁଷରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ପ୍ରୟାସ କରିଛି ଏବଂ ଏହି ଅନର୍ଥ ପଛରେ ଆମେରିକାର ଅଧିକ ଭୂମିକା ରହିବ ବୋଲି ଚୀନର ବୈଦେଶିକ ବିଭାଗର ମୁଖପାତ୍ର କହିଛନ୍ତି।

odia sambada
Comments (0)
Add Comment