ନିର୍ବାଚନ ମଧ୍ୟ ଆପଣମାନଙ୍କ ପାଇଁ ଏକ ବଡ ଆଶ୍ୱସ୍ତି ଆଣିପାରେ, ଏହା ବୋଧହୁଏ ଆପଣ କେବେବି ଚିନ୍ତା କରିନଥିବେ। କିନ୍ତୁ ଏହି ନିର୍ବାଚନ ପାଇଁ ଆପଣଙ୍କର ପକେଟ ଉପରେ ବେଶି ଚାପ ପଡୁନାହିଁ। ୟୁପି, ପଞ୍ଜାବ ଭଳି ରାଜ୍ୟରେ ନିର୍ବାଚନ ପାଇଁ ପେଟ୍ରୋଲ ଦର ବର୍ତ୍ତମାନ ସ୍ଥିର ରହିଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ଦର ବଢିଚାଲିଥିଲେ ମଧ୍ୟ ଜନତାଙ୍କ ଉପରେ କୌଣସି ପ୍ରକାର ବୋଝ ବଢିବା ଆଶଙ୍କାରେ ତେଲ ଦର ସରକାର ବଢାଉ ନାହାନ୍ତି।
ଦେଶର ୫ଟି ରାଜ୍ୟରେ ନିର୍ବାଚନ ତାରିଖ ଘୋଷଣା ହେବା ପରଠାରୁ ତେଲର ଦର ସ୍ଥିର ରହିଛି। ଭାରତୀୟ ତୈଳ କମ୍ପାନୀ ଜନମତ ପ୍ରଭାବିତ ହେବା ଭୟରେ ଓ ସରକାରଙ୍କ ଚାପରେ ଦର ବଢାଇ ପାରୁ ନାହାନ୍ତି। ଆଉ ଏହା ସାଧାରଣ ଲୋକମାନଙ୍କୁ ମହଙ୍ଗା ମାଡରୁ ଆଶ୍ୱସ୍ତି ଆଣି ଦେଇଛନ୍ତି। ସେପଟେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଲ ଦରର ମୂଲ୍ୟ ଲଗାତାର ବଢୁଛି।
ଭାରତୀୟ ତୈଲ କମ୍ପାନୀ ଏପଟେ ନିର୍ବାଚନ ଚାପରେ ଦର ବଢାଇନପାରି କ୍ଷତି ସହୁଛନ୍ତି। ତେଣୁ ୫ଟି ରାଜ୍ୟର ନିର୍ବାଚନ ଫଳ ପରେ ଅର୍ଥାତ୍ ମାର୍ଚ୍ଚରେ ପୁଣି ତୈଲ ଦର ବଢିବା ବଜାର ବିଶେଷଜ୍ଞ ଅନୁମାନ କରୁଛନ୍ତି। ପାଖାପାଖି ଲିଟର ପିଛା ୬ ରୁ ୧୦ ଟଙ୍କା ବଢିବ ବୋଲି ଏଥିରେ ଅନୁମାନ କରାଯାଉଛି।
ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଲର ଦର ବର୍ତ୍ତମାନ ବ୍ୟାରେଲ ପିଛା ୯୩ ରୁ ୯୫ ଡଲାର ରହିଛି। ୟୁକ୍ରେନ ଓ ରୁଷ ମଧ୍ୟରେ ଯୁଦ୍ଧର ପରିସ୍ଥିତି ଯୋଗୁଁ ଅଶୋଧିତ ତୈଲ ଦର ବଢିଚାଲିଥିବା ଅର୍ଥନୀତି ବିଶେଷଜ୍ଞ କହୁଛନ୍ତି।
ୟୁକ୍ରେନ ଓ ରୁଷ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଲାଗି ରହିଲେ, ମାର୍ଚ୍ଚରେ ପୁଣି ଅଶୋଧିତ ତୈଲର ଦର ବଢିବ ଏବଂ ଏହାର ସିଧାସଳଖ ପ୍ରଭାବ ଭାରତରେ ଦେଖା ଦେବ ବୋଲି ଚର୍ଚ୍ଚା ହେଉଛି। ଅବଶ୍ୟ ରୁଷ ସୈନ୍ୟ ଫେରାଇବା ନେଇ ପଦକ୍ଷେପ ନେବା ପରେ ଏହି ଯୁଦ୍ଧର ଆଶଙ୍କା କମିଯାଇଛି।
ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ଦର ବ୍ୟାରେଲ ପିଛା ଏକ ଡଲାର ବଢିଲେ ଭାରତରେ ଲିଟର ପିଛା ଏହାର ଦର ୫୦ ପଇସା ବଢିଥାଏ। କିନ୍ତୁ ଦିପାବଳୀ ପରଠାରୁ ଅଶୋଧିତ ତୈଳର ଦର ୨୫ ଡଲାର ବଢିଲାଣି କିନ୍ତୁ ଦେଶରେ ବର୍ତ୍ତମାନ ପେଟ୍ରୋଲ ଓ ଡିଜେଲର ଦର ସ୍ଥିର ରହିଛି।