ହୋଇଯାନ୍ତୁ ସାବଧାନ ! ଅଫିସ୍ରେ ବ୍ୟକ୍ତିଗତ କାମ ପାଇଁ ମୋବାଇଲ୍ ଫୋନ ବ୍ୟବହାର କରନ୍ତୁ ନାହି,ଚାକିରି ଚାଲି ଯାଇପାରେ…
ଆପଣଙ୍କର ଅଫିସରେ ବସି ନିଜର ବ୍ୟକ୍ତିଗତ କାମ କରିବା ବର୍ତ୍ତମାନ ଆପଣଙ୍କୁ ବହୁତ ମାତ୍ରାରେ ଭାରୀ ପଡ଼ିପାରେ। ଏଥିପାଇଁ ଆପଣଙ୍କ ଚାକିରି ମଧ୍ୟ ଚାଲି ଯାଇପାରେ। ବାସ୍ତବରେ, ତାମିଲନାଡ଼ୁର ଏକ କୋର୍ଟ କହିଛନ୍ତିଯେ ସରକାରୀ କର୍ମଚାରୀମାନେ ଅଫିସ କାର୍ଯ୍ୟ ସମୟରେ ନିଜର ବ୍ୟକ୍ତିଗତ କାମ ପାଇଁ ମୋବାଇଲ ଫୋନକୁ ବ୍ୟବହାର କରିବା ଉଚିତ ନୁହେଁ। ଏତିକି ନୁହେଁ, କୋର୍ଟ ଏ ବିଷୟରେ ୪ ସପ୍ତାହ ମଧ୍ୟରେ ନିୟମ କାନୁନ କରିବାକୁ ମଧ୍ୟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ମାମଲାଟି ତାମିଲନାଡ଼ୁ ମଦୁରୈର ଅଟେ। ଏଠାରେ ମଦ୍ରାସ୍ ହାଇକୋର୍ଟଙ୍କର ବେଞ୍ଚ ଜଣେ ସରକାରୀ କର୍ମଚାରୀଙ୍କ ଆବେଦନ ଉପରେ ଶୁଣାଣି କରି ଏହି ବିଷୟରେ ଆଦେଶ ଦେଇଛନ୍ତି। ସ୍ୱାସ୍ଥ୍ୟ ବିଭାଗର ଜଣେ ମହିଳା କର୍ମଚାରୀ ଏହି ପିଟିସନକୁ ଦାଖଲ କରିଥିଲେ। ଏଠାରେ କିଛି କର୍ମଚାରୀଙ୍କୁ ଅଫିସରେ କାମ କରିବା ସମୟରେ ମୋବାଇଲ ଫୋନକୁ ବ୍ୟବହାର କରୁଥିବାର ଦେଖା ଯାଇଥିଲା। ଏହାପରେ ସେହି କର୍ମଚାରୀମାନଙ୍କୁ ବିଭାଗ ନିଲମ୍ବିତ କରି ଦେଇଥିଲା। ଏହା ବିରୋଧରେ ସେମାନେ କୋର୍ଟରେ ପିଟିସନ ଦାଖଲ କରି ଦାବି କରିଥିଲେକି, ସେମାନଙ୍କର ନିଲମ୍ବନ ଆଦେଶକୁ ରଦ୍ଦ କରିଦିଆଯାଉ।
ଅନ୍ୟପଟେ ପିଟିସନର ଶୁଣାଣି କରିବାକୁ ଯାଇ ଜଷ୍ଟିସ ଏସଏମ ସୁବ୍ରମଣ୍ୟମ ମାମଲାକୁ ବିସ୍ତାର ରୂପରେ ଜାଣିବା ପାଇଁ ହିଁ ମନା କରି ଦେଇଥିଲେ। ସେ କହିଥିଲେକି, ଅଫିସରେ ଏହି ସମସ୍ୟା ବର୍ତ୍ତମାନ ସାଧାରଣ ହୋଇଗଲାଣି। ସରକାରୀ କର୍ମଚାରୀମାନେ ଅଫିସର କାମ ସମୟରେ ବ୍ୟକ୍ତିଗତ କାମ ପାଇଁ ନିଜର ମୋବାଇଲ ଫୋନ ବ୍ୟବହାର କରୁଛନ୍ତି। ଏହା ଏକ ଭଲ ଚଳଣୀ ନୁହେଁ। ଅନ୍ତତଃ, ସରକାରୀ କର୍ମଚାରୀମାନଙ୍କୁ ଏଥିପାଇଁ ଆଦୌ ଅନୁମତି ଦେବା ଉଚିତ ନୁହେଁ। ଏଥିସହିତ କୋର୍ଟରେ ପିଟିସନ ଦାଖଲ କରିଥିବା କର୍ମଚାରୀମାନଙ୍କୁ ଆଶ୍ୱସ୍ତି ଦେବା ପାଇଁ ମନା କରି ଦେଇଥିଲେ।