କରୋନା ଚତୁର୍ଥ ଲହର ଆସିବ,କିନ୍ତୁ କିଛି ପ୍ରଭାବ ରହିବ ନାହିଁ !

0

Get real time updates directly on you device, subscribe now.

କରୋନାର ଚତୁର୍ଥ ଲହର ଓଡ଼ିଶାକୁ ଆସିପାରେ। ଏହି ଲହର ସଂପୂର୍ଣ୍ଣ ଭାବରେ ଓମିକ୍ରନ ଜନିତ ହେବ। ବର୍ତ୍ତମାନ ସମୟରେ ଚାଲିଥିବା ତୃତୀୟ ଲହର ମୁଖ୍ୟତଃ ଡେଲ୍‌ଟା ଓ ଅଳ୍ପ କିଛି ଓମିକ୍ରନ୍ ପାଇଁ ହୋଇଛି। ଚଳିତ ମାସ ଶେଷ ଆଡ଼କୁ ରାଜ୍ୟରେ ଓମିକ୍ରନ୍ ପ୍ରାୟତଃ ଡେଲ୍‌ଟାକୁ ଅପସାରଣ କରିବ ବୋଲି ଅନୁମାନ କରାଯାଉଛି। ତେଣୁ ରାଜ୍ୟର କିଛି ଅଞ୍ଚଳରେ ଓମିକ୍ରନ ଜନିତ ଚତୁର୍ଥ ଲହରର ସାମ୍ନା କରିପାରେ ବୋଲି ସରକାରୀ ସ୍ତରରେ ବର୍ତ୍ତମାନ ଆଲୋଚନା ଚାଲିଛି। ଏହି ଲହର କମ ସମୟ ଓ କିଛି ନିର୍ଦ୍ଦିଷ୍ଟ ‌ଅଞ୍ଚଳ ମଧ୍ୟରେ ହୋଇପାରେ। ତେବେ ଏଥିପାଇଁ ପ୍ରସ୍ତୁତ ରହିବା ପାଇଁ ଜିଲ୍ଲାମାନଙ୍କୁ ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ସତର୍କ କରାଇଛନ୍ତି ବୋଲି ଅତି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।

ଗତବର୍ଷ ଡିସେମ୍ବର ଶେଷ ସପ୍ତାହରେ ରାଜ୍ୟରେ ତୃତୀୟ ଲହର ଆରମ୍ଭ ହୋଇ ଯାଇଥିଲା। ବହୁ ସଂଖ୍ୟାରେ ବିଦେଶ ଫେରନ୍ତା ନିଜ ନିଜର ଘରକୁ ଫେରିବା ପରେ ସଂକ୍ରମଣ ସଂଖ୍ୟା ଆହୁରି ବଢ଼ି ଯାଇଥିଲା। ଆରମ୍ଭରୁ ବିଦେଶ ଫେରନ୍ତାଙ୍କଠାରେ କରୋନାର ନୂଆ ପ୍ରଜାତି ଓମିକ୍ରନକୁ ଚିହ୍ନଟ କରାଯାଇଥିଲା। ପରବର୍ତୀ ସମୟରେ ଗୋଷ୍ଠୀସ୍ତରରୁ ମଧ୍ୟ ଓମିକ୍ରନର ଆକ୍ରାନ୍ତ ବାହାରିଥିଲେ। ରାଜ୍ୟରେ କିଛି ଦିନ ପୂର୍ବରୁ ଯେଉଁ ଜିନୋମ ସିକ୍ବେନ୍ସିଂ ହୋଇଥିଲା, ସେଥିରେ ୬୦ ପ୍ରତିଶତ ପର୍ଯ୍ୟନ୍ତ ଓମିକ୍ରନ ଆକ୍ରାନ୍ତ ଗୋଷ୍ଠୀସ୍ତରରୁ ଚିହ୍ନଟ ହୋଇଥିଲେ। ଏହା ସହିତ ରାଜ୍ୟ ସରକାର ଓମିକ୍ରନ୍ ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ପାଇଁ ଓମିସିଓର କିଟ୍‌ ମଧ୍ୟ ଆଣିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ଯେତିକି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ସେଥିରେ ମଧ୍ୟ ଓମିକ୍ରନ୍ ସଂପୂର୍ଣ୍ଣ ଭାବରେ ଡେଲ୍‌ଟାକୁ ଅପସାରଣ କରିଥିବାରୁ ବିଶେଷ ପ୍ରମାଣ ମିଳୁନାହିଁ। କେଉଁ ଜିଲ୍ଲାରେ ଏହାର ୮୦ ପ୍ରତିଶତ ମିଳୁଛି ତ ଆଉ କେଉଁ ଜିଲ୍ଲାରେ ୨୦ ପ୍ରତିଶତ ରହିଛି। ତେଣୁ ବର୍ତ୍ତମାନ ରାଜ୍ୟରେ ଚାଲିଥିବା ତୃତୀୟ ଲହର ଓମିକ୍ରନ୍ ପାଇଁ ନୁହେଁ, ବରଂ ଡେଲ୍‌ଟା ଯୋଗୁଁ ଚାଲିଛି ବୋଲି ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ ବିଚାର କରୁଛନ୍ତି।

ବିଭାଗୀୟ ଅଧିକାରୀଙ୍କର ଯୁକ୍ତି ହେଉଛିଯେ ରାଜ୍ୟରେ ବ୍ୟାପକ ଟିକାକରଣ ହୋଇଛି। ଏହା ସହିତ ଅନେକ ବୁଷ୍ଟର ଡୋଜ ମଧ୍ୟ ନେଇଛନ୍ତି। ଏ ଦୃଷ୍ଟିରୁ ଦ୍ବିତୀୟ ଲହର ଭଳି ତୃତୀୟ ଲହରରେ ଡେଲ୍‌ଟା ଏତେଟା ପ୍ରଭାବଶାଳୀ ହୋଇପାରିନାହିଁ। ପୂର୍ବରୁ ଯେତିକି ଜିନୋମ ସିକ୍ବେନ୍ସିଂ ହୋଇଛି ଓ ଓମିସିଓର କିଟ୍‌‌ରୁ ଯାହା ସବୁ ତଥ୍ୟ ମିଳିଛି, ଏଥିରେ ବହୁ ତାରତମ୍ୟ ରହିଛି। ରାଜ୍ୟରେ ଏ ଦୃଷ୍ଟିରୁ ଓମିକ୍ରନ୍ ସଂପୂର୍ଣ୍ଣ ଭାବରେ ଡେଲ୍‌ଟାକୁ ଅପସାରଣ କରିବା ପରେ ହୁଏତ ଆଉ ଏକ ଓମିକ୍ରନ ଜନିତ ଲହର ଆସିପାରେ। କେରଳରେ ଏକାଧିକ ଲହର ଦେଖିବା ପାଇଁ ମିଳିଛି। ୟୁରୋପୀୟ ଦେଶଗୁଡ଼ିକରେ ମଧ୍ୟ ଏକାଧିକ ଲହର ଆରମ୍ଭ ହୋଇଗଲାଣି। ତେଣୁ ଯଦିବା ଲହର ଆସିବ, ତାହା ବହୁତ କମ୍ ସମୟ ଓ କିଛି ନିର୍ଦ୍ଦିଷ୍ଟ ଜିଲ୍ଲାରେ ସୀମିତ ରହିପାରେ। ମାତ୍ର ଏହା କେବେ ଆସିବ ତାହା ବର୍ତ୍ତମାନ କହିବା କଷ୍ଟ। ଯେଉଁମାନେ କରୋନାରେ ଆକ୍ରାନ୍ତ ହେଉଛନ୍ତି, କିଛି ମାସ ପରେ ସେମାନଙ୍କ ଆଣ୍ଟିବଡି ହ୍ରାସ ପାଉଥିବାର ପ୍ରମାଣ ମିଳିଛି। ଏପରିକି ଟିକାର ମଧ୍ୟ କିଛି ମାସରେ ପ୍ରଭାବ କମୁଥିବାରୁ ବୁଷ୍ଟର ଡୋଜର ଆବଶ୍ୟକତା ପଡ଼ୁଛି ବୋଲି ଅଧିକାରୀଜଣକ ନିଜର ମତ ଦେଇଛନ୍ତି।

ଆଇସିଏମ୍‌ଆରର ପୂର୍ବତନ ଉପଦେଷ୍ଟା ଡା. ତ୍ରିଭୁବନ ମହାପାତ୍ର କହିଛନ୍ତିଯେ ଓମିକ୍ରନ୍‌ର ପ୍ରତିଶତ ବଢ଼ିଲେ ମଧ୍ୟ ଡେଲ୍‌ଟା ପ୍ରଜାତି ନିଶ୍ଚିତ ରହିବ। ଆଗକୁ ଯଦି ଓମିକ୍ରନ୍‌ର ଉପ-ପ୍ରଜାତି ବିଏ.୨ ଆସେ, ତେବେ ଓମିକ୍ରନ୍‌, ବିଏ.୨ ଓ ଡେଲ୍‌ଟା ମଧ୍ୟରେ ସଂକ୍ରମଣ ନେଇ ପ୍ରତିଯୋଗିତା ହୋଇପାରେ। ତେବେ ଏକ ବଡ଼ଧରଣର ଲହର ଆସିବାର ଆଶଙ୍କା କମ୍ ବୋଲି ଡା. ମହାପାତ୍ର କହିଛନ୍ତି।

ଏଆଇପିଏଚ୍‌ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଏ.ପି ଦାଶ କହିଛନ୍ତିଯେ କୋଭିଡ ସବୁବେଳ ପାଇଁ ଆମ ସହ ରହିବ। ତେବେ ବ୍ୟାପକ ଟିକାକରଣ ଓ ବୁଷ୍ଟର ଡୋଜ ଦିଆଯାଇଥିବାରୁ ସଂକ୍ରମଣ ଏତେ ମାତ୍ରାରେ ବଡ଼ଧରଣର ହୋଇନପାରେ। ଯଦି ବା ହେବ, କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ଏହା ସୀମିତ ରହିବ ବୋଲି ପ୍ରଫେସର ଦାଶ କହିଛନ୍ତି।

ଅପରପକ୍ଷରେ ଲଗାତାର ଦ୍ବିତୀୟ ଦିନ ଲାଗି ରାଜ୍ୟରେ ସଂକ୍ରମଣ ୨ହଜାର ଉପରେ ସ୍ଥିର ରହିଛି। ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ୨୬୦୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଧା ୪୪୪, ସୁନ୍ଦରଗଡ଼ ୨୦୪, କଟକ ୨୦୫, ଅନୁଗୁଳ ୧୦୨, ଯାଜପୁର ୧୩୩, ମୟୂରଭଞ୍ଜ ୧୦୪ ଓ ଷ୍ଟେଟ୍‌ ପୁଲରୁ ୧୦୦ ଜଣଙ୍କୁ ଚିହ୍ନଟ କରାଯାଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୬୪ହଜାର ୭୦୫କୁ ବୃଦ୍ଧି ପାଇଛି। ରାଜ୍ୟରେ କରୋନାର ମୃତ୍ୟୁ ପୂର୍ବ ପରି ଜାରି ରହିଛି। ଆଉ ୨୨ଜଣ କରୋନାରେ ପ୍ରାଣ ହରାଇଥିବାର ନେଇ ସରକାରୀ ଘୋଷଣା ହୋଇଛି। ଫଳରେ ରାଜ୍ୟରେ ‌ସମୁଦାୟ କ‌ରୋନା ମୃତ୍ୟୁ ସଂଖ୍ୟା ୮୭୧୧କୁ ବୃଦ୍ଧି ପାଇଛି।

Leave A Reply

Your email address will not be published.