୪୯୦୦୦ ଟଙ୍କାର କୁଣ୍ଡଳ, ୨୦୦୦୦ ଟଙ୍କାର ପିନ୍ଧିଛନ୍ତି ରୁଦ୍ରାକ୍ଷ ମାଳା…ଜାଣନ୍ତୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କେତେ ସଂପତ୍ତିର ମାଲିକ ?
ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଥମ ଥର ପାଇଁ ବିଧାନସଭାର ନିର୍ବାଚନ ଲଢିବା ପାଇଁ ଯାଉଛନ୍ତି। ଏହି କ୍ରମରେ ସେ ଶୁକ୍ରବାର ଦିନ ଗୋରଖପୁରରେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାମାଙ୍କନ ସମୟରେ ଦାଖଲ କରିଥିବା ସତ୍ୟପାଠରେ ସେ ନିଜର ସମ୍ପତ୍ତି ବିଷୟରେ ସଂପୂର୍ଣ୍ଣ ତଥ୍ୟ ଦେଇଛନ୍ତି। ସତ୍ୟପାଠ ଅନୁସାରେ, ବର୍ତ୍ତମାନ ତାଙ୍କ ନିକଟରେ ସମୁଦାୟ ୧.୫୪ କୋଟି ଟଙ୍କାର ସଂପତ୍ତି ରହିଛି। ଯୋଗୀ ଦର୍ଶାଇ କହିଛନ୍ତିଯେ, ତାଙ୍କ ବିରୁଦ୍ଧରେ କୌଣସି ଅପରାଧିକ ମାମଲା ମଧ୍ୟ ନାହିଁ।
ସତ୍ୟପାଠ ଅନୁସାରେ, ଯୋଗୀଙ୍କ ନିକଟରେ ଥିବା ମୋଟ ସମ୍ପତ୍ତିର ମୂଲ୍ୟ ୧ କୋଟି ୫୪ ଲକ୍ଷ ୯୪ ହଜାର ୫୪ ଟଙ୍କା। ତାଙ୍କ ନିକଟରେ ନଗଦ ଏକ ଲକ୍ଷ ଟଙ୍କା ଅଛି। ଏହା ପୂର୍ବରୁ ଯୋଗୀ ୨୦୧୭ ମସିହାରେ ବିଧାନ ପରିଷଦ ନିର୍ବାଚନ ଲଢିଥିଲେ। ସେହି ସମୟରେ ତାଙ୍କ ନିକଟରେ ୯୫.୯୮ ଲକ୍ଷ ଟଙ୍କା ଅଛି ବୋଲି ସେ ସତ୍ୟପାଠରେ ଦର୍ଶାଇଥିଲେ। ତେବେ ଏହି ପାଞ୍ଚ ବର୍ଷ ମଧ୍ୟରେ ତାଙ୍କ ସମ୍ପତ୍ତିରେ ୬୦ ଲକ୍ଷ ଟଙ୍କା ପର୍ଯ୍ଯନ୍ତ ବୃଦ୍ଧି ଘଟିଛି।
– ମୁଖ୍ୟମନ୍ତ୍ରୀ ଯୋଗୀଙ୍କର ଦିଲ୍ଲୀ, ଲକ୍ଷ୍ନୌ ଏବଂ ଗୋରଖପୁରରେ ୬ଟି ସ୍ଥାନରେ ଅଲଗା ଅଲଗା ବ୍ୟାଙ୍କରେ ୧୧ଟି ଆକାଉଣ୍ଟ ରହିଛି। ଏହି ସବୁ ଆକାଉଣ୍ଟରେ ସମୁଦାୟ ୧ କୋଟି ୧୩ ଲକ୍ଷ ୭୫ ହଜାର ଟଙ୍କା ରହିଛି।
– ମୁଖ୍ୟମନ୍ତ୍ରୀ ଯୋଗୀଙ୍କର ଜମି କିମ୍ଵା ଘର ନାହିଁ। ମାତ୍ର ତାଙ୍କ ନିକଟରେ ନ୍ୟାସନାଲ ସେଭିଂ ସ୍କିମ ଏବଂ ବୀମା ପଲିସି ଜରିଆରେ ୩୭.୫୭ ଲକ୍ଷ ଟଙ୍କା ଅଛି।
– ଯୋଗୀ ଆଦିତ୍ୟନାଥଙ୍କ ନିକଟରେ ୪୯ ହଜାର ଟଙ୍କାର ସୁନାର କୁଣ୍ଡଳ ମଧ୍ୟ ରହିଛି। ଏହାର ଓଜନ ୨୦ ଗ୍ରାମ। ଏଥିସହିତ ଯୋଗୀ ସୁନାର ଚେନରେ ରୁଦ୍ରାକ୍ଷ ମାଳା ପିନ୍ଧନ୍ତି। ଏହାର ମୂଲ୍ୟ ୨୦ ହଜାର ଟଙ୍କା ଏବଂ ଓଜନ ୧୦ ଗ୍ରାମ।
– ଯୋଗୀଙ୍କ ନିକଟରେ ବର୍ତ୍ତମାନ ସୁଦ୍ଧା ୧୨ ହଜାର ଟଙ୍କାର ଏକ ମୋବାଇଲ ଫୋନ ରହିଛି। ଗତଥର ଯୋଗୀଙ୍କ ନିକଟରେ ଦୁଇଟି କାର ଥିଲା। କିନ୍ତୁ ଏଥର ତାଙ୍କ ପାଖରେ ଗୋଟିଏ ହେଲେ କାର ନଥିବାର ସେ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି।
– ଯୋଗୀ ନିଜ ପାଖରେ ବନ୍ଧୁକ ମଧ୍ୟ ରଖିଥାନ୍ତି। ତାଙ୍କ ନିକଟରେ ୧ ଲକ୍ଷ ଟଙ୍କାର ରିଭଲବର ଏବଂ ୮୦ ହଜାର ଟଙ୍କାର ରାଇଫଲ ଅଛି।
ଯୋଗୀ ପ୍ରଥମ ଥର ବିଧାନସଭା ନିର୍ବାଚନ ଲଢୁଛନ୍ତି:-
– ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଥମ ଥର ପାଇଁ ବିଧାନସଭାର ନିର୍ବାଚନ ଲଢିବା ପାଇଁ ଯାଉଛନ୍ତି। ୧୯୭୨ ଜୁନ ୫ ତାରିଖରେ ଜନ୍ମଗ୍ରହଣ କରିଥିବା ଯୋଗୀ ପ୍ରଥମ ଥର ନିର୍ବାଚନ ୨୬ବର୍ଷ ବୟସରେ ଲଢିଥିଲେ।
– ଯୋଗୀ ୧୯୯୮ ମସିହାରେ ପ୍ରଥମ ଥର ଗୋରଖପୁରରୁ ଲୋକସଭା ନିର୍ବାଚନ ଲଢି ଜିତିଥିଲେ। ଏହା ପରେ ସେ ୧୯୯୯, ୨୦୦୪, ୨୦୦୯ ଏବଂ ୨୦୧୪ ମସିହାରେ କ୍ରମାଗତ ୫ ଥର ସାଂସଦ ହୋଇ ଲୋକସଭାକୁ ନିର୍ବାଚିତ ହୋଇ ସାରିଛନ୍ତି।
– ୨୦୧୭ ମସିହାରେ ଯୋଗୀ ଆଦିତ୍ୟନାଥ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀର ଦାୟିତ୍ଵ ଗ୍ରହଣ କରିଥିଲେ। ଏହା ପରେ ସେ ସାଂସଦ ପଦରୁ ଇସ୍ତଫା ଦେଇ ବିଧାନ ପରିଷଦର ସଦସ୍ୟ ଭାବରେ ନିର୍ବାଚିତ ହୋଇଥିଲେ।