ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟାର ମାମଲା ଧୀରେ ଧୀରେ ହ୍ରାସ ପାଉଥିବାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଶିକ୍ଷାନୁଷ୍ଠାନରେ ପାଠପଢ଼ାକୁ ସ୍ୱାଭାବିକ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ସୋମବାର ଦିନ ଅର୍ଥାତ ୭ତାରିଖରୁ ଅଷ୍ଟମ ଶ୍ରେଣୀ ଓ ତଦୁର୍ଦ୍ଧ୍ୱ ଶ୍ରେଣୀର ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିବାକୁ ଯାଉଛି। ସେଥିରେ ଉଚ୍ଚଶିକ୍ଷା ବିଭାଗ ସମେତ ଟେକ୍ନିକାଲ, ମେଡିକାଲ ଓ ପ୍ରଫେସନାଲ ଆଦି ଶିକ୍ଷାନୁଷ୍ଠାନଗୁଡ଼ିକୁ ମଧ୍ୟ ସାମିଲ କରାଯାଇଛି। ଏହାସହ ୧୪ତାରିଖରୁ କେଜିରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ସ୍କୁଲରେ ପାଠପଢ଼ା ଆରମ୍ଭ ହେବ। ଏହି ପାଠପଢ଼ା ଅନଲାଇନ/ଅଫଲାଇନ ମାଧ୍ୟମରେ ହୋଇପାରିବ। ଶିକ୍ଷାନୁଷ୍ଠାନ ସହିତ ଜଡ଼ିତ ଥିବା ବିଭାଗଗୁଡ଼ିକ ସ୍ୱତନ୍ତ୍ର ଭାବରେ ନିଜ ନିଜର ଗାଇଡଲାଇନ ଜାରି କରିପାରିବେ।
ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ର ଆଜି ଗଣମାଧ୍ୟମକୁ ଏହି ବିଷୟରେ ସୂଚନା ଦେଇ କହିଛନ୍ତିକି, ରାଜ୍ୟରେ ୨ବର୍ଷ ଧରି କୋଭିଡର ପରିସ୍ଥିତି ଯୋଗୁ ଶିକ୍ଷାନୁଷ୍ଠାନ ଗୁଡିକରେ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି। କୋଭିଡର ୩ଟି ଲହରୀ ଯୋଗୁ ପିଲାମାନଙ୍କର ଦୁଇବର୍ଷ ହେଲାଣି ସ୍କୁଲ ଯାଇପାରୁନାହାନ୍ତି। ତୃତୀୟ ପର୍ଯ୍ୟାୟରେ ଓମିକ୍ରନର ଲହରୀ ପାଇଁ ଗତ ଏକମାସ ଧରି ଶିକ୍ଷାନୁଷ୍ଠାନଗୁଡିକ ବନ୍ଦ ରହିଛି। ତେବେ ବର୍ତ୍ତମାନ ତୃତୀୟ ପର୍ଯ୍ୟାୟ ପିକରେ ପହଚିଂ ସାରିଥିବା ତଥା ଏହାର ସଂକ୍ରମଣ ଧୀରେ ଧୀରେ କମ ଥିବା କାରଣରୁ ସରକାର ବର୍ତ୍ତମାନ ଶିକ୍ଷାନୁଷ୍ଠାନଗୁଡ଼ିକୁ ଖୋଲି ପାଠପଢ଼ା ସ୍ୱାଭାବିକ କରିବା ପାଇଆନ ନିଷ୍ପତ୍ତି ନେଇଛନ୍ତି।
ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିବା ପାଇଁ ବିଭିନ୍ନ ବର୍ଗରୁ ଚାପ ବହୁତ ପଡ଼ୁଥିଲା। ଏହା ସହିତ ୧୫ ରୁ ୧୮ବର୍ଷ ବୟସର ପିଲାମାନଙ୍କୁ ଟିକାକରଣ ମଧ୍ୟ ବ୍ୟାପକ ଭାବରେ ହୋଇସାରିଛି। ପିଲାମାନଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ଆସନ୍ତା ସୋମବାର ଦିନ ଠାରୁ ଅଷ୍ଟମ ଶ୍ରେଣୀ ଓ ତଦୁର୍ଦ୍ଧ୍ୱ ପିଲାଙ୍କର ପାଠପଢ଼ା ସ୍ୱାଭାବିକ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଉଚ୍ଚଶିକ୍ଷା ବିଭାଗ, ସ୍କୁଲ ଓ ଗଣଶିକ୍ଷା ବିଭାଗ, ଦକ୍ଷତା ଓ ବୈଷୟିକ ଶିକ୍ଷା ବିଭାଗ, କୃଷି ବିଭାଗ, ସାମାଜିକ ସଶକ୍ତିକରଣ ବିଭାଗ, ଅନୁସୂଚିତ ଜାତି ଜନଜାତି ବିଭାଗ, ସ୍ୱାସ୍ଥ୍ୟ ବିଭାଗ ସମେତ ଅନ୍ୟାନ୍ୟ ବିଭାଗ ଅଧୀନରେ ଥିବା ଶିକ୍ଷାନୁଷ୍ଠାନଗୁଡ଼ିକ ସ୍ୱାଭାବିକ ଭାବରେ ଖୋଲିବ। ଏହାସହ ସମସ୍ତ ହଷ୍ଟେଲଗୁଡିକ ମଧ୍ୟ ଖୋଲିଯିବ।
କେଜିରୁ ସପ୍ତମ ଶ୍ରେଣୀ ପିଲାମାନଙ୍କ ପାଇଁ ସ୍କୁଲ ଆସନ୍ତା ଫେବୃୟାରୀ ୧୪ ତାରିଖରୁ ଖୋଲିବ। କେଜିରୁ ନବମ ଶ୍ରେଣୀ ପିଲାମାନଙ୍କର କ୍ଲାସ ପ୍ରମୋସନ ପରୀକ୍ଷା ସହିତ ଦଶମ ଓ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା ମଧ୍ୟ ଯଥାବିଧି କରାଯିବ। ସ୍କୁଲଗୁଡ଼ିକ ଚାହିଁଲେ ପିଲାମାନଙ୍କର ପାଠ୍ୟକ୍ରମକୁ ଶେଷ କରିବା ପାଇଁ ଖରାଛୁଟିର ଅବଧି ହ୍ରାସ କରାଯାଇପାରିବ। କୋଭିଡର ଗାଇଡଲାଇନ ମଧ୍ୟରେ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ସମେତ ସମସ୍ତ ପ୍ରଫେସନାଲ ଶିକ୍ଷାନୁଷ୍ଠାନ ଓ ହଷ୍ଟେଲ ଖୋଲିବ ବୋଲି ମୁଖ୍ୟ ସଚିବ ଶ୍ରୀ ସୁରେଶ କୁମାର ମହାପାତ୍ର କହିଛନ୍ତି।