ଇଣ୍ଡିଆନ ପ୍ରିମିୟର ଲିଗ ପାଇଁ ଖେଳାଳିମାନଙ୍କର ନିଲାମର ତାଲିକା ଜାରି କରାଯାଇଛି। ଆଇପିଏଲ-୨୦୨୨ ମସିହାରେ ମୋଟ ୫୯୦ ଜଣ ଖେଳାଳିଙ୍କ ଉପରେ ନିଲାମ ଡକାଯିବ। ଏଥିରେ ଆଇପିଏଲର ୧୫ଶ ସଂସ୍କରଣକୁ ଭବ୍ୟ କରିବା ଉଦ୍ଦେଶ୍ୟରେ ବିସିସିଆଇ ଏକ ମେଗା ଅକ୍ସନ ଆୟୋଜନ କରିବା ପାଇଁ ଯାଉଛି। ଏଥର ଆଇପିଏଲ ନିଲାମ ଦୁଇଦିନ ଧରି ଚାଲିବ। ଫେବୃଆରୀ ମାସ ୧୨ ଓ ୧୩ ତାରିଖରେ ବେଙ୍ଗାଲୁରୁରେ ଖେଳାଳିଙ୍କର ନିଲାମ ହେବ।
ଆଇପିଏଲ ପାଇଁ ମୋଟ ୧୨୧୭ ଜଣ ଖେଳାଳିଙ୍କର ନାମକୁ ରେଜିଷ୍ଟର କରାଯାଇଥିଲା। ସେଥିମଧ୍ୟରୁ ୫୯୦ ଜଣଙ୍କୁ ଶର୍ଟ ଲିଷ୍ଟ ବା ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରାଯାଇଛି। ନିଲାମରେ ୩୭୦ ଜଣ ଭାରତୀୟ ଏବଂ ୨୨୦ ଜଣ ବିଦେଶୀ କ୍ରିକେଟର ମଧ୍ୟ ସାମିଲ ହେବେ। ସେଥିମଧ୍ୟରୁ ୨୨୮ ଜଣ କ୍ୟାପଡ ଖେଳାଳି ଏବଂ ୩୫୫ ଜଣ ଅନକ୍ୟାପଡ ଖେଳାଳି ସାମିଲ ଅଛନ୍ତି। ଏଥିରେ ସାତଜଣ ଖେଳାଳି ଆସୋସିଏଟ ଦେଶର ରହିଛନ୍ତି।
ଏ ବର୍ଷର ନିଲାମ ପାଇଁ ୨ କୋଟି ଟଙ୍କା ସର୍ବାଧିକ ରିଜର୍ଭ ଦର ଧାର୍ଯ୍ୟ କରାଯାଇଛି। ମୋଟ ୪୮ ଜଣ ଖେଳାଳି ଏହି ବ୍ରାକେଟରେ ନିଜକୁ ସାମିଲ କରିଛନ୍ତି। ଅନ୍ୟପକ୍ଷରେ ୨୦ ଜଣ ଖେଳାଳି ୧.୫ କୋଟି ଟଙ୍କାର ବ୍ରାକେଟରେ ସାମିଲ ଅଛନ୍ତି। ୩୪ ଜଣ ଖେଳାଳି ୧ କୋଟି ଟଙ୍କାର ରିଜର୍ଭ ପ୍ରାଇସରେ ସାମିଲ ଅଛନ୍ତି।
ବିସିସିଆଇ ଆଇପିଏଲର ଅକ୍ସନ୍ ପାଇଁ ୧୦ ମାର୍କି ଖେଳାଳିଙ୍କର ନାଁ ଘୋଷଣା କରିଛି। ସେଥିମଧ୍ୟରେ ଶିଖର ଧାୱନ, ମହମ୍ମଦ ଶାମି, ଫାଫ ଡୁପ୍ଲେସିସ୍, ଡେଭିଡ ୱାର୍ଣ୍ଣର୍, ପ୍ୟାଟ୍ କମିନ୍ସ, ଶ୍ରେୟସ ଅୟର, ଆର ଅଶ୍ୱିନ୍, କ୍ୱିଣ୍ଟନ୍ ଡି’କକ୍, କାଗିସୋ ରବାଡା ଓ ଟ୍ରେଣ୍ଟ ବୋଲ୍ଡ ସାମିଲ ରହିଛନ୍ତି। ସେହିପରି ଭାରତର ୟୁଜବେନ୍ଦ୍ର ଚହଲ, ଦୀପକ ଚହର, ଦିନେଶ କାର୍ତ୍ତିକ, ଈଶାନ କିଶନ, ଭୁବନେଶ୍ୱର କୁମାର, ଦେବଦତ୍ତ ପାଡିକଲ, କୃନାଲ ପାଣ୍ଡ୍ୟା, ହର୍ଷଲ୍ ପଟେଲ, ସୁରେଶ ରାଇନା, ଅମ୍ବାତି ରାୟୁଡୁ, ଶାର୍ଦ୍ଦୁଲ ଠାକୁର, ରବିନ୍ ଉଥାପ୍ପା ଓ ଉମେଶ ଯାଦବଙ୍କର ବେସ ପ୍ରାଇସ ମଧ୍ୟ ୨କୋଟି ଟଙ୍କା ରହିଛି।
ଈଶାନ୍ତ ଶର୍ମା ଓ ୱାଶିଂଟନ ସୁନ୍ଦରଙ୍କର ବେସ ପ୍ରାଇସ୍ ୧.୫ କୋଟି ଟଙ୍କା ଥିବା ସମୟରେ ଆଜିଙ୍କ୍ୟ ରାହାଣେ ଓ କୁଲଦୀପ ଯାଦବଙ୍କର ବେସ ପ୍ରାଇସ ୧ କୋଟି ଟଙ୍କା ଏବଂ ଚେତେଶ୍ୱର ପୂଜାରା ଓ ହନୁମା ବିହାରୀଙ୍କର ବେସ ପ୍ରାଇସ ୫୦ ଲକ୍ଷ ଟଙ୍କା ରଖାଯାଇଛି। ନିଲାମରେ ଭାରତୀୟ ଅଣ୍ଡର-୧୯ କ୍ରିକେଟ ଦଳର ଅଧିନାୟକ ୟଶ ଧୂଲ, ଭିକ୍କି ଓଟ୍ସୱାଲ ଓ ରାଜବର୍ଦ୍ଧନ ହଙ୍ଗରଗେକର ନିଲାମ ପ୍ରକ୍ରିୟାରେ ମଧ୍ୟ ସାମିଲ ହେବେ।
ବିଦେଶୀ ଖେଳାଳିଙ୍କ ମଧ୍ୟରେ ଅଷ୍ଟ୍ରେଲିଆର ସର୍ବାଧିକ ୪୭ ଜଣ ଏହି ନିଲାମରେ ସାମିଲ ହେବେ। ସେହିପରି ୱେଷ୍ଟଇଣ୍ଡିଜର ୩୪ ଜଣ, ଦକ୍ଷିଣ ଆଫ୍ରିକାର ୩୩ ଜଣ, ନ୍ୟୁଜିଲ୍ୟାଣ୍ଡର ୨୪ ଜଣ, ଇଂଲଣ୍ଡର ୨୪ ଜଣ, ଶ୍ରୀଲଙ୍କାର ୨୩ ଜଣ, ଆଫଗାନିସ୍ତାନର ୧୭ ଜଣ, ବାଂଲାଦେଶ ଓ ଆୟର୍ଲ୍ୟାଣ୍ଡର ୫ ଜଣ ଲେଖାଏ ଖେଳାଳି ସାମିଲ ହୋଇଛନ୍ତି। ସେହିପରି ନାମିବିଆର ୩ ଜଣ, ସ୍କଟଲ୍ୟାଣ୍ଡର ୨ ଜଣ, ଜିମ୍ବାୱେ, ନେପାଳ ଓ ଆମେରିକାର ଜଣେ ଲେଖାଏଁ ଖେଳାଳି ନିଲାମ ପ୍ରକ୍ରିୟାରେ ସାମିଲ ହେବେ।
ଆଇପିଏଲର ନିଲାମ ପାଇଁ ପଞ୍ଜାବ କିଙ୍ଗସର ପର୍ସରେ ସର୍ବାଧିକ ୭୨ କୋଟି ଟଙ୍କା ଅଛି। ଏହାବ୍ୟତୀତ ସନରାଇଜର୍ସ ହାଇଦ୍ରାବାଦ ପର୍ସରେ ୬୮ କୋଟି, ରାଜସ୍ଥାନ ରୟାଲ୍ସ ପର୍ସରେ ୬୨ କୋଟି, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପର୍ସରେ ୫୭ କୋଟି, ମୁମ୍ବାଇ ଇଣ୍ଡିଆନ୍ସ ପର୍ସରେ ୪୮, ଚେନ୍ନାଇ ସୁପର କିଙ୍ଗସ ପର୍ସରେ ୪୮ କୋଟି, କୋଲକାତା ନାଇଟ ରାଇଡର୍ସ ପର୍ସରେ ୪୭.୫୦ କୋଟି, ଲକ୍ଷ୍ନୌ ସୁପର ଜାଏଣ୍ଟସ ପର୍ସରେ ୫୯ କୋଟି ଓ ଅହମ୍ମଦାବାଦ ଦଳ ପର୍ସରେ ୫୨ କୋଟି ଟଙ୍କା ରହିଛି।
ଆଇପିଏଲର ଗୋଟିଏ ଦଳରେ ସର୍ବାଧିକ ୨୫ ଜଣ ଖେଳାଳି ରହିପାରିବେ। ଯେଉଁଥିରେ ସର୍ବାଧିକ ୮ଜଣ ବିଦେଶୀ ଖେଳାଳି ରହିବେ। ୧୦ ଟି ଦଳ ମୋଟ ୩୩ ଜଣ ଖେଳାଳିଙ୍କୁ ରିଟେନ ବା ଡ୍ରାଫ୍ଟ କରିଛନ୍ତି। ଅର୍ଥାତ ନିଲାମ ସମୟରେ ସର୍ବାଧିକ ୨୧୭ ଜଣ ଖେଳାଳିଙ୍କୁ ବିକ୍ରି ହୋଇପାରିବେ। କୋଲକାତା ୨ଟି ଓ ପଞ୍ଜାବ ଜଣେ ଲେଖାଏଁ ବିଦେଶୀ ଖେଳାଳିଙ୍କୁ ନିଲାମ ପୂର୍ବରୁ ଦଳରେ ରଖିଛି। ଅନ୍ୟ ସବୁ ଦଳ ଜଣେ ଲେଖାଏ ଖେଳାଳି ରଖିଛନ୍ତି। ନିଲାମରେ ସର୍ବାଧିକ ୭୦ଜଣ ବିଦେଶୀ ଖେଳାଳିଙ୍କୁ ଫ୍ରାଞ୍ଚାଇଜମାନେ କିଣିପାରିବେ।