ଧୋନୀଙ୍କ ପ୍ରଶଂସାରେ ରବି ଶାସ୍ତ୍ରୀ : କହିଲେ, ‘ଧୋନିଙ୍କ ଭଳି କ୍ରିକେଟର ଦେଖିନାହିଁ, ସଚିନ ବି ମାହୀଙ୍କ ସାମ୍ନାରେ ଫେଲ୍….
ଭାରତୀୟ କ୍ରିକେଟ ଦଳର ଏମିତି ଜଣେ ନାୟକ ଥିଲେ ଯାହାଙ୍କ ନେତୃତ୍ବରେ ଭାରତ ୩ଟି ଆଇସିସି ଟ୍ରଫିକୁ ଜିତିଥିଲା। ଭାରତୀୟ କ୍ରିକେଟ ଇତିହାସରେ ଏକମାତ୍ର ଅଧିନାୟକ ହେଉଛନ୍ତି ମହେନ୍ଦ୍ର ସିଂହ ଧୋନୀ, ଯିଏକି ଏଭଳି ରେକର୍ଡକୁ ହାସଲ କରି ପାରିଛନ୍ତି। ନିଜର ଶାନ୍ତ ସ୍ବଭାବ ତଥା ବିଚକ୍ଷଣ ରଣନୀତି ବଳରେ ବିପକ୍ଷ ଦଳର ମୁଣ୍ଡ ବିନ୍ଧାର କାରଣ ପାଲଟଥାନ୍ତି ଧୋନୀ। ଖେଳ ଜଗତର ଅନେକ କିମ୍ବଦନ୍ତୀ ତାଙ୍କର ପ୍ରଶଂସା କରିବା ପାଇଁ ଆଦୈ କୁଣ୍ଠାବୋଧ ପ୍ରକାଶ କରନ୍ତି ନାହିଁ।
ବର୍ତ୍ତମାନ ଭାରତୀୟ ଦଳର ପୂର୍ବତନ ମୁଖ୍ୟ କୋଚ ରବି ଶାସ୍ତ୍ରୀ ମଧ୍ୟ ଧୋନୀଙ୍କର ପ୍ରଶଂସା କରିଛନ୍ତି। ଶାସ୍ତ୍ରୀ କହିଛନ୍ତିକି,’ଧୋନୀଙ୍କ ଚେହେରାରେ କେବେ ରାଗ ଦେଖିନାହିଁ। ସଚିନ୍ ତେନ୍ଦୁଲକର ମଧ୍ୟ ଧୋନୀଙ୍କ ସାମ୍ନାରେ ବିଫଳ ହୋଇଯିବେ। କାରଣ ତେନ୍ଦୁଲକର ମଧ୍ୟ ଅନେକ ଥର ରାଗିବାର ଦେଖା ଯାଇଛନ୍ତି। କିନ୍ତୁ ଧୋନୀଙ୍କର ଶାନ୍ତ ସ୍ବଭାବ ଏବଂ ବିଚକ୍ଷଣ ରଣନୀତି ଦ୍ବାରା ଦଳକୁ ବିଜୟୀ କରାଇବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।’
ପାକିସ୍ତାନର ପୂର୍ବତନ ସୋଏବ ଅଖତାରଙ୍କ ୟୁଟ୍ୟୁବ ଚ୍ୟାନେଲକୁ ସାକ୍ଷାତକାର ଦେବା ଅବସରରେ ସମୟରେ ରବି ଶାସ୍ତ୍ରୀ ଏଭଳି କହିଛନ୍ତି। ସେ କହିଛନ୍ତିକି,’ମହେନ୍ଦ୍ର ସିଂହ ଧୋନୀ ବାସ୍ତବିକତାକୁ ବହୁତ ବିଶ୍ବାସ କରୁଥିଲେ। ତାଙ୍କ ଭଳି ବ୍ୟକ୍ତି ମୁଁ ବର୍ତ୍ତମାନ ପର୍ଯ୍ୟନ୍ତ ଦେଖିନାହିଁ। ଜିରୋ ରନ କରି ଆଉଟ୍ ହୁଅନ୍ତୁ କିମ୍ବା ଶତକ ହାସଲ କରନ୍ତୁ, ବିଶ୍ବକପ ଜିତନ୍ତୁ କିମ୍ବା ସିରିଜ ହାରନ୍ତୁ ତାଙ୍କୁ କୌଣସି ପ୍ରକାର ଫରକ ପଡେ ନାହିଁ।’
ଶାସ୍ତ୍ରୀ ଆହୁରି ମଧ୍ୟ କହିଛନ୍ତିକି,’ସଚିନ ତେନ୍ଦୁଲକରଙ୍କ ସମେତ ଅନେକ ମହାନ ଖେଳାଳିମାନଙ୍କୁ ଅତି ନିକଟରୁ ଦେଖିଛଛନ୍ତି କିନ୍ତୁ ଧୋନୀଙ୍କ ଭଳି କେହି ହୋଇପାରିବେ ନାହିଁ। ସଚିନଙ୍କର ଟେମ୍ପରମେଣ୍ଟ ଭଲ ଥିଲା ତଥାପି ସେ ଅଧିକାଂଶ ସମୟରେ ରାଗୁଥିଲେ। କିନ୍ତୁ ଧୋନୀ ରାଗ କଣ ଜାଣି ହିଁ ନଥିଲେ। ତାଙ୍କର ରାଗ କେବେ ଦେଖିବାକୁ ମିଳିନାହିଁ।’
ସୂଚନା ଅନୁସାରେ, ମହେନ୍ଦ୍ର ସିଂହ ଧୋନୀ ୨୦୨୦ ମସିହା ଅଗଷ୍ଟ ୧୫ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ନେଇଥିଲେ। ୩୯ ବର୍ଷ ବୟସରେ କ୍ରିକେଟକୁ ବିଦାୟ କହିଥିଲେ ମଧ୍ୟ ଧୋନୀ ଆଇପିଏଲ ଖେଳିବା ଜାରି ରଖିଛନ୍ତି। ଆଇପିଏଲ ଫ୍ରାଞ୍ଚାଇଜ ଚେନ୍ନାଇ ସୁପର କିଙ୍ଗସ ଧୋନୀଙ୍କର ନେତୃତ୍ବରେ ଚାରି ଥର ଚାମ୍ପିୟନ ହୋଇଛି। ଆସନ୍ତା ସିଜିନ ପାଇଁ ମଧ୍ୟ ଚେନ୍ନାଇ ସୁପର କିଙ୍ଗସ ଦଳ ଧୋନୀଙ୍କୁ ରିଟେନ କରିଛି। ଅର୍ଥାତ ଆଇପିଏଲ ୨୦୨୨ ମସିହାର ସିଜିନରେ ମଧ୍ୟ ଧୋନୀ ସିଏସକେରୁ ପ୍ରତିନିଧିତ୍ବ କରିବେ। ଏହା ଧୋନୀଙ୍କର ଶେଷ ଆଇପିଏଲ ହୋଇପାରେ ବୋଲି ଅନୁମାନ କରାଯାଉଛି।