‘ପୁଷ୍ପା’ ଫିଲ୍ମ ଭଳି ରକ୍ତ ଚନ୍ଦନ ତସ୍କରୀ କରୁଥିବା ବେଳେ ମାଡ଼ି ବସିଲା ପୋଲିସ, ୫୫ ଜଣ କାଠୁରିଆଙ୍କ ସହ ୩ ତସ୍କର ଗିରଫ
ଅଲ୍ଲୁ ଅର୍ଜୁନଙ୍କର ସୁପରହିଟ ଫିଲ୍ମ ‘ପୁଷ୍ପା’ ବର୍ତ୍ତମାନ ବକ୍ସ ଅଫିସ୍ରେ ମୋଟା ଅଙ୍କର ରୋଜଗାର କରୁଛି। ଏହି ଫିଲ୍ମରୁ ଲୋକମାନେ ଆଉ କିଛି ଶିଖନ୍ତୁ କି ନ ଶିଖନ୍ତୁ, କିନ୍ତୁ ଚୋରି ଶିଖି ଯାଇଛନ୍ତି। ଆଉ ମନେ ମନେ ସେମାନେ ନିଜକୁ ପୁଷ୍ପରାଜ ଭାବି ନେଇଛନ୍ତି। ସେମାନେ ମନେ ମନେ ନିଜକୁ ହିରୋ ଭାବି ରକ୍ତ ଚନ୍ଦନ ଚୋରି କରୁଥିବା ଏକ ଗ୍ୟାଙ୍ଗକୁ ପୋଲିସ ମାଡ଼ି ବସିଛି। ଚନ୍ଦନ କାଠ ଚୋରାଇବା ଅଭିଯୋଗରେ ପୋଲିସ ୫୫ ଜଣ ଶ୍ରମିକଙ୍କ ସମେତ ୩ ତସ୍କରଙ୍କୁ ଗିରଫ କରିଛି। ଏହି ସଫଳତା ନେଲ୍ଲୋର ପୋଲିସକୁ ମିଳିଛି। ଆନ୍ଧ୍ରପ୍ରଦେଶ ପୋଲିସ ଏହି ତସ୍କରଙ୍କୁ ରାପୁର ଜଙ୍ଗଲରୁ ଧରିବାରେ ସଫଳ ହୋଇଅଛି।
ରିପୋର୍ଟ ଅନୁସାରେ, ପୋଲିସର ଏହି କାଠୁରିଆ ଓ ତସ୍କରଙ୍କୁ ଧରିବା ପାଇଁ ଚେଷ୍ଟା କରିବା ପରେ ସେମାନେ ତାଙ୍କୁ ପଥର ଫିଙ୍ଗିବା ସହିତ କୁରାଢ଼ୀରେ ମଧ୍ୟ ଆକ୍ରମଣ କରିଥିଲେ। ସେମାନେ ଗାଡ଼ି ନେଇ ଫେରାର ହେବାକୁ ଚେଷ୍ଟା ମଧ୍ୟ କରିଥିଲେ। କିନ୍ତୁ ପୋଲିସର ଦଳ ସତର୍କତାର ସହ ସେମାନଙ୍କୁ ସାମ୍ନା କରିଥିଲା ଓ ୫୫ଜଣ ଶ୍ରମିକ ଓ ୩ଜଣ ଚୋରଙ୍କୁ ଧରିବାରେ ସମର୍ଥ ହୋଇଥିଲା।
ନେଲ୍ଲୋରର ଏସପି ଚୌ.ବିଜୟା ରାଓଙ୍କ ସୂଚନା ଅନୁଯାୟୀ, ମୁଖ୍ୟ ଅଭିଯୁକ୍ତ ବେଲୋ ଦାମୁ ଚିତ୍ତୁର ଜିଲ୍ଲାର ବିବିପୁରମ୍ର ଆରେ ଗାଁର ବାସିନ୍ଦା ଅଟନ୍ତି। ସେ ପୁଡ଼ୁଚେରୀର କୁପ୍ପନ୍ନା ସୁବ୍ରମଣ୍ୟମ୍ ସହିତ ଯୋଗାଯୋଗରେ ଥିଲା। ଏହି କାଠ ଚୋର ଜାନୁଆରୀ ମାସ ୨୦ ତାରିଖରେ କାଠୁରିଆଙ୍କ ସହିତ ନେଲ୍ଲୋର ଜିଲ୍ଲାର ଗୁଡ଼ୁର ପହଞ୍ଚିଥିଲେ। ଓ ରାପୁରର ଜଙ୍ଗଲର ରକ୍ତ ଚନ୍ଦନର ଗଛକୁ ସେ କାଟିଥିଲେ। ୨୧ ତାରିଖ ରାତିରେ ସେମାନେ ଏହି କାଠକୁ ଟ୍ରକରେ ଭର୍ତ୍ତି କରି ତାମିଲନାଡ଼ୁ ଫେରିଥିଲେ।
ଏ ନେଇ ପୋଲିସକୁ ଖବର ମିଳିଥିଲା। ସେମାନେ ରାସ୍ତାଗୁଡ଼ିକୁ ନାକାବନ୍ଦୀ କରିବା ସହିତ ସବୁ ଗାଡ଼ିର ଯାଞ୍ଚ କରିବା ଆରମ୍ଭ କରିଥିଲେ। ଶନିବାର ଅପରାହ୍ନ ସମୟରେ ସେମାନେ ରାଜପଥରେ ୨ଟି ଗାଡ଼ି ସ୍ପିଡରେ ଯାଉଥିବାର ଦେଖିଥିଲେ। ପୋଲିସ ଏହି ଗାଡ଼ିକୁ ପିଛା କରିଥିଲା, ଯାହା ଫଳରେ ସେମାନେ ପୋଲିସର ଗାଡିକୁ ଆକ୍ରମଣ କରିଥିଲେ। ପରେ ପୋଲିସର ଦଳ ଗାଡ଼ିକୁ ଘେରିଯାଇ ସମସ୍ତଙ୍କୁ ଧରି ନେଇଥିଲେ। ଏହି ଟ୍ରକରୁ ପୋଲିସ ୪୫ଟି ରକ୍ତ ଚନ୍ଦନ କାଠ, ୨୪ଟି କୁରାଢ଼ୀ, ୩୧ଟି ମୋବାଇଲ, ଏକ ଟୟୋଟା କାର ଓ ନଗଦ ୭୫,୨୩୦ ଟଙ୍କା ମିଳିଥିଲା।