ନିଜେ ଅଧିନାୟକ ଭାରତୀୟ ଦଳରୁ ବାଦ ପଡିଯିବେନି ତ ! ବର୍ତ୍ତମାନ ଧାଓ୍ବନ ଫର୍ମରେ ଅଛନ୍ତି, ରୋହିତ ଦଳକୁ ଫେରିବା ପରେ କ’ଣ ହେବ ରାହୁଲଙ୍କର ?

0

Get real time updates directly on you device, subscribe now.

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜରେ ମୂଳପୋଛ ହେବାପରେ ଭାରତୀୟ ଦଳ ନିଜର ମାନସମନ୍ଥନ ଜାରି ରଖିଛି। ଭାରତ ବର୍ତ୍ତମାନ ଆଗାମୀ ସିରିଜ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଅଛି। କିନ୍ତୁ ଆଗକୁ ଟି-୨୦ ବିଶ୍ବକପ ଆସୁଥିବାରୁ ମ୍ୟାନେଜମେଣ୍ଟ ନଜରରେ ବର୍ତ୍ତମାନ ତାହା ରହିଛି। ଅଧିନାୟକ ଲୋକେସ୍‌ ରାହୁଲଙ୍କର ନେତୃତ୍ବରେ ଦକ୍ଷିଣ ଆଫ୍ରିକାରେ ଦିନିକିଆ ସିରିଜ ୦-୩ରେ ହାରିବା ପରେ ବର୍ତ୍ତମାନ ଅନେକ ପ୍ରଶ୍ନ ଉଠୁଛି। କିନ୍ତୁ ବର୍ତ୍ତମାନ ଆଉ ଏକ ବଡ ପ୍ରଶ୍ନ ଉଠୁଛି ଯାହାକି ଟିମ ମ୍ୟାନେଜମେଣ୍ଟର ମୁଣ୍ଡ ବିନ୍ଧାର କାରଣ ପାଲଟିଛି।

ବିରାଟ କୋହଲିଙ୍କୁ ଦିନିକିଆ ଅଧିନାୟକ ପଦରୁ ହଟାଯିବା ପରେ ପୂର୍ଣ୍ଣକାଳୀନ ଅଧିନାୟକ ରୋହିତ ଶର୍ମା ହୋଇଛନ୍ତି। ତେବେ ସେ ଆହତ ହେବା କାରଣରୁ ଦଳରୁ ବାହାରେ ଥିବାରୁ ଅଧିନାୟକର ଭାର ରାହୁଲଙ୍କ ହାତରେ ଥିଲା। ତେବେ ରୋହିତ ଶର୍ମା ଫେରିବା ପରେ ଦଳରେ ରାହୁଲଙ୍କର ରୋଲ କଣ ରହିବ। କାରଣ ଦ. ଆଫ୍ରିକା ବିପକ୍ଷ ସିରିଜରେ ଶିଖର ଧାଓ୍ବନ କମାଲ କରିଛନ୍ତି। ପୂର୍ବରୁ ରୋହିତ-ଧାଓ୍ବନ ଯୋଡି ଭାରତୀୟ ଦଳକୁ ବେଶ କିଛିଦିନ ଧରି ସଫଳତା ଦେବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ମଧ୍ୟ ଗ୍ରହଣ କରିଥିଲେ। ସେ ଦୃଷ୍ଟିରୁ ଦେଖିବା ପାଇଁ ଗଲେ ଆଗାମୀ ସିରିଜମାନଙ୍କରେ ମଧ୍ୟ ଧାଓ୍ବନରେ ଦଳରେ ରହିବା ପ୍ରାୟତଃ ସ୍ପଷ୍ଟ। ଏହା ହେଲେ ଲୋକେସ ରାହୁଲ କେଉଁ ସ୍ଥାନରେ ଖେଳିବେ? ବିଶ୍ବକପ ପାଇଁ ମଧ୍ୟ ଗବ୍ବର-ହିଟ୍‌ମ୍ୟାନ ଯୋଡି ସୁପରହିଟ ବୋଲି ପ୍ରମାଣିତ ହୋଇପାରେ।

ରୋହିତ ଶର୍ମା ଏବଂ ଶିଖର ଧାଓ୍ବନଙ୍କ ଯୋଡିର ରେକର୍ଡ ବିଷୟରେ କହିବା ପାଇଁ ଗଲେ, ଉଭୟ ମୋଟ ୧୧୦ ମ୍ୟାଚ୍‌ରୁ ୪୫.୬୬ ହାରରେ ୪୯୭୮ ରନ ସଂଗ୍ରହ କରିଛନ୍ତି। ଉଭୟଙ୍କ ମଧ୍ୟରେ ଶତକୀୟ ଇନିଂସ ୧୭ଟି ରହିଥିବା ସମୟରେ ସର୍ବାଧିକ ସ୍କୋର ୨୧୦ ରନ ରହିଛି। ଉଭୟଙ୍କ ମଧ୍ୟରେ ଓପନିଂ ରେକର୍ଡ ଦମଦାର ଥିବା କାରଣରୁ ଲୋକେସ ରାହୁଲ ପ୍ରଥମେ ବ୍ୟାଟିଂ କରିବା ପ୍ରାୟତଃ ଅସମ୍ଭବ ଅଟେ। ତୃତୀୟ ସ୍ଥାନରେ କୋହଲିଙ୍କର ସ୍ଥାନ ପକ୍କା ଥିବା କାରଣରୁ ରାହୁଲ ସେଠି ମଧ୍ୟ ଖେଳିପାରିବେ ନାହିଁ। ତେଣୁ ରାହୁଲ ମିଡିଲ ଅର୍ଡରରେ ଖେଳିପାରନ୍ତି । ମଧ୍ୟ କ୍ରମରେ ମଧ୍ୟ ସମସ୍ୟା​‌ ରହିଛି। କାରଣ ରାହୁଲଙ୍କ ମିଡିଲ ଅର୍ଡରରେ ଖେଳାଇଲେ ଋଷଭ ପନ୍ତ, ଶ୍ରେୟସ ଅୟର ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ମଧ୍ୟ ଜଣଙ୍କୁ ବାହାରେ ବସାଇବା ପାଇଁ ହେବ।

ଓ୍ବିକେଟ କିପର ଭାବରେ ପନ୍ତ ଜବରଦସ୍ତ ଥିବା କାରଣରୁ ଏବଂ ସେ ଦଳରେ ପ୍ରାୟ ରହିବେ। ଅନ୍ୟପଟେ ସୂର୍ଯ୍ୟକୁମାର ଯାଦବଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜର ଶେଷ ମ୍ୟାଚରେ ସୁଯୋଗ ମିଳିଥିବା ସମୟରେ ସେ ଏହାର ଭରପୂର ଫାଇଦା ଉଠାଇଛନ୍ତି। ତେଣୁ ଆଗାମୀ ଦିନରେ ସେ ମଧ୍ୟ ଖେଳାଯିବାର ଜଣାପଡୁଛି। ଶ୍ରେୟସ ଅୟରଙ୍କ ମୁଣ୍ଡ ଉପରେ ବର୍ତ୍ତମାନ ଖଣ୍ଡା ଝୁଲୁଛି। କାରଣ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଅୟର ଆଖିଦୃର୍ଶୀୟ ପ୍ରଦର୍ଶନ କରିନାହାନ୍ତି। ତେଣୁ ଶ୍ରେୟସ ଅୟରଙ୍କୁ ବାଦ ଦିଆଯାଇ ରାହୁଲଙ୍କୁ ୪ନଂରେ ଏବଂ ପନ୍ତଙ୍କୁ ୫ ନଂରେ ସୁଯୋଗ ଦିଆଯାଇପାରେ।

Leave A Reply

Your email address will not be published.