ମନ୍ତ୍ରୀଙ୍କ ପୁଅର ଦାଦଗିରି : ଶିଶୁ ଓ ମହିଳାଙ୍କୁ ଗୋଡାଇ ଗୋଡାଇ ପିଟିବାକୁ ଲାଗିଲେ ଆଉ ତା ପରେ ଗୁଳି ଚଳାଇ ହୋଇଗଲା ଫେରାର
ବିହାରର ବେତିୟା ଅଞ୍ଚଳରେ ଜଣେ ମନ୍ତ୍ରୀଙ୍କର ପୁଅର ଦାଦାଗିରିର ଘଟଣା ସାମ୍ନାକୁ ଆସିଛି। ବିହାରର ଏହି ପର୍ଯ୍ୟଟନ ମନ୍ତ୍ରୀଙ୍କର ପୁଅ ମହିଳା ଏବଂ ଶିଶୁଙ୍କୁ ଗୋଡାଇ ଗୋଡାଇ ପିଟିଛନ୍ତି। କେବଳ ସେତିକି ନୁହେଁ ପାଓ୍ବାରଫୁଲ ମନ୍ତ୍ରୀଙ୍କର ପୁଅ ସ୍ଥାନୀୟ ଗାଁ ଲୋକମାନଙ୍କୁ ଡରାଇବା ପାଇଁ ଫାଙ୍କାରେ ଗୁଳିଚାଳନା ମଧ୍ୟ କରିଥିବାର ଜଣାପଡିଛି। ଲୋକମାନେ ଉତ୍ତ୍ୟକ୍ତ ହୋଇ ମନ୍ତ୍ରୀ ପୁଅର ଗାଡିକୁ ଭଙ୍ଗାରୁଜା କରିଦେଇଥିଲେ, ଓ ଘଟଣାକୁ ଗୁରୁତର ସହ ନେଇ ତୁରନ୍ତ ତାକୁ ଗିରଫ କରିବା ପାଇଁ ଦାବି ମଧ୍ୟ କରିଛନ୍ତି। ତେବେ ଘଟଣାରେ କିଛି ମହିଳା ଏବଂ ଶିଶୁ ସାମାନ୍ୟ ଭାବରେ ଆହତ ମଧ୍ୟ ହୋଇଥିବାର ସୂଚନା ମିଳିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେଠାକାର ଲୋକଙ୍କୁ ବୁଝାସୁଝା ମଧ୍ୟ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ବିହାରର ପର୍ଯ୍ୟଟନ ମନ୍ତ୍ରୀ ନାରାୟଣ ଶାହାଙ୍କର ବଗିଚାରେ କିଛି ସ୍ଥାନୀୟ ଶିଶୁ ଖେଳୁଥିଲେ। ଏହି ସମୟରେ ମନ୍ତ୍ରୀଙ୍କର ପୁଅ ବବଲୁ ଏବଂ ତାର ବନ୍ଧୁ ବସିଥିଲେ। ତେବେ ପିଲାଙ୍କ ଉପରେ ତାଙ୍କର ନଜର ପଡିବା କ୍ଷଣି ସେଠାକୁ ଯାଇ ବବଲୁ ତାଙ୍କୁ ମାରପିଟ କରିଥିଲା। ବଗିଚା ନିକଟରେ ଉପସ୍ଥିତ ଥିବା କିଛି ମହିଳା ପିଲାମାନଙ୍କୁ ରକ୍ଷା କରିବା ପାଇଁ ଆସିବାରୁ ମନ୍ତ୍ରୀଙ୍କ ପୁଅ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲା।
ଏ ବାବଦରେ ଗାଁ ଲୋକମାନେ ଜାଣିବା ପରେ ଉକ୍ତ ବଗିଚା ନିକଟରେ ଆସି ପହଞ୍ଚିଥିଲେ ଏବଂ ମନ୍ତ୍ରୀଙ୍କ ପୁଅ ବବଲୁ ଓ ତାର ବନ୍ଧୁଙ୍କର କାର ଭିତରେ ଅଟକ ରଖିଥିଲେ। ତେବେ ସୁଯୋଗ ପାଇ ଅଭିଯୁକ୍ତ ମନ୍ତ୍ରୀ ପୁଅ ଏବଂ ତାର ବନ୍ଧୁ ମାରଣାସ୍ତ୍ର ଧରି ଧାଇଁଥିଲେ। ଗାଁର ଲୋକମାନେ ତା ପଛରେ ଦୌଡି ଧରିବାକୁ ଚେଷ୍ଟା କରିବାରୁ ସେ, ଲୋକମାନଙ୍କୁ ଦେଖି ଫାଙ୍କାରେ ଗୁଳି ଚଳେଇଥିଲେ ଓ ସେଠାରୁ ଫେରାର ମଧ୍ୟ ହୋଇଯାଇଥିଲା। ଉତ୍ତ୍ୟକ୍ତ ଲୋକମାନେ ଗାଡିକୁ ଭଙ୍ଗାରୁଜା କରିବା ସହିତ ପୋଡାଜଳା ମଧ୍ୟ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିବା ସହ ଯାଞ୍ଚ ଆରମ୍ଭ କରିଦେଇଛି। ଅନ୍ୟପଟେ ଗାଁ ଲୋକମାନେ ମନ୍ତ୍ରୀ ନାରାୟଣ ଶାହାଙ୍କ ପୁଅ ବିରୁଦ୍ଧରେ ଏକ ମାମଲା ରୁଜୁ କରି ତାଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି।