ଆସନ୍ତାକାଲି ପାଖରୁ ୪ ଦିନ ଆହୁରି ବର୍ଷା ହେବ। ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଅଛି। ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନସ ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ଆସନ୍ତାକାଲି ପାଖରୁ ୨୪ ତାରିଖ ପର୍ଯ୍ଯନ୍ତ ବର୍ଷା ହେବାର ସମ୍ଭାବନା ଅଛି। ଏହାର ପୂର୍ବାନୁମାନ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କରିଛି।
ଆସନ୍ତକାଲି ଉତ୍ତର ଉପକୂଳ ଓଡ଼ିଶାର କିଛି ଅଞ୍ଚଳ, କେନ୍ଦୁଝର, ମୟୂରଭଞ୍ଜ ଓ ପୁରୀର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଅଛି। ସେହିପରି ୨୨ ତାରିଖରେ ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ଅଛି। ଆସନ୍ତା ୨୩ ତାରିଖରେ ବର୍ଷାର ପରିମାଣ ବଢ଼ିପାରେ ବୋଲି କୁହାଯାଇଛି।
ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନସ ଓ ଘୂର୍ଣ୍ଣିବଳୟ ପ୍ରଭାବରେ କାଲିପାଖରୁ ଉତ୍ତରପଶ୍ଚିମ ଭାରତରେ କିଛି ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି। ପଞ୍ଜାବ, ହରିଆଣା, ଦିଲ୍ଲୀ ସମେତ କିଛି ସ୍ଥାନରେ ବର୍ଷାକୁ ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେହିପରି ଜାମ୍ମୁକାଶ୍ମୀର, ଲଦାଖ, ହିମାଚଳପ୍ରଦେଶ, ଉତ୍ତରାଖଣ୍ଡର କିଛି ଅଞ୍ଚଳରେ ବର୍ଷା ଓ ତୁଷାରପାତ ହେବାର ଆଶଙ୍କା ଅଛି।
ଆଗାମୀ ଦୁଇ ଦିନ ଉତ୍ତରପ୍ରଦେଶ ଓ ବିହାରରେ ମଧ୍ୟରେ ଶୀତର ପ୍ରକୋପ ଜାରି ରହିବ। ରାତିର ତାପମାତ୍ରା ଆଗକୁ ଆହୁରି ବଢ଼ିବ। ଶୀତ ଧୀରେ ଧୀରେ କମିବ। ଆଗାମୀ ୩ ଦିନ ପର୍ଯ୍ଯନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ସର୍ବନିମ୍ନ ତାପମାତ୍ରାରୁ ୩ ରୁ ୪ ଡିଗ୍ରୀ ସେଲସିୟସ ବୃଦ୍ଧି ହେବାର ସମ୍ଭାବନା ରହିଛି।