ଡାକ୍ତର ଡାକ୍ତରଖାନାରେ କରିଥିଲେ ମୃତ ଘୋଷଣା। କିନ୍ତୁ ଶ୍ମଶାନରେ ମୃତ ଘୋଷିତ ହୋଇଥିବା ନବଜାତ ଶିଶୁ ହଠାତ ଚେଇଁ ଉଠିଲେ। ଆଜି ଏମିତି ଏକ ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରୁ ସାମ୍ନାକୁ ଆସିଛି। ଯେଉଁଠାରେ ସମୟ ପୂର୍ବରୁ ଜନ୍ମ ହୋଇଥିବା ନବଜାତ ଶିଶୁକୁ ଡାକ୍ତର ମୃତ ଘୋଷଣା କରିଥିଲେ। ଶଶ୍ମାନକୁ ନେଇ ପୋତିବାକୁ ଯାଉଥିବା ସମୟରେ ଶିଶୁଟି କାନ୍ଦି ଉଠିଥିଲା। ବର୍ତ୍ତମାନ ଏହାକୁ ନେଇ ପ୍ରବଳ ମାତ୍ରାରେ ଉତ୍ତେଜନା ଦେଖାଦେଇଛି।
ଆଜି ଅପରାହ୍ଣ ୨.୦୬ ମିନିଟ ସମୟରେ କରଂଜିଆ ଉପଖଣ୍ଡ ଚିକିତ୍ସାଳୟରେ ରାଇମଣି ମୁଣ୍ଡା ସ୍ୱାମୀ ସୁନିଆ ମୁଣ୍ଡାଙ୍କର ଔରସରୁ ଏକ ନବଜାତ ଶିଶୁ ଜନ୍ମ ନେଇଥିଲା। ମେଡିକାଲ କର୍ତ୍ତୃପକ୍ଷ ଶିଶୁଟିକୁ ମୃତ ଘୋଷଣା କରିଥିଲେ। ଯାହା ପରେ ମେଡିକାଲ କର୍ତ୍ତୃପକ୍ଷ ଶିଶୁକୁ ନେଇ ଏକ ବ୍ୟାଗରେ ଭର୍ତ୍ତି କରି ପରିବାରଙ୍କୁ ହସ୍ତାନ୍ତର କରି ଦେଇଥିଲେ।
ଏହାପରେ ମୃତ ଶିଶୁଙ୍କର ପରିବାର ଛୁଆକୁ ନେଇ ନିଜର ପୈତୃକ ଗ୍ରାମ କେନ୍ଦୁଝର ଜିଲ୍ଲାର ଖଡିକାପଦା ଗ୍ରାମରେ ମାଟିଖୋଳି ମାଟିରେ ପୋତିବା ପାଇଁ ଯାଉଥିଲେ, ସେହି ସମୟରେ ଶିଶୁ ପୁତ୍ରଟି କାନ୍ଦି ଉଠିଥିଲା। ଶିଶୁଟିକୁ କାନ୍ଦୁଥିବାର ଦେଖି ପରିବାର ଲୋକ ତୁରନ୍ତ ପିଲାଟିକୁ କରଂଜିଆ ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ଆଣିଥିଲେ।
ଏପରି ଦାୟିତ୍ଵହୀନ କାମ କରିଥିବା କର୍ମଚାରୀ ଏବଂ ଅଧିକାରୀମାନଙ୍କ ବିରୋଧରେ ପରିବାରର ଲୋକ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏ ସମ୍ପର୍କରେ କରଂଜିଆ ଉପଖଣ୍ଡ ଚିକିତ୍ସା ଅଧିକାରୀ କହିଛନ୍ତିକି, ଶିଶୁଟିକୁ କେହି ମୃତ ବୋଲି ଷଣା କରିନାହାନ୍ତି। ବାସ୍ତବତା କ’ଣ ସେ ସମ୍ବନ୍ଧରେ ବିଶେଷ କିଛି ଜଣାନାହିଁ। ଏହି ଘଟଣା ବିଷୟରେ ଆମେ ସମ୍ପୂର୍ଣ ତଦନ୍ତ କରିବୁ।