ଓଲିଉଡରେ ଗୋଟିଏ ଯୁଗର ଘଟିଲା ଅନ୍ତ। ଓଲିଉଡର କାକାଙ୍କ ଯୁଗର ଅବସାନ ଘଟିଲା। ସେ ଗୁରୁ ଗମ୍ଭୀର ସ୍ୱର ଆଉ ଶୁଭିବ ନାହିଁ। ପଞ୍ଚଭୂତରେ ବିଲୀନ ଓଲିଉଡର ବେତାଜ ବାଦଶାହା ମିହିର ଦାସ ହୋଇଗଲେ। କଟକର ସତୀଚୌରା ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତାଙ୍କର ଶେଷକୃତ ସମ୍ପନ୍ନ ହୋଇଛି। ତାଙ୍କ ବଡ଼ ପୁଅ ଅମ୍ଳାନ ଦାସ ମୁଖାଗ୍ନି ଦେଇଥିବା ସମୟରେ ରାଜ୍ୟ ସରକାରଙ୍କ ତରଫରୁ ସ୍ୱର୍ଗତ ମିହିରି ଦାସଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି।
ମିହିରଙ୍କର ଶେଷ ଦର୍ଶନ ପାଇଁ ସତୀଚୌରା ଶ୍ମଶାନ ଲୋକାରଣ୍ୟ ହୋଇ ଉଠିଥିଲା। ବିଶିଷ୍ଟ ରାଜନେତା, ଫିଲ୍ମ ଅଭିନେତାଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକମାନେ ସମସ୍ତେ ଶେଷ ଥର ପାଇଁ ଏହି ଭେଟରାନ ଅଭିନେତାଙ୍କୁ ଦେଖିବା ପାଇଁ ଘଣ୍ଟା ଘଣ୍ଟା ଧରି ଛିଡ଼ା ହୋଇଥିଲେ। ସମ୍ପୂର୍ଣ୍ଣ ପରିବେଶ ଶୋକାକୂଳ ପରିବେଶରେ ଫାଟି ପଡ଼ିଥିଲା।
ଦୀର୍ଘ ବର୍ଷ ଧରି କିଡନି ରୋଗରେ ପୀଡ଼ିତ ହୋଇଥିବା ମିହିର ଦାସ ମାସେ ତଳେ ବହୁତ ଗୁରୁତର ହୋଇପଡ଼ିଥିଲେ। ଏହାପରେ କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା ଓ ତାଙ୍କର ଚିକିତ୍ସା ହେଉଥିଲା। ସେବେଠାରୁ ସେ ଆଇସିୟୁରେ ଥିଲେ। ଡାକ୍ତରଙ୍କ ଶତ ଚେଷ୍ଟା ସତ୍ତ୍ୱେ ତାଙ୍କର ଏକାଧିକ ଅଙ୍ଗ ଅକାମୀ ହୋଇଯିବାରୁ ଗତକାଲି ଅପରାହ୍ଣ ୩ଟା ୨୫ରେ ତାଙ୍କର ପରଲୋକ ହୋଇ ଯାଇଥିଲା। ମାତ୍ର ୬୩ ବର୍ଷ ବୟସରେ ଅଭିନେତା ମିହିର ଦାସ ଆରପାରିକୁ ଚାଲିଗଲେ।
ଶେଷ ଯାତ୍ରାରେ ମିହିର ଦାସଙ୍କୁ କଟକର ସତିଚୌରା ଅଭିମୁଖେ ନିଆଯାଉଛି। କେତେବେଳେ ନାୟକ ତ ଆଉ କେତେବେଳେ ଖଳନାୟକ ଏପରି ଭାବରେ ସବୁ ଚରିତ୍ରକୁ ପରଦାରେ ଜୀବନ୍ତ କରି ଦର୍ଶକମାନଙ୍କୁ ନିଜ ଅଭିନୟ ଯାଦୁରେ ହସାଇ, କନ୍ଦାଇ ପାରୁଥିଲେ ଓଲିଉଡର ଏହି କାକା। ଶତାଧିକ ଚଳଚିତ୍ରରେ ସେ ନିଜ ସ୍ୱାକ୍ଷର ଛାଡି ଯାଇଛନ୍ତି। ୧୯୮୦ ମସିହାରେ ରାମାୟଣ ଫିଲ୍ମରେ ଶତ୍ରୁଘ୍ନରୁ କ୍ୟାରିୟର ଆରମ୍ଭ କରିଥିବା ମିହିର ଦାସ ତିନି ଦଶନ୍ଧି ଧରି ଓଲିଉଡରେ ରାଜ କରିଥିଲେ। ‘ଲକ୍ଷ୍ମୀ ପ୍ରତିମା’ ପାଇଁ ୧୯୯୮ ଓ ‘ଫେରିଆ ମୋ ସୁନା ଭଉଣୀ’ ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତା ଭାବରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା।
ମିହିର ଦାସଙ୍କୁ ଗାର୍ଡ ଅଫ ଅନର ଦିଆଯାଉଛି:-
ଠିକ ସେହିପରି ଶ୍ରେଷ୍ଠ ସହକଳାକାର ଭାବରେ ମଧ୍ୟ ଅନେକ ଫିଲ୍ମ ପାଇଁ ତାଙ୍କୁ ପୁରସ୍କାର ଦିଆଯାଇଛି। ୨୦୦୨ ମସିହାରେ ‘ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ’ ଓ ୨୦୧୦ ମସିହାରେ ପ୍ରେମ ଅଢ଼େଇ ଅକ୍ଷର ପାଇଁ ତାଙ୍କୁ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା ଭାବରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ମିଳିଛି।