ବରିଷ୍ଠ ସିନେ ଅଭିନେତା ମିହିର ଦାସ ଆଉ ନାହାନ୍ତି। ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା ମିହିର ଦାସଙ୍କର ଆଜି ପରଲୋକ ହୋଇଯାଇଛି। କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ସମୟରେ ତାଙ୍କୁ ମାତ୍ର ୬୩ ବର୍ଷ ବୟସ ହୋଇଥିଲା। ତାଙ୍କର ପରଲୋକରେ ଓଡ଼ିଆ ସିନେ ଜଗତରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୋଇଯାଇଛି।
କିଛି ଦିନ ତଳେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହେବା କାରଣରୁ ମିହିର ଦାସଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ମଲ୍ଟି ଅର୍ଗାନ କାମ କରିବା ସମ୍ପୂର୍ଣ ରୂପରେ ବନ୍ଦ କରିଦେଇଥିଲା। ଏହାଛଡ଼ା ତାଙ୍କର କିଡନୀ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଅକାମୀ ହୋଇ ପଡ଼ିଥିଲା। ଯେଉଁ କାରଣରୁ ତାଙ୍କର ଡାଇଲିସିସ ମଧ୍ୟ ଚାଲିଥିଲା। ହେଲେ ଗତ କିଛି ଦିନ ହେବ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବହୁତ ଅଧିକ ମାତ୍ରାରେ ସଂକଟାପନ୍ନ ହେବାରେ ଲାଗିଥିଲା। ଡାକ୍ତର ତାଙ୍କୁ ବଞ୍ଚାଇବାକୁ ବହୁତ ପ୍ରୟାସ କରିଥିଲେ। କିନ୍ତୁ ଡାକ୍ତରଙ୍କର ସମସ୍ତ ଚେଷ୍ଟା ବିଫଳ ହୋଇଯାଇଥିଲା। ଆଉ ମଙ୍ଗଳବାର ଦିନ ଅପରାହ୍ଣ ୩.୨୫ ମିନିଟ ସମୟରେ ମିହିର ଦାସ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ସମୟରେ ତାଙ୍କ ପାଖରେ ପୁଅ ଅମ୍ଳାନ ସେଠାରେ ଉପସ୍ଥିତ ଥିଲେ।
ଓଲିଉଡ ଜଗତର କାକା ଭାବରେ ପରିଚିତ ଭେଟ୍ରାନ୍ ଅଭିନେତା ମିହିର ଦାସ ୧୯୫୯ ମସିହା ଫେବୃଆରୀ ୧୧ ତାରିଖରେ ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ଜନ୍ମଗ୍ରହଣ କରିଥିଲେ। ପିଲା ସମୟରେ କଳା ପ୍ରତି ତାଙ୍କର ବହୁତ ଦୁର୍ବଳତା ଥିଲା। ସେ ପ୍ରଥମେ ଆର୍ଟ ଫିଲ୍ମରେ ଅଭିନୟ କରିଥିଲେ। ତାହା ଥିଲା ‘ସ୍କୁଲ୍ ମାଷ୍ଟର’। ଯାହା ତାଙ୍କୁ ଆଗକୁ ବଢ଼ିବା ପାଇଁ ଏକ ରାସ୍ତା ଦେଖାଇଥିଲା। ତା’ପରେ ସେ ଗୋଟିଏ ପରେ ଗୋଟିଏ ହିଟ୍ ବ୍ୟବସାୟିକ ଫିଲ୍ମରେ ଅଭିନୟ କରି ଓଲିଉଡ ଜଗତରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ।
ମିହିର ଦାସଙ୍ର ପ୍ରଥମ ବ୍ୟବସାୟିକ ଫିଲ୍ମ ‘ମଥୁରା ବିଜୟ’ ୧୯୭୯ ମସିହାରେ ରିଲିଜ ହୋଇଥିଲା। ସେହି ଫିଲ୍ମ ତାଙ୍କୁ ରାତାରାତି ଷ୍ଟାର କରି ଦେଇଥିଲା। ସେ ତିନି ଦଶନ୍ଧି ଧରି ଓଲିଉଡ୍ରେ ରାଜ୍ କରୁଛନ୍ତି। ‘ଲକ୍ଷ୍ମୀ ପ୍ରତିମା’ ପାଇଁ ୧୯୯୮ ଓ ‘ଫେରିଆ ମୋ ସୁନା ଭଉଣୀ’ ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତା ଭାବରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା। ଠିକ୍ ସେହିପରି ଶ୍ରେଷ୍ଠ ସହକଳାକାର ଭାବରେ ମଧ୍ୟ ଅନେକ ଫିଲ୍ମ ପାଇଁ ତାଙ୍କୁ ପୁରସ୍କୃତ କରାଯାଇଛି। ୨୦୦୨ ମସିହାରେ ‘ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ’ ଓ ୨୦୧୦ ମସିହାରେ ପ୍ରେମ ଅଢ଼େଇ ଅକ୍ଷର ପାଇଁ ତାଙ୍କୁ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା ଭାବରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି।
ଏହାଛଡ଼ା ୧୯୯୯ ମସିହାରେ ବିଧାତା ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତା ଓ ୨୦୦୭ ମସିହାରେ ‘ମୁଁ ତତେ ଲଭ କରୁଛି’ ଫିଲ୍ମ ପାଇଁ ଶ୍ରେଷ୍ଠ ହାସ୍ୟ ଅଭିନେତା ପୁରସ୍କାର ଭାବରେ ତାଙ୍କୁ ସମ୍ମାନିତ କରାଯାଇଛି। ସେ କେବଳ ଓଡ଼ିଆ ଫିଲ୍ମରେ କାମ କରିନାହାନ୍ତି ବରଂ ବେଙ୍ଗଲୀ ଫିଲ୍ମରେ ଅଭିନୟ କରିଛନ୍ତି। ପୂର୍ବରୁ ତାଙ୍କର ସ୍ତ୍ରୀ ସଂଗୀତା ଦାସଙ୍କର ଦେହାନ୍ତ ହୋଇ ଯାଇଥିଲା।