ପୁଣି ଭିଜେଇବ ଅଦିନିଆ ବର୍ଷା । ୧୧ରୁ ୧୪ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା !

0

Get real time updates directly on you device, subscribe now.

ପୁଣିଥରେ ୧୧ ତାରିଖରୁ ଅଦିନିଆ ବର୍ଷା ପୁଣି ଭିଜେଇବ। ୧୧ ରୁ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ଏ ବିଷୟରେ ସୂଚନା ଦେଇ ସତର୍କ କରାଯିବା ସହିତ ଅମଳ ଫସଲକୁ ସୁରକ୍ଷିତ ସ୍ଥାନରେ ସାଇତି ରଖିବା ପାଇଁ ପରାମର୍ଶ ଦିଆଯାଇଛି।

ପଶ୍ଚିମା ଝଡର ଆଗମନ ଓ ପୂର୍ବ ଦିଗରେ ବଙ୍ଗୋପସାଗର ରୁ ଓଡଶାକୁ ପ୍ରବଳ ମାତ୍ରାରେ ଉଷ୍ମ ଜଳୀୟ ବାଷ୍ପର ଅନୁପ୍ରବେଶ ପାଇଁ ଆଗାମୀ ୧୧ ରୁ ୧୪ ଜାନୁଆରୀ ମଧ୍ୟରେ ବର୍ଷା ସମ୍ଭାବନା ଅଛି। ଓଡିଶାର ଜିଲ୍ଲାଗୁଡିକରେ ଅନେକ ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ଏବଂ କିଛି ଜିଲ୍ଲାର ଗୋଟିଏ କିମ୍ୱା ଦୁଇଟି ସ୍ଥାନରେ କୁଆପଥର ସହିତ ପ୍ରବଳ ମାତ୍ରାରେ ବର୍ଷା ହେବାର ସମ୍ଭାବନା ଥିବା ବୋଲି ଆଞ୍ଚଳିକ ପାଣିପାଗ ବିଭାଗ କହିଛି। ଅର୍ଥାତ ୬ ରୁ ୧୧ ସେଣ୍ଟିମିଟର ମଧ୍ୟରେ ବର୍ଷା ହୋଇପାରେ। ଏହି ଅଦିନିଆ ବର୍ଷା ପ୍ରଭାବରେ ଅନେକ ଚାଷବାସ ନଷ୍ଟ ହେବାର ଆଶଙ୍କା କରି ସ୍ୱତନ୍ତ୍ର ରିଲିଫ କମିଶନର ସତର୍କ ସୂଚନା ଜାରି କରିଛନ୍ତି।

୧୧ ତାରିଖ, ମଙ୍ଗଳବାର ଦିନ ୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ ଆସନ୍ତୁ ଦେଖିବା ସେହି ଜିଲ୍ଲା ଗୁଡ଼ିକ କଣ ସବୁ।
ବରଗଡ, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ।

୧୨ ତାରିଖ, ବୁଧବାର ଦିନ ୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ ଆସନ୍ତୁ ଦେଖିବା ସେହି ଜିଲ୍ଲା ଗୁଡ଼ିକ କଣ ସବୁ।
କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କଟକ, ନୟାଗଡ।

୯ଟି ଜିଲ୍ଲାକୁ ୧୩ ତାରିଖ ଗୁରୁବାର ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲାଗୁଡିକ ହେଲା। କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଢେଙ୍କାନାଳ, ନୟାଗଡ, କନ୍ଧମାଳ।

ଚାଷୀମାନଙ୍କ ପାଇଁ ପରାମର୍ଶ:-

– ୧୦ ଜାନୁଆରୀ ସୁଦ୍ଧା ଅମଳ କରିଥିବା ଧାନକୁ ସୁରକ୍ଷିତ ସ୍ଥାନକୁ ନେଇ ଆସନ୍ତୁ।

– ଡାଲିଜାତୀୟ ଫସଲର ବିହବୁଣାବୁଣି ୧ ସପ୍ତାହ ପର୍ଯ୍ୟନ୍ତ ସ୍ଥଗିତ ରଖନ୍ତୁ।

– ଚିନାବାଦାମ ଓ ସୋରିଷ ଫୁଲ ଧରିବା ସମୟ ହୋଇଥିବାରୁ ଜଳସେଚନକୁ ବନ୍ଦ ରଖନ୍ତୁ।

– କୁଆପଥର ମାଡ କାରଣରୁ ରକ୍ଷା ପାଇଁ ପନିପରିବା ତଳିକୁ ଘୋଡାଇ ରଖିଦିଅନ୍ତୁ।

– ଅମଳ ଉପଯୋଗୀ ହୋଇଥିବା ପନିପରିବାକୁ ତୁରନ୍ତ ତୋଳି ଆଣି ସାଇତି ଦିଅନ୍ତୁ।

– ବର୍ଷା ଆସୁଥିବା କାରଣରୁ ସାର ଓ କୀଟନାଶକର ପ୍ରୟୋଗ ସାମୟିକ ଭାବରେ ବନ୍ଦ କରନ୍ତୁ।

Leave A Reply

Your email address will not be published.