ରାଜ୍ୟ ସରକାର ନିର୍ବାଚନ ପୂର୍ବରୁ ବିଭିନ୍ନ ବର୍ଗର ଲୋକମାନଙ୍କୁ ତଥା ଚାକିରିଆ ଲୋକମାନଙ୍କୁ ସନ୍ତୁଷ୍ଟ କରିବାକୁ ପ୍ରୟାସ କରୁଥିବା ସମୟରେ ଆଜି ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଅଙ୍ଗନବାଡ଼ି କର୍ମୀ, ମିନି ଅଙ୍ଗନବାଡ଼ି କର୍ମୀ ଓ ଅଙ୍ଗନବାଡ଼ି ସହାୟିକାମାନେ ୬୨ ବର୍ଷ ବୟସରେ ସେବାରୁ ନିବୃତ ହେବା ସମୟରେ ସେମାନଙ୍କୁ ପ୍ରୋତ୍ସାହନ ରାଶି ଦିଆଯାଉଥିବା ସମୟରେ ସରକାର ଏହାକୁ ବଢ଼ାଇ ଦେଇଛନ୍ତି।
ଅଙ୍ଗନବାଡ଼ି କର୍ମୀମାନେ ସେବାରେ ନିବୃତ ହେବା ସମୟରେ ୨୦ ହଜାର ଟଙ୍କା ବଦଳରେ ବର୍ତ୍ତମାନ ଏକକାଳୀନ ୪୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପାଇବେ। ମିନି ଅଙ୍ଗନବାଡ଼ି କର୍ମୀମାନଙ୍କର ପ୍ରୋତ୍ସାହନ ରାଶି ୧୫ ହଜାର ଟଙ୍କା ରୁ ୩୦ ହଜାର ଟଙ୍କାକୁ ବୃଦ୍ଧି କରିଦିଆ ଯାଇଛି। ସେହିପରି ଅଙ୍ଗନବାଡ଼ି ସହାୟିକାମାନଙ୍କର ପ୍ରୋତ୍ସାହନ ରାଶିକୁ ୧୦ ହଜାରରୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରିଦିଆ ଯାଇଛି।
ଏହି ନୂତନ ପ୍ରୋତ୍ସାହନ ରାଶିକୁ ପିଛିଲା ଭାବରେ ୨୦୧୯ ମସିହା ଜାନୁଆରୀ ପହିଲା ଠାରୁ ଲାଗୁ କରାଯାଇଛି। ଏହାଦ୍ୱାର ବର୍ତ୍ତମାନ ସୁଦ୍ଧା ଏହି ସେବାରେ ନିବୃତ ହୋଇଥିବା ୧୯୯୧ ଜଣ ଅଙ୍ଗନବାଡ଼ି କର୍ମୀ, ମିନି ଅଙ୍ଗନବାଡ଼ି କର୍ମୀ ଓ ଅଙ୍ଗନବାଡ଼ି ସହାୟିକା ଏଥିରେ ଉପକୃତ ହେବେ। ଅନ୍ୟପକ୍ଷରେ ସରକାରଙ୍କର ଏହି ଘୋଷଣା ଦ୍ୱାରା ରାଜ୍ୟର ମୋଟ ୧ ଲକ୍ଷ ୩୦ ହଜାର ଅଙ୍ଗନବାଡ଼ି କର୍ମୀମାନେ ଉପକୃତ ହେବେ।
ସେହିଭଳି ଅଙ୍ଗନବାଡ଼ି କର୍ମୀ, ମିନି ଅଙ୍ଗନବାଡ଼ି କର୍ମୀ ଓ ଅଙ୍ଗନବାଡ଼ି ସହାୟିକାମାନେ କାର୍ଯ୍ୟରତ ଥିବା ସମୟରେ ଅସୁସ୍ଥତା ପାଇଁ କୌଣସି ସରକାରୀ କିମ୍ବା ସରକାରଙ୍କ ଦ୍ୱାରା ତାଲିକାଭୁକ୍ତ କରାଯାଇଥିବା ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ, ସେମାନଙ୍କୁ ସେହି ସମୟ ପାଇଁ ପ୍ରତିବର୍ଷ ସବୈତନିକ ଚିକିତ୍ସା ଛୁଟି ମଧ୍ୟ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।