କିଛି ଦିନ ଧରି ଭୁଲ ଭାବରେ 11 ଥର କରୋନା ଭାଇରସର ଟୀକା ନେବାପରେ ହେଡଲାଇନକୁ ଆସିଥିବା ବିହାରର ମଧେପୁରା ଜିଲ୍ଲାର ବାସିନ୍ଦା 84 ବର୍ଷୀୟ ବ୍ରହ୍ମଦେବ ମଣ୍ଡଳ ଖୁବ୍ ଶୀଘ୍ର ଗିରଫ ହେବାକୁ ଯାଉଛନ୍ତି । ବ୍ରହ୍ମଦେବ ମଣ୍ଡଳଙ୍କ ବିରୋଧରେ ମଧେପୁରାର ପୁରେଇନି ଥାନାରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ବିନୟ କୃଷ୍ଣ ପ୍ରସାଦଙ୍କ ଅଭିଯୋଗ ପରେ ବିଭିନ୍ନ ଧାରା ଅନୁଯାୟୀ ମାମଲା ରୁଜ୍ଜୁ କରାଯାଇଛି ଏବଂ ବର୍ତ୍ତମାନ ତାଙ୍କୁ ଗିରଫ କରିବାପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।
ବ୍ରହ୍ମଦେବ ମଣ୍ଡଳଙ୍କ ବିରୋଧରେ ଆଇପିସି ର ଧାରା 188, 419 ଏବଂ 420 ଅନୁଯାୟୀ ମାମଲା ରୁଜ୍ଜୁ ହୋଇଛି । ତେବେ ବୟସକୁ ଦର୍ଶାଇ ବ୍ରହ୍ମଦେବ ମଣ୍ଡଳଙ୍କୁ ଗିରଫ ହେବାପରେ ଜାମିନ ମିଳିପାରେ ।
କୁହାଯାଉଛି ଯେ ବ୍ରହ୍ମଦେବ ମଣ୍ଡଳ ଗତ ଦିନ ଗୁଡିକରେ ସେହି ସମୟରେ ହେଡଲାଇନକୁ ଆସି ଯାଇଥିଲେ, ଯେତେବେଳେ ସ୍ବାସ୍ଥ୍ୟ କର୍ମଚାରୀ ମାନେ ତାଙ୍କର ଚାଲକୁ ଧରି ନେଇଥିଲେ । ବ୍ରହ୍ମଦେବ ମଣ୍ଡଳଙ୍କୁ ନେଇ ଏହି କଥା ଖୁଲାସା ହୋଇଥିଲା ଯେ ଯେବେଠୁ କରୋନା ଟୀକା ଆସିଛି, ସେବେଠୁ ସେ ନିଜର ଆଧାର କାର୍ଡ ଏବଂ ଭୋଟର କାର୍ଡ ବ୍ୟବହାର କରି ବର୍ତ୍ତମାନ ସୁଦ୍ଧା 11 ଥର ଟୀକା ନେଇଛନ୍ତି ।
ଅଜବ କଥା ଏହା ଯେ ମଣ୍ଡଳଙ୍କ ପାଖରେ ଟୀକା ନେବାର ସମସ୍ତ ସୂଚନା ରହିଛି । ସେ ପ୍ରଥମ ଦୋଜ 2021 ଫେବୃଆରୀ 13 ତାରିଖରେ ନେଇଥିଲେ ଏବଂ ଡିସେମ୍ବର 2021 ସୁଦ୍ଧା ଶେଷ ଟୀକା ନେଇଥିଲେ । ତାଙ୍କ ପାଖରେ ସବୁ ଟୀକାକରଣର ତାରିଖ ସମୟ ଲେଖାଅଛି ।
ବ୍ରହ୍ମଦେବ ମଣ୍ଡଳ ଦାବି କରିଥିଲେ ଯେ 11 ଥର ଟୀକା ନେବାପରେ କିଛି ଗମ୍ଭୀର ରୋଗ ଗୁଡ଼ିକ ଠାରୁ ସେ ମୁକ୍ତି ପାଇଛନ୍ତି । ମଣ୍ଡଳ ଡାକ ବିଭାଗରେ ସେବାନିବୃତ ସରକାରୀ କର୍ମଚାରୀ ଅଟନ୍ତି ଏବଂ ଯେପରି ଭାବେ ସେ ଗତ 1 ବର୍ଷରେ 11 ଥର କରୋନା ଭାଇରସର ଟୀକା ନେଇଛନ୍ତି, ସେଥିରୁ ସ୍ବାସ୍ଥ୍ୟ ବିଭାଗର ଅବହେଳା ମଧ୍ୟ ସାମ୍ନାକୁ ଆସିଛି ।