ନବୀନ ପଟ୍ଟନାୟକ ଘରର ମରାମତି କରିବା ପାଇଁ ପଠାଇଲେ ଟଙ୍କା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ପକ୍କାଘରର ମରାମତି ପାଇଁ ସହାୟତା ରାଶି ପ୍ରଦାନର ଶୁଭାରମ୍ଭ କରିଛନ୍ତି। ପ୍ରତ୍ୟେକ ହିତାଧିକାରୀଙ୍କ ଆକାଉଣ୍ଟକୁ ସରକାର ୩ହଜାର ଟଙ୍କା ଲେଖାଏଁ ପଠାଇଛନ୍ତି। ଆଜି ସମୁଦାୟ ୩୧ଲକ୍ଷ ହିତାଧିକାରୀଙ୍କ ନିକଟକୁ ୧୪୪୪କୋଟି ଟଙ୍କାର ସହାୟତା ରାଶି ରାଜ୍ୟସରକାର ପ୍ରଦାନ କରିଛନ୍ତି।
ବିଜୁ ପକ୍କାଘରର ମରାମତି କରିବା ପାଇଁ ସହାୟତା ରାଶି ପ୍ରଦାନର ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି। ୩୧ ଲକ୍ଷ ହିତାଧିକାରୀ ୧୪୪୪କୋଟି ଟଙ୍କା ପାଇଲେ। ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ ଗୃହର ନିର୍ମାଣ ଯୋଜନାର ହିତାଧିକାରୀମାନଙ୍କୁ ଘରର ମରାମତି ପାଇଁ ଆର୍ଥିକ ସହାୟତା ଦିଆଯାଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ଲୋକମାନଙ୍କୁ ଦେଇଥିବା କଥାକୁ ଆମେ ରଖିଛୁ। ୨୦୧୪ ମସିହାରୁ ଆଜି ପର୍ଯ୍ୟନ୍ତ ଆମେ ୩୧ଲକ୍ଷ ପରିବାରକୁ ପକ୍କାଘର ଯୋଗାଇଦେଇଛୁ। ରାଜ୍ୟର ଶେଷ କଚ୍ଚା ଘରକୁ ପକ୍କା ନ କରିବା ପର୍ଯ୍ୟନ୍ତ ଆମର ଏହି ଉଦ୍ୟମ ଜାରି ରହିବ। ଘର ତିଆରି ସହିତ ଘରର ମରାମତି ମଧ୍ୟ ଗୁରୁତ୍ବପୂର୍ଣ୍ଣ ।
ମୁଖ୍ୟମନ୍ତ୍ରୀ ଆହୁରି ବି କହିଛନ୍ତିଯେ, ମୁଁ ସବୁବେଳେ ଆପଣମାନଙ୍କ ସହିତ ଅଛି। ମୋ ରାଜ୍ୟର ଲୋକମାନଙ୍କୁ ମୁଁ କେବେବି ଅବହେଳାର ଶିକାର ହେବାକୁ ଦେବି ନାହିଁ । ଘର ନଥିବା ଗରିବ ଲୋକମାନଙ୍କୁ ଯଦି କେନ୍ଦ୍ରସରକାର ସାହାଯ୍ୟ ନକରନ୍ତି ତେବେ ରାଜ୍ୟ ସରକାର ଆପଣଙ୍କ ସହିତ ଅଛନ୍ତି। ଘର ହେଉଛି ଆମର ପରିଚୟ, ଆମର ସ୍ବାଭିମାନ। ତେଣୁ ଲୋକମାନଙ୍କ ଆଶ୍ରୟ ସୁରକ୍ଷାକୁ ପ୍ରାଥମିକତା ଦେଇ ସମସ୍ତଙ୍କ ମୁଣ୍ଡ ଉପରେ ଏକ ସୁନ୍ଦର ଛାତଟିଏ ରଖିବା ହେଉଛି ଆମର ଲକ୍ଷ୍ୟ। ଏଥିପାଇଁ ଆମର ଏହି ଉଦ୍ୟମ ଜାରି ରହିବ।
କରୋନା ମହାମାରୀର ଆର୍ଥିକ ସ୍ଥିତି ସମୟରେ ୧୨ଲକ୍ଷ ୨୫ହଜାର ପରିବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଘର ପାଇନାହାନ୍ତି। ବର୍ତ୍ତମାନ ସେମାନେ ଯେଉଁ ଘରେ ଅଛନ୍ତି ତା’ର ମରାମତି ପାଇଁ ବିଜୁ ପକ୍କାଘର ଯୋଜନାରୁ ୫ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ହିତାଧିକାରୀମାନେ ଉପସ୍ଥିତ ରହି ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ନିଜର କୃତଜ୍ଞତା ପ୍ରକାଶ କରିଥିଲେ।
ଏହି କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ପଞ୍ଚାୟତିରାଜ ବିଭାଗ ପ୍ରମୁଖ ସଚିବ ଅଶୋକ ମୀନା, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର, ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ଜିଲ୍ଲାପାଳମାନେ ଯୋଗଦେଇଥିଲେ। ଓ ଏହି ସମ୍ପୂର୍ଣ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କର ସଚିବ ତଥା 5T ସଚିବ ଭି.କେ.ପାଣ୍ଡିଆନ ପରିଚାଳନା କରିଥିଲେ।