ନାଗରିକମାନଙ୍କ ପାଇଁ ଏକ ବହୁତ ଭଲ ଖବର ଆସିଛି। ନିକଟ ଅତୀତରେ ଭାରତ ସରକାର ଘୋଷଣା କରିଛନ୍ତିଯେ ସରକାର ବହୁତ ଶୀଘ୍ର ନୂଆ ପାସପୋର୍ଟ ପାଇଁ ଆବେଦନ କରୁଥିବା ନାଗରିକମାନଙ୍କ କିମ୍ବା ନିଜର ମିଆଦ ପୂର୍ଣ୍ଣ ହେଉଥିବା ପାସପୋର୍ଟର ନବୀକରଣ କରୁଥିବା ନାଗରିକମାନଙ୍କୁ ଇ-ପାସପୋର୍ଟ ଜାରି କରିବା ଆରମ୍ଭ କରିଦେବ। ବୈଦେଶିକ ମନ୍ତ୍ରାଳୟର ସଚିବ ସଞ୍ଜୟ ଭଟ୍ଟାଚାର୍ଯ୍ୟ ଏକ ଟୁଇଟରେ କହିଛନ୍ତିଯେ, ‘ଭାରତ ବହୁତ ଶୀଘ୍ର ନାଗରିକମାନଙ୍କ ପାଇଁ ପରବର୍ତ୍ତୀ ପିଢ଼ିର ଏକ ଇ-ପାସପୋର୍ଟ ଆଣିବ’। ସେ ଆହୁରି ମଧ୍ୟ କହିଛନ୍ତିକି, ‘ଟ୍ରାଭେଲ ଡକ୍ୟୁମେଣ୍ଟ ସୁରକ୍ଷିତ ସହିତ ବାୟୋମେଟ୍ରିକ ତଥ୍ୟ ଉପରେ ମଧ୍ୟ ଆଧାରିତ ହେବ ଏବଂ ବିଶ୍ୱ ସ୍ତରରେ ଇମିଗ୍ରେସନ ପୋଷ୍ଟ ମାଧ୍ୟମରେ ସୁଗମ ପଥ ମଧ୍ୟ ନିଶ୍ଚିତ କରିବ।
ଭାରତ ଏବଂ ବିଦେଶରେ ପାସପୋର୍ଟ ପ୍ରଦାନକାରୀ ପ୍ରାଧିକରଣ ଦ୍ୱାରା ୨୦୧୯ ମସିହାରେ ୧୨.୮ ମିଲିୟନରୁ ଅଧିକ ପାସପୋର୍ଟ ଜାରି କରାଯାଇଥିଲା। ଯାହା ଦ୍ୱାରା ଭାରତ, ଚୀନ ଏବଂ ଆମେରିକା ପରେ ବିଶ୍ୱ ସ୍ତରରେ ସର୍ବ ବୃହତ ପାସପୋର୍ଟ ପ୍ରଦାନକାରୀ ଭାବରେ ପରିଣତ ହୋଇଥିଲା।
କଣ ଏହି ଇ-ପାସପୋର୍ଟ?
ଇ-ପାସପୋର୍ଟ ହେଉଛି ପାରମ୍ପରିକ ପାସପୋର୍ଟର ଅପଗ୍ରେଡ। ଏହାକୁ ଆହୁରି ଅଧିକ ସୁରକ୍ଷିତ କରିବା ପାଇଁ ଏବଂ ବିଶ୍ୱ ସ୍ତରରେ ଇମିଗ୍ରେସନ ପୋଷ୍ଟ ମାଧ୍ୟମରେ ସୁଗମ ମାର୍ଗ ସୁନିଶ୍ଚିତ କରିବା ହେଉଛି ଏହାର ଏକ ଉଦ୍ଦେଶ୍ୟ। ଏହା ଏକ ସ୍ୱତନ୍ତ୍ର ପାସପୋର୍ଟ ଅଟେ, ଯାହାକି ଚିପଯୁକ୍ତ ଅଟେ। ଏହା ସହ କୌଣସିବି ପ୍ରକାର ଠକେଇ ଏଥିରେ କରାଯାଇ ପାରିବନାହିଁ। ଏଥିରେ ଉନ୍ନତ ସୁରକ୍ଷା ବୈଶିଷ୍ଟ୍ୟ ରହିଛି। ଯଦି କେହି ପାସପୋର୍ଟରେ ଥିବା ଚିପ ସହ ଠକେଇ କରିବାକୁ ଚେଷ୍ଟା କରନ୍ତି, ତେବେ ସିଷ୍ଟମ ଏହାକୁ ଚିହ୍ନଟ କରିନେବ। ଥରେ ଧରାପଡ଼ିଲେ, ବିମାନବନ୍ଦରରେ ପାସପୋର୍ଟର ସତ୍ୟାପନ ସମ୍ପୂର୍ଣ୍ଣ ରୂପରେ ବିଫଳ ହୋଇଯିବ।
ଯାତ୍ରୀମାନଙ୍କ ସମସ୍ତ ବ୍ୟକ୍ତିଗତ ବିବରଣୀ ଡିଜିଟାଲ୍ ରୂପରେ ହସ୍ତାକ୍ଷରିତ ହୋଇ ଏକ ଚିପରେ ସଂଗୃହୀତ ହୋଇ ରହିବ। ଏବଂ ଏହାକୁ ପାସପୋର୍ଟରେ ଏମ୍ବେଡ କରାଯିବ। ଇ-ପାସପୋର୍ଟ ପାଇଁ ସଫ୍ଟୱେୟାର ଆଇଆଇଟି କାନପୁର ଏବଂ ନ୍ୟାସନାଲ ଇନଫରମେଟିକ୍ସ ସେଣ୍ଟର (NIC) ଦ୍ୱାରା ବିକଶିତ କରାଯାଇଛି। ସରକାର ଇ-ପାସପୋର୍ଟର ନିର୍ମାଣ ପାଇଁ ଇଲେକ୍ଟ୍ରୋନିକ କଣ୍ଟାକ୍ଟଲେସ ଇନଲେସ କ୍ରୟ ପାଇଁ ନାସିକର ଇଣ୍ଡିଆ ସିକ୍ୟୁରିଟି ପ୍ରେସକୁ ଅନୁମତି ଦେଇଛନ୍ତି। ଭାରତ ସରକାର ୨୦,୦୦୦ ସରକାରୀ ଏବଂ ରାଜନୈତିକ ଇ-ପାସପୋର୍ଟକୁ ଜାରି କରିଛନ୍ତି। ଭାରତରେ ପ୍ରଥମ ଇ-ପାସପୋର୍ଟ ୨୦୦୮ ମସିହାରେ ଦେଶର ତତ୍କାଳୀନ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କୁ ଜାରି କରାଯାଇଥିଲା।
ଇ-ପାସପୋର୍ଟକୁ ଆବେଦନ କିପରି କରିବେ?
ଇ-ପାସପୋର୍ଟ ପାଇବା ପାଇଁ ଆବେଦନକାରୀଙ୍କୁ ସାମ୍ପ୍ରତିକ ପ୍ରକ୍ରିୟାକୁ ଅନୁସରଣ କରିବା ପାଇଁ ପଡିବ। ଥରେ ଇ-ପାସପୋର୍ଟ ଜାରି କରାଯିବାର ପ୍ରକ୍ରିୟା ସମ୍ପୂର୍ଣ ହୋଇଗଲେ, ଆବେଦନକାରୀଙ୍କୁ ଇ-ପାସପୋର୍ଟ ମିଳିବା ଆରମ୍ଭ ହୋଇଯିବ। ସେତେ ପର୍ଯ୍ୟନ୍ତ ଆବେଦନକାରୀମାନଙ୍କୁ ପାରମ୍ପରିକ ପାସପୋର୍ଟ ମିଳି ଚାଲିଥିବ।
କେବେ ଲଞ୍ଚ ହେବ ଇ-ପାସପୋର୍ଟ?
୨୦୧୬ ମସିହାରେ ତତ୍କାଳୀନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଭି.କେ ସିଂ କହିଥିଲେଯେ ଚିପ-ଏମ୍ବେଡ ଇ-ପାସପୋର୍ଟ ୨୦୧୭ ମସିହା ଆରମ୍ଭ ସୁଦ୍ଧା ଆରମ୍ଭ ହେବ। ପୁଣି ଜୁନ ୨୦୨୦ ମସିହାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଥିଲେକି, ଚିପ୍ ଆଧାରିତ ପାସପୋର୍ଟର ଉତ୍ପାଦନ ପାଇଁ କ୍ରୟ ପ୍ରକ୍ରିୟା ବର୍ତ୍ତମାନ ଚାଲିଛି। ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବା ଆବଶ୍ୟକ ଅଟେ। ବର୍ତ୍ତମାନ ସମୟର ପାସପୋର୍ଟ ଜାରି ବ୍ୟବସ୍ଥାରେ ବ୍ୟକ୍ତିଗତକରଣର ପ୍ରଣାଳୀର ମାନଦଣ୍ଡକୁ ଅନ୍ତର୍ଭୁକ୍ତ ହେବା ପରେ ଭାରତର ସମସ୍ତ ୩୬ଟି ପାସପୋର୍ଟ କାର୍ଯ୍ୟାଳୟ ଇ-ପାସପୋର୍ଟ ପ୍ରଦାନ କରିବା ପାଇଁ ପ୍ରସ୍ତୁତ ହୋଇଯାଇଛି।