ମମିତା ମେହେରଙ୍କ ହ-ତ୍ୟା-କା-ଣ୍ଡ ମାମଲାର ଅଭିଯୁକ୍ତ ଗୋବିନ୍ଦ ସାହୁ ଜାମିନ ପାଇଁ ହାଇକୋର୍ଟ ନିକଟରେ ଦ୍ବାରସ୍ଥ ହୋଇଛନ୍ତି। ମମିତା ମେହେର ହତ୍ୟାକାଣ୍ଡର ଗୋବିନ୍ଦ ସାହୁ ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ। ଗତ ବର୍ଷ ଡିସେମ୍ବର ମାସ ୨୧ ତାରିଖରେ କଣ୍ଟାବାଞ୍ଜିର ଅତିରିକ୍ତ ଜିଲ୍ଲା ଦୌରାଜଜ ଗୋବିନ୍ଦ ସାହୁଙ୍କର ଜାମିନକୁ ଖାରଜ କରିଦେବା ପରେ ସେ ଆଜି ହାଇକୋର୍ଟଙ୍କ ନିକଟରେ ଦ୍ୱାରସ୍ଥ ହୋଇଛନ୍ତି। ପୂର୍ବରୁ ଅକ୍ଟୋବର ମାସ ୨୦ ତାରିଖରେ ବଙ୍ଗୋମୁଣ୍ଡା ଜେଏମଏଫସି ଗୋବିନ୍ଦ ସାହୁଙ୍କର ଜାମିନକୁ ଖାରଜ କରିଦେବା ପରେ ସେ ଜାମିନ ପାଇଁ କଣ୍ଟାବାଞ୍ଜିର ଅତିରିକ୍ତ ଜିଲ୍ଲା ଦୌରାଜଜ କୋର୍ଟରେ ଆବେଦନ କରିଥିଲେ।
ବଲାଙ୍ଗୀର ଜିଲ୍ଲାର ଝରଣୀ ଗାଁର ମମିତା ମେହେର କଳାହାଣ୍ଡି ମହାଲିଙ୍ଗ ପବ୍ଲିକ ସ୍କୁଲରେ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରୁଥିଲେ। ଅକ୍ଟୋବର ମାସ ୮ ତାରିଖରେ ସେ ଘରୁ ବସ ଯୋଗେ ସ୍କୁଲ ଅଭିମୁଖେ ବାହାରିଥିଲେ। ଚାନ୍ଦତାରା ଛକରେ ବସରୁ ଓହ୍ଲାଇ ସ୍କୁଲର ସଭାପତି ଗୋବିନ୍ଦ ସାହୁ ତାଙ୍କ ନିଜର କାରରେ ନେଇ ଯାଇଥିଲେ। ଏହାପରେ ମମିତା ନିଖୋଜ ହୋଇଯାଇଥିଲେ। ଅକ୍ଟୋବର ମାସ ୧୩ ତାରିଖରେ ସିନ୍ଧେକେଲା ଥାନାରେ ମମିତାଙ୍କର ପରିବାର ନିଖୋଜ ହେବାର ଏକ ଅଭିଯୋଗ କରିଥିଲେ। ଅକ୍ଟୋବର ମାସ ୧୪ ତାରିଖରେ ଗୋବିନ୍ଦ ସାହୁକୁ ପୋଲିସ ଅଟକ ରଖିଥିବା ସମୟରେ ଅକ୍ଟୋବର ମାସ ୧୭ ରାତିରେ ସେ ପୋଲିସ କବଜାରୁ ଫେରାର ହେବାରେ ସଫଳ ହୋଇଥିଲେ।
ଅକ୍ଟୋବର ମାସ ୧୯ ତାରିଖରେ ମହାଲିଙ୍ଗ ଷ୍ଟାଡିୟମ ପରିସରରୁ ପୋଡା ଯାଇଥିବା ଏକ ମୃତଦେହ ମାଟି ତଳୁ ଉଦ୍ଧାର କରାଯାଇଥିଲା। ଅକ୍ଟୋବର ମାସ ୧୯ ତାରିଖରେ ନିକଟସ୍ଥ ଏକ ଗାଁରୁ ଆଖୁ କିଆରୀ ଭିତରୁ ଗୋବିନ୍ଦ ସାହୁକୁ ପୋଲିସ ଗିରଫ କରିଥିଲା। ହତ୍ୟାକାଣ୍ଡରେ ସହଯୋଗ କରିଥିବା ଗାଡି ଡ୍ରାଇଭର ରାଧେଶ୍ୟାମ ଚଣ୍ଡୀକୁ ମଧ୍ୟ ପୋଲିସ ଗିରଫ କରିଥିଲା। ଏହି ଘଟଣାରେ ୧୦ ଜଣ ସାକ୍ଷୀଙ୍କର ସିଆରପିସିର ୧୬୪ ଧାରାରେ ବୟାନକୁ ରେକର୍ଡ କରାଯାଇଥିବା ସମୟରେ ୧୦୦ ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କର ସିଆରପିସିର ୧୬୧ ଧାରାରେ ବୟାନକୁ ରେକର୍ଡ କରାଯାଇଛି।