ବର୍ଷ ଆରମ୍ଭରୁ ଅଘଟଣ: ମାତା ବୈଷ୍ଣୋ ଦେବୀଙ୍କ ମନ୍ଦିରରେ ଦଳାଚକଟା, ୧୨ ଶ୍ରଦ୍ଧାଳୁ ମୃତ !

0

Get real time updates directly on you device, subscribe now.

ନୂଆ ବର୍ଷର ଆରମ୍ଭରୁ ଘଟିଲା ଅଘଟଣ। ଜମ୍ମୁ କାଶ୍ମୀର ସ୍ଥିତ ମାତା ବୈଷ୍ଣୋ ଦେବୀ ମନ୍ଦିରରେ ଦଳା ଚକଟା ହୋଇ ୧୨ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଛି। ଅନେକ ଶ୍ରଦ୍ଧାଳୁ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। କିଛି ଗୁରୁତରଙ୍କର ଅବସ୍ଥା ସଙ୍କଟାପନ୍ନ ଥିବା କାରଣରୁ ଏହି ସଂଖ୍ୟା ବଢ଼ିବା ନେଇ ଆଶଙ୍କା ପ୍ରକାଶ ହୋଇଛି। ପୋଲିସ ଓ ସୁରକ୍ଷାବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ଯାଇ ପହଞ୍ଚିଛନ୍ତି। ଆହତ ଶ୍ରଦ୍ଧାଳୁଙ୍କୁ କଟାରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସମୟରେ ମୃତକମାନଙ୍କର ପୋଷ୍ଟମର୍ଟମ କରାଯାଇଛି। ମୋଟ ଆହତଙ୍କ ସଂଖ୍ୟା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ିନାହିଁ।

ରିପୋର୍ଟ ଅନୁସାରେ, ଏହି ଦଳାଚକଟା ଗତକାଲି ରାତି ୨ରୁ ୩ଟା ମଧ୍ୟରେ ହୋଇଛି। ସାମାନ୍ୟ ଯୁକ୍ତିତର୍କକୁ ନେଇ ଲୋକମାନେ ପରସ୍ପରକୁ ଠେଲାପେଲା କରିବା ପରେ ଦଳାଚକଟା ହୋଇଯାଇଥିଲା। ତ୍ରିକୂଟ ପର୍ବତ ଚୂଡ଼ାରେ ଥିବା ପୀଠର ଗର୍ଭଗୃହ ବାହାରେ ଥିବା ୩ ନମ୍ବର ଫାଟକ ନିକଟରେ ଏହି ଦୁଃଖଦ ଘଟଣା ଘଟିଅଛି। ନବବର୍ଷର ପ୍ରଥମ ଦିନ ଅବସରରେ ମାତାଙ୍କର ଦର୍ଶନ ପାଇଁ ବହୁସଂଖ୍ୟକ ଭକ୍ତ ଏହି ଧର୍ମପୀଠରେ ସମବେତ ହୋଇଛନ୍ତି। ଏହି ଅଘଟଣ ପରେ ଯାତ୍ରାକୁ ବନ୍ଦ କରିଦିଆଯାଇଛି। ଦଳା ଚକଟା ପରେ ଅନେକ ଶ୍ରଦ୍ଧାଳୁ ଘରକୁ ଫେରୁଥିବା ଦେଖାଯାଇଛି।

ଏହି ଘଟଣାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ବ୍ୟକ୍ତ କରିଛନ୍ତି। ଦଳାଚକଟା ଘଟଣାରେ ମୃତକଙ୍କୁ ଦୁଇ ଲକ୍ଷ ଓ ଆହତ ଲୋକଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି। ଟ୍ୱିଟ ମାଧ୍ୟମରେ ମୋଦି ମୃତକଙ୍କର ପରିଜନଙ୍କୁ ସମବେଦନା ଜଣାଇବା ସହିତ ଗୁରୁତର ଲୋକଙ୍କର ଆରୋଗ୍ୟ କାମନା କରିଛନ୍ତି। ଦୁର୍ଘଟଣା ନେଇ ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଥା ହୋଇଛନ୍ତି।

Leave A Reply

Your email address will not be published.