ଭାରତରେ ତୃତୀୟ ଲହର ସଙ୍କେତ: ଡେଲ୍ଟା ଭ୍ୟାରିଆଣ୍ଟଠୁ ଦ୍ରୁତଗତିରେ ସଂକ୍ରମିତ କରୁଛି ଓମିକ୍ରନ୍, ୨୪ଘଣ୍ଟାରେ ୩୦୯ ନୂଆ ଓମିକ୍ରନ୍ ଚିହ୍ନଟ !
ଭାରତରେ କରୋନା ସଂକ୍ରମଣ ସାଙ୍ଗକୁ ଏହାର ଭେରିଏଣ୍ଟ ଓମିକ୍ରନ ମଧ୍ୟ ଦିନକୁ ଦିନ ଭୟଙ୍କର ହେବାକୁ ଲାଗିଲାଣି। ଯାହାକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ବାରମ୍ବାର ସତର୍କ କରାଇବା ସହିତ କୋଭିଡର କଟକଣା କଡାକଡି ଭାବରେ ପାଳନ କରିବା ପାଇଁ ପରାମର୍ଶ ଦେଉଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଡେଲଟା ଭେରିଏଣ୍ଟ ଯେଉଁଭଳି ଭାବରେ ଭାରତରେ ପ୍ରଭାବ ବିସ୍ତାର କରୁଥିଲା ବର୍ତ୍ତମାନ ସେହିଭଳି ଭାବରେ ଓମିକ୍ରନ ମଧ୍ୟ ବିସ୍ତାର ହେବାରେ ଲାଗିଛି। ଏକ୍ସପର୍ଟଙ୍କ କହିବା ଅନୁସାରେ, ଡେଲଟା ଭେରିଏଣ୍ଟର ସ୍ଥାନ ଓମିକ୍ରନ ନେଉଛି।
ସୂଚନା ଅନୁସାରେ, ଭାରତରେ ଆଜି ୩୦୯ ଜଣ ନୂଆ ଓମିକ୍ରନ ଭେରିଏଣ୍ଟ କରୋନାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନରେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବା ଏହା ପ୍ରଥମ ଘଟଣା ଅଟେ। ଓମିକ୍ରନ ଭେରିଏଣ୍ଟ ଯେଉଁଭଳି ଭାବରେ ସଂକ୍ରମିତ କରୁଛି ଏଭଳି ହେଲେ ଆଗକୁ ଦେଶରେ ପରିସ୍ଥିତି ମଧ୍ୟ ସାଂଘାତିକ ହେବ। ଆଜି ଚିହ୍ନଟ ହୋଇଥିବା ୩୦୯ ଜଣ ନୂଆ ଓମିକ୍ରନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଓମିକ୍ରନ ସଂକ୍ରମିତଙ୍କର ସଂଖ୍ୟା ୧୨୭୦ରେ ପହଞ୍ଚିଛି। ଏହା ସହ ଶୁକ୍ରବାର ଦିନ ଦେଶରେ ମୋଟ ୧୬୭୬୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସମୟରେ ୨୨୦ ଜଣଙ୍କର ମୃତ୍ୟୁ ହୋଇଛି।
କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ତାରରୁ ମିଳିଥିବା ସୂଚନା ଅନୁସାରେ ଭାରତରେ ବର୍ତ୍ତମାନ ସୁଦ୍ଧା ଓମିକ୍ରନରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ମହାରାଷ୍ଟ୍ରରେ ଜଣଙ୍କ ଜୀବନ ଯାଇଥିବା ସମୟରେ ଉଦୟପୁରରେ ଓମିକ୍ରନ ଆଉ ଗୋଟିଏ ମୁଣ୍ଡ ନେଇଛି। ଓମିକ୍ରନରେ ସଂକ୍ରମିତଙ୍କ ବ୍ୟକ୍ତିଙ୍କର ସଂଖ୍ୟା ମହାରାଷ୍ଟ୍ରରେ ସର୍ବାଧିକ ରହିଥିବା ସମୟରେ କେରଳ ମଧ୍ୟ ପଛରେ ପଡି ନାହିଁ। ମହାରାଷ୍ଟ୍ରରେ ବର୍ତ୍ତମାନ ସୁଦ୍ଧା ୪୫୦ ଜଣ ଓମିକ୍ରନ ଭେରିଏଣ୍ଟ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦିଲ୍ଲୀରେ ୩୨୦ ଜଣ ଚିହ୍ନଟ ହୋଇସାରିଲେଣି। ସେହିଭଳି କେରଳରେ ୧୦୯, ଗୁଜୁରାଟରେ ୯୭ ଜଣ ଓମିକ୍ରନ୍ ଭେରିଏଣ୍ଟ ଚିହ୍ନଟ ହୋଇସାରିଛନ୍ତି।
ରିପୋର୍ଟ ଅନୁସାରେ, ଭାରତରେ ୬୪ ଦିନ ପରେ ଭାରତରେ କରୋନା ଆକ୍ରାନ୍ତଙ୍କଂର ସଂଖ୍ୟା ଶୁକ୍ରବାର ୧୬ ହଜାର ଟପିଛି। ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୪୮ ଲକ୍ଷ ୩୮ ହଜାର ୮୦୪ରେ ପହଞ୍ଚିଛି। ସେଥିମଧ୍ୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ୯୧,୩୬୧ଜଣଙ୍କର ଚିକିତ୍ସା ଜାରି ରହିଥିବା ବେଳେ ମୃତ୍ୟୁସଂଖ୍ୟା ୪ ଲକ୍ଷ ୮୧ ହଜାର ୮୦ରେ ପହଞ୍ଚିଛି । ଶେଷଥର ପାଇଁ ଅକ୍ଟୋବର ମାସରେ ଗୋଟିଏ ଦିନରେ ୧୬ ହଜାର ୧୫୮ ଜଣ ଆକ୍ରାନ୍ତ ବୋଲି ଚିହ୍ନଟ ହୋଇଥିଲେ।