ତୁର୍କୀର ଜଣେ ଯୁବତୀ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଭଲ ପାଉଥିଲେ। ଏହାପରେ ଯୁବତୀ ଜଣକ ହଜାର କିଲୋମିଟର ଦୂରରୁ ଭାରତରେ ଆସି ପହଞ୍ଚିଥିଲେ ଓ ତାଙ୍କର ପ୍ରେମିକଙ୍କୁ ବିବାହ କରିଥିଲେ। କିନ୍ତୁ ଉଭୟଙ୍କର ୨ବର୍ଷ ପୂର୍ବରୁ ନିର୍ବନ୍ଧ ସରି ଯାଇଥିଲା। ଉଭୟଙ୍କ ପରିବାରବର୍ଗଙ୍କ ଅନୁମତି ମିଳିବା ପରେ ଭାରତୀୟ ଯୁବକ ଓ ବିଦେଶୀ ଯୁବତୀଙ୍କର ବିବାହ ହୋଇଥିଲା।
ସୂଚନା ଅନୁସାରେ, ଆନ୍ଧ୍ରପ୍ରଦେଶର ଗୁଟୁରରେ ରହୁଥିବା ମଧୁ ସଙ୍କିରଥଙ୍କ ସାକ୍ଷାତ ୨୦୧୬ ମସିହାରେ ତୁର୍କୀର ଗିଜେମଙ୍କ ସହ ହୋଇଥିଲା। ଉଭୟ ଏକ କାମରେ ଯାଇଥିବା ସମୟରେ ଭେଟାଭେଟି ହୋଇଥିଲା। ସେବେଠାରୁ ଦୁହିଁଙ୍କ ମଧ୍ୟରେ ବନ୍ଧୁତାର ଏକ ବନ୍ଧନ ବାନ୍ଧି ହୋଇଯାଇଥିଲା। ଏହାପରେ ସଙ୍କିରଥ କାମ ପାଇଁ ସେ ତୁର୍କୀ ଚାଲିଯାଇଥିଲେ। ଏହିଠାରୁ ଦୁହିଁଙ୍କର ବନ୍ଧୁତା ପ୍ରେମ ସମ୍ପର୍କରେ ପରିବର୍ତ୍ତନ ହୋଇ ଯାଇଥିଲା। ତୁର୍କୀରେ ଗିଜେମ ସଙ୍କିରଥଙ୍କର ବହୁତ ସାହାଯ୍ୟ କରିଥିଲେ।
ଏହି ପ୍ରେମୀଯୁଗଳ ଯେତେବେଳେ ନିଜର ଏହି ସମ୍ପର୍କକୁ ପରିବାରଲୋକମାନଙ୍କୁ ଜଣାଇଥିଲେ ଦୁହିଁଙ୍କର ପରିବାର ରାଜି ହୋଇନଥିଲେ। ଶେଷରେ ଦୁହେଁ ନିଜର ପରିବାରଲୋକଙ୍କୁ ବୁଝାଇଥିଲେ। ପରିବାର ଲୋକଙ୍କର ଅନୁମତି କ୍ରମେ ୨୦୧୯ ମସିହାରେ ଦୁହିଁଙ୍କର ନିର୍ବନ୍ଧ ହୋଇଥିଲା। ୨୦୨୦ ମସିହାରେ ଗିଜେମ ଓ ସଙ୍କିରଥଙ୍କ ବିବାହ ହେବାର ଥିଲା। କିନ୍ତୁ କରୋନା ମହାମାରୀ ପାଇଁ ସେମାନଙ୍କର ନିଜ ବିବାହକୁ ଘୁଞ୍ଚାଇ ଦିଆଯାଇଥିଲା।
ବର୍ତ୍ତମାନର ପରିସ୍ଥିତି ଧୀରେ ଧୀରେ ସ୍ବାଭାବିକ ହେବା ପରେ ଗିଜେମ ଓ ସଙ୍କିରଥଙ୍କର ବିବାହ ଗତ ମଙ୍ଗଳବାର ଦିନ ତେଲୁଗୁ ରୀତି-ନୀତିରେ ସମ୍ପର୍ଣ୍ଣ ହୋଇଥିଲା। ଦୁହିଁଙ୍କର ଏହି ବିବାହ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି।