ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା,ଜାନୁଆରୀ ୩ରୁ ଛୁଆଙ୍କୁ ଦିଆଯିବ ଟୀକା !

0

Get real time updates directly on you device, subscribe now.

ପବିତ୍ର ଖ୍ରୀଷ୍ଟମାସ ଓ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କର ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ଦେଶବାସୀଙ୍କୁ ସମ୍ବୋଧନ କରି ବଡ଼ ଘୋଷଣା କରିଛନ୍ତି। ତାଙ୍କ ଘୋଷଣା ଅନୁସାରେ, ଜାନୁଆରୀ ୩ ତାରିଖରୁ ଦେଶରେ ୧୫ ରୁ ୧୮ ବର୍ଷ ବୟସ୍କଙ୍କର ଟିକାକରଣ ଆରମ୍ଭ ହେବ।

ପୂର୍ବରୁ ଦେଶରେ କେବଳ ୧୮ ବର୍ଷରୁ ଅଧିକ ବୟସ୍କଙ୍କର ଟିକାକରଣ କରାଯାଉ ଥିଲା। କିନ୍ତୁ ୨୦୨୨ ଜାନୁଆରୀ ୩ ତାରିଖରୁ ୧୫ ବର୍ଷ ଓ ତା’ଠାରୁ ଅଧିକ ବୟସ୍କଙ୍କ ଟିକାକରଣ ଆରମ୍ଭ କରାଯିବ। ଏଥିପାଇଁ ସରକାରୀ ସ୍ତରରେ ସମସ୍ତ ପ୍ରକାରର ପ୍ରସ୍ତୁତି ଶେଷ ହୋଇସାରିଛି।

ସେହିପରି ଜାନୁଆରୀ ୧୦ ତାରିଖରୁ ୬୦ ବର୍ଷରୁ ଅଧିକ ବୟସ୍କ ଓ ବହୁବିଧି ରୋଗରେ ପୀଡ଼ିତ ଲୋକଙ୍କୁ ବୁଷ୍ଟର ଡୋଜ ଦିଆଯିବ। ଡାକ୍ତରଙ୍କର ପରାମର୍ଶକ୍ରମେ ସେମାନେ ଟିକାର ବୁଷ୍ଟର ଡୋଜ ବା ପ୍ରତିଷେଧମୂଳକ ଡୋଜ ମଧ୍ୟ ନେଇପାରିବେ। କରୋନାର ସମ୍ମୁଖଯୋଦ୍ଧାଙ୍କୁ ମଧ୍ୟ ଟିକାର ବୁଷ୍ଟର ଡୋଜ ଦିଆଯିବ। ଏହି ପ୍ରକ୍ରିୟା ଜାନୁଆରୀ ୧୦ ତାରିଖରୁ ଆରମ୍ଭ ହେବ।

ଆଜି ରାତି ୯.୪୬ରେ ଦେଶବାସୀଙ୍କୁ ହଠାତ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧନ କରି ଏହି ବିଷୟରେ କହିଥିଲେ। ଏହି ସମୟରେ ସେ ସମସ୍ତଙ୍କୁ ବିଶ୍ୱରେ ଆତଙ୍କ ଖେଳାଉଥିବା ଓମିକ୍ରନ୍ ଭେରିଏଣ୍ଟ ପ୍ରତି ସତର୍କ ରହିବା ପାଇଁ କହିଛନ୍ତି। ତେବେ ସେ ଭୟଭୀତ ନ ହୋଇ ମାସ୍କ ବ୍ୟବହାର କରିବା ସହିତ କୋଭିଡର ଉଚିତ ବ୍ୟବହାର ପାଳନ କରିବାକୁ କହିଛନ୍ତି।

ସେ କହିଛନ୍ତିକି, କରୋନା ମହାମାରୀର ବିପଦ ବର୍ତ୍ତମାନ ପର୍ଯ୍ଯନ୍ତ ଟଳିନି। ତେଣୁ କେହିବି ଅବହେଳା କରିବା ଉଚିତ ନୁହେଁ। ଗୋଆ, ହିମାଚଳ ଓ ଉତ୍ତରାଖଣ୍ଡରେ ଶତ ପ୍ରତିଶତ ଲୋକ ଟିକାର ଗୋଟିଏ ଡୋଜ ନେଇ ସାରିଛନ୍ତି। ଗ୍ରାମାଞ୍ଚଳରେ ମଧ୍ୟ ଟିକାକରଣର ହାର ବଢ଼ୁଛି। ତେବେ ଟିକାକୁ ନେଇ ପ୍ରଚାର ହେଉଥିବା ଗୁଜବରେ ଆଦୌ ବିଶ୍ୱାସ କରିବା ଉଚିତ ନୁହେଁ। ଦୟାକରି କେହିବି ଟିକାକୁ ନେଇ ଅପପ୍ରଚାର କରନ୍ତୁ ନାହିଁ। ଆମକୁ ଏହି ଗୁଜବ ବିରୋଧରେ ଏକାଠି ହେବାକୁ ପଡ଼ିବ ବୋଲି ମୋଦି କହିଛନ୍ତି।

ଦେଶରେ ଓମିକ୍ରନ ସଂଖ୍ୟା ସଂକ୍ରମଣ ବଢ଼ୁଥିଲେ ଏହାର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ମୋଦି କହିଛନ୍ତି। ସେ କହିଛନ୍ତିକି, ଦେଶରେ ୧୮ ଲକ୍ଷ ଆଇସୋଲେସନ ବେଡ, ୫ ଲକ୍ଷ ଅକ୍ସିଜେନ ବେଡ, ୧.୪୦ ଲକ୍ଷ ଆଇସିୟୁ ବେଡ, ୩ ହଜାରରୁ ଅଧିକ ପିଏସ ଅକ୍ସିଜେନ ପ୍ଲାଣ୍ଟ ଓ ୪ ଲକ୍ଷ ଅକ୍ସିଜେନ ସିଲିଣ୍ଡର ବିଭିନ୍ନ ସ୍ଥାନରେ ମହଜୁଦ ଅଛି।

ବର୍ତ୍ତମାନ ସୁଦ୍ଧା ୬୧ ପ୍ରତିଶତରୁ ଅଧିକ ଲୋକ ଟିକାର ଡବଲ ଡୋଜ ନେଇ ସାରିଛନ୍ତି। ୧୪୧ କୋଟି ଡୋଜର ଟିକାକରଣ ହୋଇଛି। ଟିକା ପାଇଁ ଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରୁ ୯୦ ପ୍ରତିଶତ ଲୋକ ଅତିକମରେ ଗୋଟିଏ ଲେଖାଏଁ ଡୋଜ ନେଇସାରିଛନ୍ତି ବୋଲି ମୋଦି ଏହି ସମ୍ବୋଧନରେ କହିଛନ୍ତି।

Leave A Reply

Your email address will not be published.