ଫିକା ପଡିବ ବଡଦିନ ଏବଂ ନୂଆ ବର୍ଷ : ଏହିସବୁ ରାଜ୍ୟରେ ଲାଗୁହେଲା ନାଇଟ୍‌ କର୍ଫ୍ୟୁ, ନିୟମ ନମାନିଲେ ଗଣିବାକୁ ପଡିବ ମୋଟାଅଙ୍କର ଫାଇନ୍‌ !

0

Get real time updates directly on you device, subscribe now.

ବର୍ତ୍ତମା ଦେଶରେ ଓମିକ୍ରନ ହୁ ହୁ ହୋଇ ବଢିବାରେ ଲାଗିଛି। ଦିନକୁ ଦିନ ଓମିକ୍ରନରେ ସଂକ୍ରମିତଙ୍କ ସଂଖ୍ୟା ଅହେତୁକ ଭାବରେ ବୃଦ୍ଧିପାଇବାରେ ଲାଗିଛି। ବର୍ତ୍ତମାନ ଏହା ବିଭିନ୍ନ ରାଜ୍ୟରେ ଏକ ଚିନ୍ତାର କାରଣ ପାଲଟିଛି। ଆଗକୁ ବଡଦିନ ଆସୁଛି ଏବଂ ନୂଆବର୍ଷ ଆସୁଥିବାରୁ କଟକଣା ଜାରି କରାଯାଉଛି।

କରୋନାର ଏହି ନୂଆ ଭେରିଏଣ୍ଟ ଓମିକ୍ରନକୁ ଦୃଷ୍ଟିରେ ରଖି ଶୁକ୍ରବାର ଦିନ ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ଗୁଜୁରାଟ ଏବଂ ହରିୟାଣା ସମେତ ଆଉ କିଛି ରାଜ୍ୟରେ ନାଇଟ୍‌ କର୍ଫ୍ୟୁ ଲାଗୁ କରାଯାଇଛି। ଏହା ପୂର୍ବରୁ ଗୁରୁବାର ଦିନ ମଧ୍ୟ ପ୍ରଦେଶ ସରକାର ନାଇଟ କର୍ଫ୍ୟୁ ଘୋଷଣା କରିଥିଲେ। ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୩୫୮ ଜଣ ଓମିକ୍ରନ ଭେରିଏଣ୍ଟ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। କେବଳ ଶୁକ୍ରବାର ଦିନ ମହାରାଷ୍ଟ୍ରରେ ୨୦ ଜଣ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଓମିକ୍ରନର ବୃଦ୍ଧିକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ଶୁକ୍ରବାର ଦିନ ରାତି ୯ଟା ରୁ ସକାଳ ୬ଟା ପର୍ଯ୍ଯନ୍ତ ନାଇଟ୍‌ କର୍ଫ୍ୟୁ ଲାଗୁ କରିଛନ୍ତି। ଏହା ସହ ରାଜ୍ୟର କୌଣସି ସ୍ଥାନରେ ୫ରୁ ଅଧିକ ଲୋକ ଏକାଠି ଉପରେ କଟକଣା ଲାଗୁହୋଇଛି। କୋଭିଡ ନିୟମ ଉଲ୍ଲଂଘନ କରିଲେ ୫ଶହ ଟଙ୍କା ଫାଇନ ଦେବା ପାଇଁ ହେବ। କୌଣସି କାର୍ଯ୍ୟକ୍ରମ ଆୟୋଜନ ହେଲେ ଆୟୋଜକଙ୍କ ଠାରୁ ୫୦ ହଜାର ଟଙ୍କାର ଜରିମାନା ଦେବାକୁ ହେବ।

ଉତ୍ତର ପ୍ରଦେଶରେ ମଧ୍ୟ ଡିସେମ୍ବର ୨୫ ତାରିଖରୁ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି। ରାତି ୧୧ଟା ରୁ ଭୋର ୫ଟା ପର୍ଯ୍ଯନ୍ତ କର୍ଫ୍ୟୁ ଲାଗୁକରାଯିବ। ସେହିଭଳି ଗୁଜୁରାଟରେ ମଧ୍ୟ ବଡଦିନ ରୁ ନାଇଟକର୍ଫ୍ୟୁ ଲାଗୁ କରାଯିବ। ଅହମ୍ମଦାବାଦ, ସୁରତ, ରାଜକୋଟ, ଭାବନଗର, ଜାମନଗର, ଗାନ୍ଧିନଗର ସମେତ ଜୁନାଗଡ ଆଦିରେ ରାତି ୧୧ଟା ରୁ ଭୋର ୫ଟା ପର୍ଯ୍ଯନ୍ତ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରାଯିବ।

ହରିୟାଣା ଏବଂ ମଧ୍ୟ ପ୍ରଦେଶ ସରକାର ମଧ୍ୟ ରାତି ୧୧ଟା ରୁ ଭୋର ୫ଟା ପର୍ଯ୍ଯନ୍ତ କର୍ଫ୍ୟୁ ଘୋଷଣା କରିଛନ୍ତି। ଏହା ସହ କୋଭିଡ ପ୍ରୋଟୋକଲକୁ କଡାକଡି ଭାବରେ ପାଳନ କରିବା ପାଇଁ ନିର୍ଦେଶ ଦିଆଯାଇଛି।

ନୂଆ ବର୍ଷ ପାଇଁ ଓଡିଶା ସରକାର ମଧ୍ୟ ଏକ ଗାଇଡଲାଇନ ଜାରିକରାଯାଇଛି । ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ତରଫରୁ ଏକ ଗାଇଡଲାଇନ ଜାରି କରାଯାଇଛି। ନୂଆ ଗାଇଡଲାଇନ ଅନୁସାରେ କେବଳ ଡିସେମ୍ବର ୨୫ ତାରିଖ ବଡଦିନରେ କଟକଣା ଲାଗୁ ହେବ। ପରେ ପୁଣି ଡିସେମ୍ବର ୩୧ ତାରିଖ ରୁ ଜାନୁୟାରୀ ୨ ତାରିଖ ପର୍ଯ୍ଯନ୍ତ ପୁଣି କଟକଣା ବଳବତ୍ତର ରହିବ। ଏହା ସହ ପିକନିକ ଓ ବଣଭୋଜି ଉପରେ ପ୍ରତିବନ୍ଧକ। ଭୋଜିଭାତ ହୋଇପାରିବନି। କରୋନାର ନୂଆ ଭେରିଏଣ୍ଟ ଓମିକ୍ରନ ଆତଙ୍କ ପରେ ସରକାର କଟକଣା ଜାରି କରିଥିଲେ। ଓ ପରେ ସେଥିରେ ସଂଶୋଧନ ମଧ୍ୟ କରିଛନ୍ତି।

ସୂଚନା ଅନୁସାରେ, ଓଡିଶାରେ ୪ ଜଣ କରୋନାର ନୂଆ ଭେରିଏଣ୍ଟ ଓମିକ୍ରନରେ ଆକ୍ରାନ୍ତ ହୋଇଛନ୍ତି। ଆଗକୁ ନୂଆ ବର୍ଷ ଥିବାରୁ ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଛି। ଯାହାକୁ ନଜରରେ ରଖି ସରକାର ବଡଦିନ ଏବଂ ନୂଆବର୍ଷ ପାଇଁ କଟକଣା ଲାଗୁ କରିଛନ୍ତି। ଡିସେମ୍ବର ୨୫ ତାରିଖ ଦିନ ବଡଦିନ ଏବଂ ଜିରୋ ନାଇଟ ବନ୍ଦ କରିବା ପାଇଁ ଡିସେମ୍ବର ୩୧ ରୁ ଜାନୁଆରୀ ୨ ତାରିଖ ପର୍ଯ୍ଯନ୍ତ କଟକଣା ଲାଗୁ ହୋଇଛି।

କଟକଣା ଅନୁସାରେ, ହୋଟେଲ, କଲ୍ୟାଣ ମଣ୍ଡପ ସମେତ କୌଣସି ସ୍ଥାନରେ ଜିରୋ ନାଇଟ ସେଲିବ୍ରେସନ, ଭୋଜିଭାତ, ସର୍ବସାଧାରଣରେ ଭୋଜିଭାତ ଉପରେ ରୋକ ଲାଗିଛି। ସେହିପରି ବଡଦିନ ଓ ନୂଆବର୍ଷରେ କୌଣସି ସ୍ଥାନରେ ବଣଭୋଜି ହୋଇପାରିବ ନାହିଁ। ଆହୁରି ମଧ୍ୟ ଖ୍ରୀଷ୍ଟମାସ ପାଳନ ସମୟରେ ଚର୍ଚ୍ଚରେ ସର୍ବାଧିକ ୫୦ ଜଣ ଉପସ୍ଥିତ ରହିପାରିବେ। ଏହା ସହିତ କୋଭିଡର ଗାଇଡଲାଇନ ପାଳନ କରିବାକୁ ହେବ।

ଏହା ବ୍ୟତୀତ, ବିବାହ ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟକ୍ରମ ଆୟୋଜନ ହୋଇପାରିବ ନାହିଁ। ରାଲି, ନାଚଗୀତ ଆଦି ଉପରେ ପ୍ରତିବନ୍ଧକ ଲାଗିଛି। ଶବ ସତ୍କାର ସମୟରେ ମଧ୍ୟ କୋଭିଡର କଟକଣାକୁ ପାଳନ କରିବା ପାଇଁ ସରକାର ପରାମର୍ଶ ଦେଇଛନ୍ତି। ଆବଶ୍ୟକ ହେଲେ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ଏସପି ସ୍ବତନ୍ତ୍ର କଟକଣା ଲାଗୁକରିପାରିବେ।

Leave A Reply

Your email address will not be published.