ଅନଲାଇନ ଠକଙ୍କ ପଞ୍ଝାରେ ଯୁବତୀ : ଲକ୍ଷେ ଟଙ୍କା ଆଶାରେ ୧୪ ଲକ୍ଷ ହରାଇଲେ ଯୁବତୀ

ପୁଣି ଅନଲାଇନରେ ଠକଙ୍କର ପଞ୍ଝାରେ ପଡ଼ି ଜଣେ ଯୁବତୀ ଟଙ୍କା ହରାଇଛନ୍ତି। ଜଣେ ୨୨ ବର୍ଷୀୟ ଯୁବତୀ ଲକ୍ଷେ ଟଙ୍କା ଋଣ ନେବାକୁ ଯାଇ ୧୪ ଲକ୍ଷରୁ ଅଧିକ ଟଙ୍କା ହରାଇଛନ୍ତି। ଗୋଟିଏ ଫାଇନାନ୍ସ କମ୍ପାନୀର ପରିଚୟ ଦେଇ ଦୁଇଜଣ ଯୁବକ ତାଙ୍କ ନିକଟରୁ ଏପରି ଠକେଇ କରିଥିବାର ଅଭିଯୋଗ ହୋଇଛି।

ଯୁବତୀଙ୍କର ବାପା ଗୋଟିଏ କମ୍ପାନୀର ବିଜନେସ ମୁଖ୍ୟ ଭାବରେ କାମ କରୁଥିଲେ। ଅବସର ନେବା ପରେ ସେ ତାଙ୍କର ବ୍ୟାଙ୍କ ଆକାଉଣ୍ଟରେ ୧୮ ଲକ୍ଷ ଟଙ୍କା ଜମା କରିଥିଲେ। ବ୍ୟକ୍ତିଗତ କାରଣ ପାଇଁ ଯୁବତୀ ଜଣଙ୍କ ତାଙ୍କର ବାପାଙ୍କ ଆକାଉଣ୍ଟରୁ ଲକ୍ଷେ ଟଙ୍କା ଉଠାଇଥିଲେ। ତେଣୁ ଏହି ଟଙ୍କାକୁ ପୈଠ କରିବା ପାଇଁ ସେ ଋଣ ନେବାକୁ ଚାହିଁଥିଲେ।

ଜୁଲାଇ ମାସ ୨୪ ତାରିଖରେ ଜଣେ ବ୍ୟକ୍ତି ତାଙ୍କୁ ଫୋନ କରିବା ସହ ନିଜକୁ ଗୋଟିଏ ଘରୋଇ ଫାଇନାନ୍ସ କମ୍ପାନୀର କର୍ମଚାରୀ ଭାବରେ ପରିଚୟ ଦେଇଥିଲେ। ଏହି ସମୟରେ ବ୍ୟକ୍ତି ଜଣଙ୍କ ଯୁବତୀଙ୍କୁ ଲକ୍ଷେ ଟଙ୍କାର ଲୋନ ଦେବେ ବୋଲି କହିଥିଲେ। ତାଙ୍କ କଥାରେ ବିଶ୍ୱାସ କରି ଯୁବତୀ ଜଣଙ୍କ ମଧ୍ୟ ଲୋନ ପାଇଁ ସମସ୍ତ ପ୍ରୋସେସିଂ ଆରମ୍ଭ କରି ଦେଇଥିଲେ।

ପ୍ରାଥମିକ ଅବସ୍ଥାରେ ବ୍ୟକ୍ତିଜଣକ ତାଙ୍କୁ ୨୬ ଶହ ଟଙ୍କା ପ୍ରୋସେସିଂ ଫି’ ବାବଦରେ ଦାଖଲ କରିବା ପାଇଁ କହିଥିଲେ। ଯୁବତୀ ଜଣଙ୍କ ମଧ୍ୟ ଟଙ୍କା ଦେଇଥିଲେ। ବିସ୍ତୃତ ତଥ୍ୟ ଓ ଅନ୍ୟାନ୍ୟ କାଗଜପତ୍ର ଦାଖଲ କରିବା ସତ୍ତ୍ୱେ ମଧ୍ୟ ତାଙ୍କୁ ଲୋନ ମିଳିନଥିଲା। କେବଳ ସମୟ ଗଡ଼ି ଚାଲିଥିଲା।

ଫଳରେ ମହିଳା ଉକ୍ତ ଘରୋଇ କମ୍ପାନୀ ସହ ଯୋଗାଯୋଗ କରିଥିଲେ। ଏହି ସମୟରେ ଆଉ ଜଣେ ବ୍ୟକ୍ତି ଯୁବତୀଙ୍କ ସହ କଥାବାର୍ତ୍ତା ହୋଇଥିଲେ। ପୂର୍ବରୁ ଲୋନ କାମରେ ନିୟୋଜିତ ଥିବା କର୍ମଚାରୀଜଣଙ୍କ କରୋନାରେ ଆକ୍ରାନ୍ତ ହୋଇଥିବାରୁ ବର୍ତ୍ତମାନ ସେ ଏହି କାମ କରୁଥିବା ଯୁବତୀଙ୍କୁ ଦ୍ୱିତୀୟ ବ୍ୟକ୍ତଜଣକ କହିଥିଲେ।

ତେଣୁ ଲୋନ ପ୍ରୋସେସିଂ ପାଇଁ ସବୁ କାମ ପୁଣି ଆରମ୍ଭ କରିବାକୁ ହେବ ବୋଲି ବ୍ୟକ୍ତିଜଣକ ପରାମର୍ଶ ଦେଇଥିଲେ। ଯୁବତୀଜଣକ ପୁଣି ତାଙ୍କ କଥାରେ ବିଶ୍ୱାସ କରି ବିଭିନ୍ନ ପର୍ଯ୍ୟାୟରେ ଟଙ୍କା ପଠାଇବା ଆରମ୍ଭ କରି ଦେଇଥିଲେ। ଟଙ୍କା ନେବା ବେଳେ ଏହାକୁ ଯୁବତୀଙ୍କୁ ଫେରାଇ ଦିଆଯିବ ବୋଲି ମଧ୍ୟ ବ୍ୟକ୍ତିଜଣକ ପ୍ରତିଶୃତି ଦେଇଥିଲେ।

ଏପରି ଭାବରେ ବ୍ୟକ୍ତିଜଣକ ଯୁବତୀଙ୍କ ଠାରୁ ୧୪.୪୭ ଲକ୍ଷ ଟଙ୍କା ନେଇ ଯାଇଥିଲେ। ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ଯୁବତୀ ଜଣକ ଏହି ଟଙ୍କା ଦେଇଛନ୍ତି। ତଥାପି ଲୋନର ମଞ୍ଜୁର ନ ହେବାରୁ ଯୁବତୀଜଣକ ଠକାମୀର ଗନ୍ଧ ବାରିଥିଲେ। ଏହାପରେ ସେ ପୋଲିସ ନିକଟରେ ପହଞ୍ଚି ଅଭିଯୋଗ କରିଥିଲେ। ପୋଲିସ ବର୍ତ୍ତମାନ ଯୁବତୀଙ୍କୁ ଯୋଗାଯୋଗ କରିଥିବା ରାଜ କୁଣ୍ଡେ ଓ ଅଞ୍ଜୁମ ସାହୁ ନାମକ ଦୁଇ ଜଣ ଅଜଣା ବ୍ୟକ୍ତିଙ୍କ ବିରୋଧରେ ଏକ ଠକେଇ ମାମଲା ରୁଜୁ କରି ବର୍ତ୍ତମାନ ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published.