ତପସ୍ୱିନୀ ଘୋଡ଼ାଇ ଦେଲେ ସିସିଟିଭି,ଗତିବିଧିରୁ ଷଡଯନ୍ତ୍ରର ଗନ୍ଧ ବାରିଲେ ଶ୍ୱଶୁର !

ବ୍ରହ୍ମପୁରର ବହୁଚର୍ଚ୍ଚିତ ଡାକ୍ତର ସୁମିତ ଓ ତପସ୍ୱିନୀଙ୍କର ପାରିବାରିକ ବିବାଦ ମାମଲାରେ ପ୍ରତିଦିନ କିଛି କିଛି ନୂଆ ନୂଆ ଘଟଣା ସାମ୍ନାକୁ ଆସୁଅଛି। ତପସ୍ୱିନୀ ତଥା ତାଙ୍କର ସ୍ୱାମୀ ଓ ଶ୍ୱଶୁର ଘର ବାରମ୍ବାର ମୁହାଁମୁହିଁ ହେଉଥିବା ବେଳେ ଆଜି ଆସିଛି ଏକ ନୂଆ ଅଭିଯୋଗ।

ଶ୍ୱଶୁର ପ୍ରମୋଦ ସାହୁ ବୋହୂ ତପସ୍ୱିନୀଙ୍କ ନାମରେ ଆଉ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି। ତପସ୍ୱିନୀଙ୍କର ଗତିବିଧିରୁ ଷଡଯନ୍ତ୍ରର ଗନ୍ଧ ବାରି ହେଉଛି, ତେଣୁ ବିହିତ ପଦକ୍ଷେପ ନିଅନ୍ତୁ ବୋଲି ସେ ଅପିଲ କରି ଜଣାଇଛନ୍ତି।

ତପସ୍ୱିନୀ ବର୍ତ୍ତମାନ ସୁମିତଙ୍କର ଘର ବାରଣ୍ଡାରେ ରହୁଥିବା ସମୟରେ ସେଠାରେ ଲାଗିଥିବା ସିସିଟିଭିକୁ ସେ ଘୋଡ଼ାଇ ରଖିଛନ୍ତି। ଫଳରେ ତପସ୍ୱିନୀଙ୍କର ଗତିବିଧୀକୁ କେହି ଜାଣି ପାରୁନାହାନ୍ତି। ସେ କୌଣସି ଷଡଯନ୍ତ୍ର ରଚୁଥିବାର ଅଭିଯୋଗ ସୁମିତଙ୍କର ବାପା ପ୍ରମୋଦ ସାହୁ ଆଣିଛନ୍ତି।

ଏ ବିଷୟରେ ସେ କହିଛନ୍ତିକି, ତପସ୍ୱିନୀ ଦାସ ମୋ’ ଘରେ ଜବରଦସ୍ତି ଗେଟ ଭାଙ୍ଗି ପଶିଥିଲେ। ସେ ସେଠାରେ ରହୁଥିବା ବେଳେ ବର୍ତ୍ତମାନ ସେ ମୋ ବାରଣ୍ଡା ସିସିଟିଭିକୁ କଭର କରି ଦେଇଛନ୍ତି। କାହା ଅନୁମତିରେ ମୋ’ ସିସିଟିଭିକୁ ବନ୍ଦ କରାଯାଇଛି, ମୁଁ ଜାଣିପାରୁନାହିଁ। ଏଥିରେ ଷଡଯନ୍ତ୍ରର ଗନ୍ଧ ଆସୁଛି। ଏ ବିଷୟରେ ବିହିତ ପଦକ୍ଷେପ ନିଅନ୍ତୁ। ସିସିଟିଭି ଦ୍ୱାରା ମୁଁ ତାଙ୍କର ଗତିବିଧୀ ଜାଣିପାରୁଥିଲି। ହେଲେ ସେ ଚେୟାର ଆଣି ତାକୁ ଘୋଡ଼ାଇ ବନ୍ଦ କରି ଦେଇଛନ୍ତି। ତେଣୁ ମୁଁ ଭୟଭୀତ ହୋଇପଡ଼ିଛି। ତୁରନ୍ତ ବିହିତ ପଦକ୍ଷେପ ନେଇ ଏହାର ସମାଧାନ କରିବାକୁ ସେ ଏକ ଅଡିଓ ଜରିଆରେ ଅନୁରୋଧ କରି ଜଣାଇଛନ୍ତି।

ଅପରପକ୍ଷରେ, ଏହାର ଉତ୍ତର ଦେବାକୁ ଯାଇ ପ୍ରମିଳା ତ୍ରିପାଠୀ କହିଛନ୍ତିକି, ତପସ୍ୱିନୀ ଗ୍ୟାରେଜ ଘରେ ରହୁଛନ୍ତି। ସେଠାରେ ସେ ଖାଉଛି, ଶୋଉଛି ସବୁ କରୁଛି। ତେଣୁ ସିସିଟିଭି ରହିଲେ ସେ କିପରି ଚଳପ୍ରଚଳ କରିବ। ତା’ର ଇଜ୍ଜତ ବୋଲି କିଛି ଅଛି ନା ନାହିଁ ବୋଲି ଏଥିରେ ସେ ପ୍ରଶ୍ନ କରିଛନ୍ତି।

ଶ୍ୱଶୁରଙ୍କର ଅଭିଯୋଗ ଉପରେ ପ୍ରତିକ୍ରିୟା ଦେବାକୁ ଯାଇ ତପସ୍ୱିନୀ କହିଛନ୍ତିକି, ମୁଁ କି ମୋ ପରିବାର ଲୋକ କିମ୍ବା ପ୍ରମିଳା ତ୍ରିପାଠୀ କେହି ବି ଗେଟରେ ହାତ ଲଗାଇ ନାହୁଁ। ଉତ୍ତ୍ୟକ୍ତ ମହିଳା ଆସି ଗେଟ ଭାଙ୍ଗି ଆମକୁ ଭିତରେ ପଶାଇଥିଲେ। ତେଣୁ କରି ଆମେ ଗେଟ ଭାଙ୍ଗିଛୁ ବୋଲି ସେ ପ୍ରମାଣ ଦିଅନ୍ତୁ। ଶ୍ୱଶୁର ଘର ଲୋକ ମୋତେ ଗ୍ରହଣ ନ କରିବା ପର୍ଯ୍ଯନ୍ତ ଏଠାରେ ବସି ରହିବି ବୋଲି ନିଜ ଜିଦରେ ତପସ୍ଵିନୀ ଅଡ଼ି ବସିଛନ୍ତି।

ସୂଚନା ଅନୁସାରେ, ତପସ୍ୱିନୀ ଦୀର୍ଘ ଦିନ ହେବ ତାଙ୍କର ଶ୍ୱଶୁର ଘର ସାମ୍ନାରେ ଧାରଣାରେ ବସି ରହିଥିଲେ। ହେଲେ ଦୁଇ ଦିନ ତଳେ ସ୍ଥାନୀୟ ଅଞ୍ଚଳର ଶତାଧିକ ମହିଳା ତପସ୍ୱିନୀଙ୍କର ଶ୍ୱଶୁର ଘର ଗ୍ରିଲ ଭାଙ୍ଗି ତାଙ୍କୁ ଘର ଭିତରେ ପଶାଇଥିଲେ। ସେବେଠାରୁ ପ୍ରମିଳା ତ୍ରିପାଠୀଙ୍କ ସହ ନିଜର ଶ୍ୱଶୁର ଘର ଗ୍ୟାରେଜ୍ ରୁମରେ ରହୁଛନ୍ତି ତପସ୍ୱିନୀ। ଅପରପକ୍ଷରେ, ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ତାଙ୍କର ଶ୍ୱଶୁର ଘର ନିକଟ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି। ଏଥିଯୋଗୁ ବହୁ ସଂଖ୍ୟାରେ ପୋଲିସ ମଧ୍ୟ ମୁତୟନ ହୋଇଥିବା ବେଳେ ଉକ୍ତ ବାଟ ଦେଇ ସାଧାରଣ ଲୋକଙ୍କର ଯାତାୟତକୁ ସମ୍ପୂର୍ଣ ରୂପରେ ବାରଣ କରାଯାଇଛି।

Leave a Reply

Your email address will not be published.