ହୋଇପାରେ ୪ଟି ନୂଆ ଆଇନ ଲାଗୁ : ସପ୍ତାହରେ କେବଳ ୪ ଦିନ କାମ, ବଦଳିଯିବ ଦରମାର ନିୟମ, ଜାଣନ୍ତୁ କଣ କଣ ସବୁ କର୍ମଚାରୀଙ୍କ ଉପରେ ପଡିବ ପ୍ରଭାବ ?

ଆଗମୀ ବର୍ଷ କର୍ମଚାରୀମାନଙ୍କର ଦରମା, କାମ କରିବା ସମୟ ଓ ସାପ୍ତାହିକ ଛୁଟିରେ ବଡ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ଏହାର ବ୍ୟାପକ ପ୍ରଭାବ କର୍ମଚାରୀ ଓ କର୍ମ କ୍ଷେତ୍ର ଉପରେ ପଡିବାକୁଯାଉଛି। କାରଣ ଭାରତରେ ୪ଟି ନୂଆ ଆଇନ ଲାଗୁ କରାଯାଇପାରେ। ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତିକି ଆସନ୍ତା ଆର୍ଥିକ ବର୍ଷ ୨୦୨୨ ରୁ ବେତନ ସହ ଜଡ଼ିତ ଶ୍ରମ ଆଇନ, ସାମାଜିକ ସୁରକ୍ଷା, ଔଦ୍ୟୋଗିକ ସମ୍ବନ୍ଧ ଓ ବ୍ୟବସାୟିକ ସୁରକ୍ଷା ଆଇନ ଇତ୍ୟାଦି ଆଇନଗୁଡ଼ିକ ଲାଗୁ ହୋଇପାରେ। ଏହି ଆଇନ ଲାଗୁ ହେବା ପରେ କାର୍ଯ୍ୟକ୍ଷେତ୍ରରେ ବହୁତ ବଡ ପରିବର୍ତ୍ତନ ଦେଖିବାକୁ ମିଳିବ। ଆସନ୍ତୁ ସମ୍ପୂର୍ଣ ଭାବରେ ଶ୍ରମ ଆଇନର ପ୍ରଭାବ ବିଷୟରେ ଜାଣିବା।

ପୂର୍ବରୁ କର୍ମଚାରୀମାନେ ସପ୍ତାହକୁ ଛଅ ଦିନ କାମ କରୁଥିଲେ। ଏହି ଆଇନ ଲାଗୁ ହେଲେ କର୍ମଚାରୀମାନେ ସପ୍ତାହକୁ ମାତ୍ର ଚାରି ଦିନ କାମ କରିବେ। କିନ୍ତୁ ଏହା ବଦଳରେ ପ୍ରତି ଦିନ ୧୨ ଘଣ୍ଟା କାମ କରିବାକୁ ପଡ଼ିବ। ଶ୍ରମ ମନ୍ତ୍ରାଳୟ କହିଛିକି ଏହି ନିୟମ ଲାଗୁହେବା ପରେ ମଧ୍ୟ ସପ୍ତାହକୁ ୪୮ ଘଣ୍ଟା କାମ କରିବାର ନିୟମ ବଳବତ୍ତର ରହିବ। ଏହି ନିୟମ ଜାରି ହେବା ପରେ କର୍ମଚାରୀମାଙ୍କର ଟେକହୋମ ସେଲେରି ହ୍ରାସ ଘଟିବ। କିନ୍ତୁ ପି.ଏଫ.ର ପରିଣାଣ ଅଧିକ ବଢ଼ିଯିବ। ନୂଆ ଶ୍ରମ ସଂହିତାରେ ଭତ୍ତାକୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ସୀମିତ ରଖାଯାଇଛି। ଏହାଦ୍ୱାରା କର୍ମଚାରୀମାନଙ୍କର ମୂଳ ଦରମା ପୁରା ଦରମାର ୫୦ ପ୍ରତିଶତ ହୋଇଯିବ।

ବିଶେଷଜ୍ଞ ମାନଙ୍କ ମତ ଅନୁସାରେ ଏହି ନୂଆ ଆଇନ ଦ୍ୱାରା ବେସିକ ପେ ଏବଂ ପି.ଏଫ.ର ବଡ଼ ପରିବର୍ତ୍ତନ ଆସିବ। ମନେକରାଯାଉ ଜଣେ କର୍ମଚାରୀଙ୍କର ଦରମା ୫୦,୦୦୦ ଟଙ୍କା ତେବେ ତାଙ୍କର ବେସିକ ପେ ୨୫,୦୦୦ ହେବ। ବାକି ୨୫,୦୦୦ ଟଙ୍କା ଆଲାଉନ୍ସେସରେ ଯିବ। ଯଦି ବେସିକ ସେଲେରି ବଢ଼ିଲା ତେବେ ପିଏଫ ଅଧିକ କଟିବା ସହିତ ଇନହ୍ୟାଣ୍ଡ ସେଲେରି ମଧ୍ୟ କମ ହୋଇଯିବ। ଏହା ସହ କର୍ମଚାରୀ ବା କମ୍ପାନୀର କଣ୍ଟ୍ରିବ୍ୟୁସନ ମଧ୍ୟ ବଢ଼ିଯିବ।

କେନ୍ଦ୍ର ସରକାର ପ୍ରଥମରୁ ନୂଆ ଚାରିଟି ଶ୍ରମ ଆଇନକୁ ଚୂଡାନ୍ତ କରି ସାରିଛନ୍ତି। କିନ୍ତୁ ରାଜ୍ୟମାନେ ଏହା ଉପରେ କେଉଁ ନିଷ୍ପତ୍ତି ନେଉଛନ୍ତି ତାହାକୁ କେନ୍ଦ୍ର ସରକାର ଅପେକ୍ଷା କରିଛନ୍ତି। ଏହା ସଂପର୍କରେ ଜଣେ ବରିଷ୍ଠ ସରାକାରୀ ଅଧିକାରୀ କହିଛନ୍ତିକି, ଶ୍ରମ ଏକ ଗୁରୁତ୍ଵପୂର୍ଣ୍ଣ ବିଷୟ ଅଟେ। ସେଥିପାଇଁ ସରକାର ଚାହୁଁଛନ୍ତିକି ସମସ୍ତ ରାଜ୍ୟ ଗୋଟିଏ ସମୟରେ ଏହି ନିୟମକୁ ଲାଗୁ କରନ୍ତୁ। ପାଖାପାଖି ୧୩ଟି ରାଜ୍ୟ ବ୍ୟବସାୟିକ ସୁରକ୍ଷା, ସ୍ୱାସ୍ଥ୍ୟ ଓ କାମ କରିବାର ସ୍ଥିତି ଉପରେ ଶ୍ରମ ସଂହିତାର ପ୍ରସ୍ତାବିତ ଡ୍ରାଫ୍ଟକୁ ପ୍ରସ୍ତୁତ କରିଛନ୍ତି।

କେନ୍ଦ୍ର ଶ୍ରମମନ୍ତ୍ରୀ ଭୂପେନ୍ଦ୍ର ଯାଦବ ରାଜ୍ୟସଭାରେ ଏହା ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତିକି ୨୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଜୁରୀ ଉପରେ ଶ୍ରମ ସଂହିତାର ଡ୍ରାଫ୍ଟ ପ୍ରସ୍ତୁତ କରିସାରିଛନ୍ତି। ଏହିପରି ଔଦ୍ୟୋଗିକ ସମ୍ବନ୍ଧ ସଂହିତାର ଡ୍ରାଫ୍ଟ ୨୦ଟି ରାଜ୍ୟ ଓ ସାମାଜିକ ସୁରକ୍ଷା ସଂଘିତା ପ୍ରସ୍ତାବିତ ନିୟମ ଅନୁଯାୟୀ ୧୮ଟି ରାଜ୍ୟ ଏହି ନିୟମକୁ ପ୍ରସ୍ତୁତ କରିସାରିଛନ୍ତି।

Leave a Reply

Your email address will not be published.