ଓଡ଼ିଶାରେ ଏଣ୍ଟ୍ରି ମାରିଲା ‘ଓମିକ୍ରନ’, ୨ ଆକ୍ରାନ୍ତ ଚିହ୍ନଟ !

କରୋନାର ନୂଆ ଭେରିଏଣ୍ଟ ଓମିକ୍ରନ ଓଡ଼ିଶାରେ ପଶିଲା। ବିଦେଶରୁ ଫେରିଥିବା ଓଡ଼ିଶାର ଦୁଇ ଜଣ ବ୍ୟକ୍ତି ଓମିକ୍ରନରେ ଆକ୍ରାନ୍ତ ହୋଇଛନ୍ତି। ଦୁଇ ଜଣଙ୍କର ଜିନୋମ୍‌ ସିକ୍ୱେନ୍ସିଂରୁ ଓମିକ୍ରନ ଭୂତାଣୁ ଚିହ୍ନଟ ହୋଇଛି। ଜଣେ ନାଇଜେରିଆ ଓ ଅନ୍ୟ ଜଣେ କତାରରୁ ଫେରିଥିବାର ସୂଚନା ମିଳିଛି। ଏ ବିଷୟରେ ଆଇଏଲସ ତରଫରୁ ସୂଚନା ମିଳିଛି। ଦୁଇ ଆକ୍ରାନ୍ତଙ୍କର ସମ୍ପର୍କରେ ସବିଶେଷ ତଥ୍ୟ ମିଳିପାରି ନାହିଁ। ତେବେ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ଥିବାର ଜଣାପଡିଛି।

ବିଦେଶ ଫେରନ୍ତା ସାତ ଜଣଙ୍କ ମଧ୍ୟରୁ ଚାରିଜଣ ନେଗେଟିଭ ଅଛନ୍ତି। ତିନି ଜଣଙ୍କର ଜିନୋମ ସିକ୍ୟୁଏନ୍ସିଂ ପାଇଁ ପଠାଯାଇଥିଲା। ଏହି ତିନିଜଣଙ୍କ ଭିତରୁ ୨ ଜଣ ଓମିକ୍ରନରେ ସଂକ୍ରମିତ ବୋଲି ଚିହ୍ନଟ ହୋଇଛନ୍ତି।

ପୂର୍ବରୁ ସମଗ୍ର ଦେଶରେ ଓମିକ୍ରନ ଭେରିଏଣ୍ଟ ଚିହ୍ନଟ ହେବା ପରେ ରାଜ୍ୟ ସରକାରଙ୍କ ତରଫରୁ କଡା ପଦକ୍ଷେପ ଗ୍ରହଣ କରାଯାଇଥିଲା। ଏପରିକି ଓମିକ୍ରନର ଆକ୍ରାନ୍ତ ଦେଶରୁ ଫେରୁଥିବା ଯାତ୍ରୀମାନଙ୍କ ପାଇଁ ଆରଟିପିସିଆର ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଥିଲା। ସେମାନଙ୍କର ସବିଶେଷ ଡାଟା ରାଜ୍ୟ ସରକାର ରଖିବା ସହିତ ସେମାନଙ୍କ ଉପରେ କଡା ନଜର ରଖାଯାଇଥିଲା। ଏହା ସତ୍ତ୍ୱେ ରାଜ୍ୟରେ ୨ଜଣ ଓମିକ୍ରନର ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟବାସୀଙ୍କ ମନରେ ଏକ ଛନକା ପଶିଯାଇଛି।

ଦେଶରେ କ୍ରମାଗତ ଭାବରେ ଓମିକ୍ରନ ଜନିତ ସଂକ୍ରମଣ ହୁହୁ ହୋଇ ବଢ଼ିବାରେ ଲାଗିଛି। ବର୍ତ୍ତମାନ ପର୍ଯ୍ଯନ୍ତ ଏହା ୯୦ ଦେଶକୁ ବ୍ୟାପିସାରିଲାଣି। ଏହି ଦୁଇ ଜଣଙ୍କୁ ମିଶାଇ ବର୍ତ୍ତମାନ ପର୍ଯ୍ଯନ୍ତ ଦେଶରେ ମୋଟ ୧୭୦ରୁ ଅଧିକ ଜଣଙ୍କର ଶରୀରରୁ ଓମିକ୍ରନ ଭେରିଏଣ୍ଟ ଚିହ୍ନଟ ହୋଇ ସାରିଥିବାର ସୂଚନା ରହିଛି। ଏମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ଲୋକ ଲକ୍ଷଣ ବିହୀନ ରହିଛନ୍ତି।

ଆଶ୍ୱସ୍ତିକର କଥା ଏହିକିଯେ, ଏ ସମସ୍ତ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ କେହି ବି ଗୁରୁତର ହୋଇନାହାନ୍ତି। ସମସ୍ତଙ୍କର ଶରୀରରେ କେବଳ ସ୍ୱଳ୍ପ ମାତ୍ରାରେ ଲକ୍ଷଣ ଦେଖାଦେଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୧୭୦ରୁ ଅଧିକ ଆକ୍ରାନ୍ତଙ୍କ ମଧ୍ୟରୁ ୪୨ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି। ମହାରାଷ୍ଟ୍ରରେ ସର୍ବାଧିକ ୫୪ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦିଲ୍ଲୀରେ ୩୨, ତେଲେଙ୍ଗାନାରେ ୨୦, ରାଜସ୍ଥାନରେ ୧୭, ଗୁଜରାଟରେ ୧୩, କେରଳରେ ୧୧, କର୍ଣ୍ଣାଟକାରେ ୮, ଉତ୍ତର ପ୍ରଦେଶରେ ୨, ତାମିଲନାଡୁ, ଆନ୍ଧ୍ର, ପଶ୍ଚିମବଙ୍ଗ ଓ ଛତିଶଗଡ଼ରେ ଜଣେ ଲେଖାଏଁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ସାରା ବିଶ୍ୱରେ ୬୦ ହଜାରରୁ ଅଧିକ ଓମିକ୍ରନର ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ଏହାରି ମଧ୍ୟରେ କେବଳ ବ୍ରିଟେନରୁ ୫୦ ପ୍ରତିଶତ ଅଧିକ ଲୋକ ଅଛନ୍ତି।

Leave a Reply

Your email address will not be published.