ଭାରତରେ ଓମିକ୍ରନ ଭୟଙ୍କର ହେବାରେ ଲାଗିଛି। ବିଦେଶରୁ ଆସିଥିବା ଏହି ଓମିକ୍ରନ ଭ୍ୟାରିଆଣ୍ଟ କରୋନା ଆକ୍ରାନ୍ତଙ୍କର ସଂଖ୍ୟାକୁ ଦ୍ରୁତଗତିରେ ବୃଦ୍ଧିପାଇବାରେ ଲାଗିଛି। କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ଯୁଗ୍ମ ସଚିବ ଲବ ଅଗ୍ରଓ୍ବାଲଙ୍କ ତଥ୍ୟ ଅନୁସାରେ, ଦେଶରେ ଓମିକ୍ରନ ଭ୍ୟାରିଆଣ୍ଟ ଆକ୍ରାନ୍ତଙ୍କର ସଂଖ୍ୟା ୧୦୦ ପାରକରିଛି। ଭାରତର ମୋଟ ୧୧ଟି ରାଜ୍ୟରେ ଓମିକ୍ରନର କାୟା ମେଲାଇଛି। ସେଥିମଧ୍ୟରୁ ସର୍ବାଧିକ ମାମଲା ମହାରାଷ୍ଟ୍ରରେ ଥିବା ସମୟରେ ଦିଲ୍ଲୀରେ ମଧ୍ୟ ସଂଖ୍ୟା କିଛି କମ ନାହିଁ।
ଗତ ୨୦ ଦିନ ଦେଶରେ ହେଲା ପ୍ରତିଦିନ ୧୦ ହଜାରରୁ କମ କରୋନା ଆକ୍ରାନ୍ତ ବାହାରୁଛନ୍ତି। ଗତ ସପ୍ତାହ ମଧ୍ୟରୁ ଆକ୍ରାନ୍ତଙ୍କ ସଂଖ୍ୟାରେ ୦.୬୫ ପ୍ରତିଶତ ବୃଦ୍ଧି ଘଟିଥିବା ଖବର ଜଣାପଡିଛି। କେବଳ କେରଳରେ ସମଗ୍ର ଦେଶର ୪୦.୩୧ ପ୍ରତିଶତ ଆକ୍ଟିଭ କେସ ରହିଛି ବୋଲି ପ୍ରେସ୍ କନଫରେନ୍ସ ମାଧ୍ୟମରେ ସ୍ବାସ୍ଥ୍ୟ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି। ଓମିକ୍ରନର ଭୟାବହତା ବାବଦରେ କହିବାକୁ ଗଲେ, ବର୍ତ୍ତମାନ ସୁଦ୍ଧା ଏହା ମୋଟ ୯୧ଟି ଦେଶକୁ ବ୍ୟାପିସାରିଲାଣି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିବା ଅନୁସାରେ, ବିଶ୍ବରେ ଡେଲଟା ଠାରୁ ଓମିକ୍ରନ୍ ଦ୍ରୁତ ଗତିରେ ମାଡିଚାଲିଛି। ଦକ୍ଷିଣ ଆଫ୍ରିକାର ସ୍ଥିତି ଆହୁରି ବପଜ୍ଜନକ ରହିଛି। ଡେଲଟା ଭ୍ୟାରିଆଣ୍ଟ ଠାରୁ ଓମିକ୍ରନ ଦ୍ବାରା ଗୋଷ୍ଠୀ ସଂକ୍ରମଣ ତୀବ୍ର ହେବ ବୋଲି ବିଶ୍ବ ସ୍ଵାସ୍ଥ୍ୟ ସଂଗଠନ ଚେତାଇଦେଇଛି।
ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ୧୦୧କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ମହାରାଷ୍ଟ୍ରରେ ସର୍ବାଧିକ ୩୨ଜଣ ଓମିକ୍ରନ ଆକ୍ରାନ୍ତ ଥିବା ସମୟରେ ଦିଲ୍ଲୀରୁ ୨୨, ରାଜସ୍ଥାନରୁ ୧୭, କର୍ଣ୍ଣାଟକରୁ ୮ ଜଣ, ଗୁଜରାଟରୁ ଏବଂ କେରଳରୁ ୫ ଜଣ, ତେଲେଙ୍ଗାନାରୁ ୨, ତାମିଲନାଡୁ, ପଶ୍ଚିମବଙ୍ଗ ଏବଂ ଆନ୍ଧ୍ରପ୍ରଦେଶରୁ ଜଣେ ଲେଖାଏଁ ଓମିକ୍ରନରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀରୁ ୨୨ ଜଣ ଏବଂ ଚଣ୍ଡିଗଡରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।