ପୁଣି ଚିନ୍ତା ବଢ଼ାଇଲା କରୋନା : ଆମେରିକାରେ ଗତ ୨୪ ଘଣ୍ଟାରେ ୧୫୭୮ ମୃତ ! ଛାତିଥରା ଓ୍ୱାର୍ଣ୍ଣିଂ ଜାରି କଲେ ହ୍ବାଇଟ୍ ହାଉସ କୋଭିଡ୍ ମୁଖ୍ୟ !
ପୁଣି ଅଣାୟତ୍ତ ଆମେରିକା। ଭୟଙ୍କର ଭାବରେ କରୋନା ମାଡ଼ୁଛି। ଆମେରିକା, ବ୍ରିଟେନ, ଜର୍ମାନ ଓ ଫ୍ରାନସ ଆଦି ଦେଶରେ କରୋନାର କରାଳ ରୂପ ଦେଖାଯାଉଛି। ଆମେରିକାରେ ୧ ଲକ୍ଷ ୬୧ ହଜାର ୨୦୫ ନୂଆ ମାମଲା ସାମ୍ନାକୁ ଆସିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧ ହଜାର ୫୭୮ ପ୍ରାଣ ହରାଇଛନ୍ତି। ଇଂଲଣ୍ଡରେ ତୃତୀୟ ଦିନରେ ରେକର୍ଡ ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ୯୩ ହଜାର ୪୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫ୍ରାନ୍ସରେ ୫୮ ହଜାର ୧୨୮ ଓ ଜର୍ମାନୀରେ ୪୮ ହଜାର ୩୭୫ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଋଷିଆରେ ୨୭ ହଜାର ପଜିଟିଭ କେସ ଥିବା ବେଳେ ମୃତ୍ୟୁସଂଖ୍ୟା ରହିଛି ୧ ହଜାର ୮୦ ରହିଛି।
ଅନ୍ଯପଟେ ଆମେରିକାର ଏଭଳି ପରିସ୍ଥିତିକୁ ଦେଖି ଡକ୍ଟର ଆନ୍ଥୋନୀ ଫାଉସି ଶୁକ୍ରବାର ଦିନ କହିଛନ୍ତିଯେ, ଓମିକ୍ରନ ଅନେକ ଅତିରିକ୍ତ ସମସ୍ୟା ସୃଷ୍ଟି କରିପାରେ। ଏବଂ ଏଥିରେ ଅନେକ ମୃତ୍ୟୁବରଣ ମଧ୍ଯ କରିପାରନ୍ତି। ଏହ ସହ ଫାଉସି କହିଛନ୍ତିଯେ, ଯେତେବେଳେ ବହୁ ସଂଖ୍ୟକ ଲୋକମାନେ ସଂକ୍ରମିତ ହେଉଛନ୍ତି ତେବେ ହସ୍ପିଟାଲରେ ଦିନକୁ ଦିନ ରୋଗୀଙ୍କର ସଂଖ୍ଯା ମଧ୍ଯ ବଢିବ।
ଏଜେନ୍ସି ଅନୁସାରେ, ଗତ ମାସରେ କୋଭିଡ-୧୯ ମାମଲାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀଙ୍କର ସଂଖ୍ୟା ୪୫ ପ୍ରତିଶତ ବୃଦ୍ଧି ପାଇଛି। ଯେତେବେଳେ କି ମାମଲା ୪୦ପ୍ରତିଶତରୁ ବୃଦ୍ଧି ପାଇ ୧୨୩୦୦୦ରେ ପହଁଚିଛି।
ପ୍ରମୁଖ ଟିକା ଉତ୍ପାଦନକାରୀ ସଂସ୍ଥା ଗୁଡିକ ଶୁକ୍ରବାର ଦିନ ଘୋଷଣା କରିଛନ୍ତିଯେ, ମହାମାରୀ ୨୦୨୪ ପର୍ଯ୍ୟନ୍ତ ଚାଲିବ। ୨ ରୁ ୪ ବର୍ଷ ବୟସର ପିଲାମାନଙ୍କ ପାଇଁ ଏହି ଟିକା ବିଳମ୍ବ ହୋଇପାରେ।
ଆମେରିକାର ଅଧିକାରୀମାନେ କହିଛନ୍ତିଯେ, ଏହି ଶୀତ ଯେଉଁମାନଙ୍କ ପାଇଁ ଗୁରୁତର ରୋଗ ଆଣିପାରେ। ଏହି ବିପଦ ଏତେ ବଡ ଯେ ମୃତ୍ୟୁ ମଧ୍ୟ ହୋଇପାରେ। ଗତ ସପ୍ତାହରେ, ଆମେରିକାରେ କରୋନାରେ ମୃତ୍ୟୁବରଣ କରିଥିବା ଲୋକଙ୍କର ସଂଖ୍ୟା ୮ ପ୍ରତିଶତ ବୃଦ୍ଧି ପାଇଥିଲା। ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ରର ନିର୍ଦ୍ଦେଶକ ଡ.ରୋଚେଲ ଭାଲେନ୍ସି ଏହି ସୂଚନା ଦେଇଛନ୍ତି।
ହ୍ବାଇଟ ହାଉସର କୋଭିଡ ରେସପନ୍ସ ଦଳର ମୁଖ୍ୟ ଜେଫ ଜିଆଣ୍ଟସ କହିଛନ୍ତିଯେ, ଯେଉଁମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଟିକା ଗ୍ରହଣ କରିନାହାଁନ୍ତି, ସେମାନେ ଡାକ୍ତରଖାନାରେ ନିଜର ତଥା ନିଜର ପରିବାର ପାଇଁ ଏକ ଭୟଙ୍କର ରୋଗ ଏବଂ ମୃତ୍ୟୁର ଦିନ ଦେଖିବାକୁ ଯାଉଛନ୍ତି।
ଯଦିଓ ବର୍ତ୍ତମାନ ପର୍ଯ୍ୟନ୍ତ ଆମେରିକାରେ, ଡେଲଟା ଭାରିଆଣ୍ଟରେ ଲୋକେ ସଂକ୍ରମିତ ହେଉଛନ୍ତି, କିନ୍ତୁ ଅଧିକାରୀମାନେ ସନ୍ଦେହ କରୁଛନ୍ତିଯେ ଓମିକ୍ରନର ମାମଲା ଡେଲଟା ଭାରିଆଣ୍ଟକୁ ଟପି ଯାଇପାରେ।
ବୁଷ୍ଟର ଡୋଜ ନେବା ପାଇଁ ସାରା ଦେଶବାସୀଙ୍କୁ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କର ଅପିଲ:-
ଏପଟେ ଦେଶବାସୀଙ୍କୁ ବୁଷ୍ଟର ଡୋଜ ନେବାକୁ ଦେଶବାସୀଙ୍କୁ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କର ଅପିଲ। ବର୍ତ୍ତମାନ ପର୍ଯ୍ୟନ୍ତ ବ୍ରିଟେନର ୫୦ ପ୍ରତିଶକ ଲୋକ ବୁଷ୍ଟର ଡୋଜ ନେଇସାରିଛନ୍ତି। ଏଥିପାଇଁ ମେଡିକାଲ ଷ୍ଟାଫ ଓ ଭଲିଣ୍ଟରଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଓମିକ୍ରନର ମୁକାବିଲା ପାଇଁ ବ୍ରିଟେନରେ ଚଳିତ ମାସ ଶେଷ ସୁଦ୍ଧା ୧୮ ବର୍ଷରୁ ଅଧିକ ସବୁ ନାଗରିକମାନଙ୍କୁ ବୁଷ୍ଟର ଡୋଜ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସଂକ୍ରମଣର ବ୍ୟାପକତାକୁ ଦୃଷ୍ଟିରେ ରଖି ଓମିକ୍ରନ ଆପାତକାଳୀନ ଜାରି ହୋଇଛି।