ଅଭିନେତା ମିହିର ଦାସଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ,ଭେଣ୍ଟିଲେଟରରେ ଅଛନ୍ତି !

0

Get real time updates directly on you device, subscribe now.

ଓଡ଼ିଆ ସିନେ ଜଗତର ବର୍ଷୀଆନ ଅଭିନେତା ତଥା ଲୋକପ୍ରିୟ କଳାକାର ମିହିର ଦାସଙ୍କର ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇପଡ଼ିଛି। ଗୁରୁତର ଅବସ୍ଥାରେ କଟକର ଅଶ୍ବିନୀ ହସ୍ପିଟାଲରେ ଭର୍ତ୍ତି ହୋଇ ମିହିର ଦାସଙ୍କର ଚିକିତ୍ସା ଜାରି ରହିଛି। ସେଠାକାର ଡାକ୍ତରମାନେ କିଡନି ଓ ଲଙ୍ଗସ ଭଳି ମହିରଙ୍କର ଶରୀରର ଅନେକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ କାମ କରିବା ଏକ ପ୍ରକାର ବନ୍ଦ କରି ଦେଇଛି ବୋଲି କହିଛନ୍ତି।

ମିହିର ଦାସ ବର୍ତ୍ତମାନ ମଲ୍ଡି ଅର୍ଗାନ ଫେଲୁଅର ସ୍ଥିତିରେ ଥିବା ହସ୍ପିଟାଲ ତରଫରୁ କୁହାଯାଇଛି। ତାଙ୍କର ସ୍ଥିତି ଏମିତି ସଙ୍କଟମୟଥିବା ସମୟରେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ସେ ହୃଦଘାତର ଶିକାର ମଧ୍ୟ ହୋଇସାରିଛନ୍ତି। ସେଥିପାଇଁ ତାଙ୍କର ସ୍ବାସ୍ଥ୍ୟାବସ୍ଥାକୁ ନେଇ ଡାକ୍ତରମାନେ ଚିନ୍ତା ପ୍ରକଟ କରିଛନ୍ତି। ତେବେ ଆଶ୍ୱସ୍ତିର କଥା ଏହିକିଯେ ମିହିରଙ୍କର ସ୍ବାସ୍ଥାବସ୍ଥାରେ ଆଉ ଅବନତି ଘଟିନାହିଁ ଏବଂ ତାଙ୍କର ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି।

‘‘ମିହିର ଦାସଙ୍କ ଅବସ୍ଥା ବର୍ତ୍ତମାନ ମଧ୍ୟ ଜଟିଳ ରହିଛି। ସେ ଜଣେ କ୍ରନିକ କିଡନି ରୋଗୀ। ପ୍ରାୟ ଦେଢ଼ ମାସ ତଳେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସା ପରେ ସୁସ୍ଥ ହୋଇ ସେ ଘରକୁ ଫରିଥିଲେ। କିନ୍ତୁ ବର୍ତ୍ତମାନ ଟିକେ ବିଳମ୍ବରେ ଆସିଛନ୍ତି ଓ ତାଙ୍କର ହୃଦଘାତ ମଧ୍ୟ ହୋଇ ସାରିଛି। ତାଙ୍କର ମଲ୍ଟି ଅର୍ଗାନ ଫେଲୁଅର ହୋଇଛି। ସେ ବର୍ତ୍ତମାନ ଭେଣ୍ଟିଲେଟରରେ ଅଛନ୍ତି। ତାଙ୍କର ଚିକିତ୍ସା ପାଇଁ ଏଠାରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି,’’ ଏହି ବିଷୟରେ ମିହିର ଦାସଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଏସ୍‌. ଘୋଷ କହିଛନ୍ତି।

୫୫-ବର୍ଷୀୟ ମିହିର ଦାସ ପ୍ରାୟ ୨୫ ବର୍ଷ ଧରି ଡାଇବେଟିସ ରୋଗରେ ପୀଡ଼ିତ ଥିଲେ। ଗଲା ତିନି ବର୍ଷ ଧରି ସେ କିଡନି ରୋଗର ଶିକାର ମଧ୍ୟ ହୋଇ ସାରିଛନ୍ତି। ସେବେଠାରୁ ତାଙ୍କର ଚିକିତ୍ସା ଜାରି ରହିଥିଲା। ଗତ ମାସରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଖରାପ ହେବା କାରଣରୁ ଚିକିତ୍ସା ପାଇଁ ତାଙ୍କୁ ଅଶ୍ବିନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିଛି ଦିନର ଚିକିତ୍ସା ପରେ ସେ ସୁସ୍ଥ ହୋଇ ଘରକୁ ଫେରି ଆସିଥିଲେ।

ଡିସେମ୍ବର ୭ ତାରିଖ ଦିନ ମିହିରଙ୍କର ସ୍ବାସ୍ଥ୍ୟ ଅବସ୍ଥା ପୁଣି ଥରେ ଖରାପ ହେବା ପରେ ତାଙ୍କ ପୁଣିଥରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମହିରଙ୍କ ଅସୁସ୍ଥତା ବାବଦରେ ଖବର ପାଇବା ପରେ ଓଲିଉଡର ବହୁ କଳାକାର ହସ୍ପିଟାଲକୁ ଆସି ତାଙ୍କର ସ୍ବାସ୍ଥ୍ୟାବସ୍ଥା ବାବଦରେ ଡାକ୍ତରଙ୍କଠାରୁ ପଚାରି ବୁଝିଛନ୍ତି। ମହିରଙ୍କ ପାଖେ ପାଖେ ତାଙ୍କର ପରିବାର ଲୋକ ମଧ୍ୟ ରହିଛନ୍ତି।

‘ବାପା ବହୁତ ଦିନ ଧରି ଡାଇବେଟିସରେ ଆକ୍ରାନ୍ତ ଥିଲେ। ତାଙ୍କର ଚିକିତ୍ସା ମଧ୍ୟ ଚାଲିଥିଲା। କିନ୍ତୁ ଡାଇବେଟିସ ଯୋଗୁଁ ତାଙ୍କର କିଡନି ମଧ୍ୟ ପ୍ରଭାବିତ ହୋଇଥିଲା। ସେଥିପାଇଁ ତାଙ୍କର ଡାଇଲିସିସ ଚାଲିଥିଲା। ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥାରେ ସ୍ଥିର ରହିଛି,’’ ବୋଲି ମିହିର ଦାସଙ୍କ ବଡ଼ ପୁଅ ଅମ୍ଳାନ ଦାସ କହିଛନ୍ତି।

୧୯୬୬ ମସିହାରେ ମୟୂରଭଞ୍ଜ ଜିଲ୍ଲାର ଜନ୍ମଗ୍ରହଣ କରିଥିବା ମିହିର ଦାସ ୨୦୦ରୁ ଉର୍ଦ୍ଧ୍ୱ ଓଡ଼ିଆ ଫିଲ୍ମରେ ଅଭିନୟ କରି ସାରିଛନ୍ତି। ସିନେମାରେ ନିଜର ବଳିଷ୍ଠ ଅଭିନୟ ପାଇଁ ତାଙ୍କୁ ଅନେକ ରାଜ୍ୟସ୍ତରୀୟ ପୁରସ୍କାର ମଧ୍ୟ ମିଳିଛି। ବର୍ତ୍ତମାନ ଏହି ବର୍ଷୀଆନ କଳାକାରଙ୍କର ଅସୁସ୍ଥତା ଖବର ସିନେ ପ୍ରେମୀମାନଙ୍କ ମଧ୍ୟରେ ଏକ ଆଲୋଡ଼ନ ସୃଷ୍ଟି କରିଥିବା ସମୟରେ ତାଙ୍କର ଓଡ଼ିଆ ସିନେ ପ୍ରେମୀଗଣ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Leave A Reply

Your email address will not be published.