କରୋନା ମହାମାରୀ ପରେ ଚାକିରି ଯିବାର ଭୟ କର୍ମଚାରୀମାନଙ୍କୁ ଘାରିଛି। ପୁଣି ଥରେ କରୋନା ରୂପ ପରିବର୍ତ୍ତନ କରି ଘାତକ ହେବାକୁ ଆରମ୍ଭ କରିଥିବା ସମୟରେ କର୍ମଚାରୀଙ୍କ ଛାତି ଧଡ଼ଧଡ଼ ହେଲାଣି। ହୃଦ ସ୍ପନ୍ଦନ ବଢ଼ିବା ମଧ୍ୟ ସ୍ବାଭାବିକ। କାରଣ ଏମିତି ଏକ ଖବର ଆମେରିକାରୁ ସାମ୍ନାକୁ ଆସିଛି, ଯାହାକୁ ଶୁଣିଲେ ଘରୋଇ କମ୍ପାନୀରେ କାର୍ଯ୍ୟରତ କର୍ମଚାରୀଙ୍କୁ ଝଟକା ଲାଗିବ। ଆମେରିକାର ଏକ ବଡ଼ କମ୍ପାନୀ ଏକା ଥରକେ ୯୦୦ କର୍ମଚାରୀମାନଙ୍କୁ ଚାକିରିରୁ ବିଦା କରିଦେଇଛି। କୌଣସି ମେଲ କିମ୍ବା କଲ ଯାଇନି, କିନ୍ତୁ କମ୍ପାନୀର ସିଇଓ ଜୁମ ମିଟିଂ ମାଧ୍ୟମରେ ଚାକିରିରୁ ୯୦୦ ଜଣ କର୍ମଚାରୀଙ୍କୁ ଛଟେଇ କରି ଦେଇଛନ୍ତି।
ଆମେରିକାର ଷ୍ଟର୍ଟ ଅପ କମ୍ପାନୀ ବେଟର ଡଟ କମ ଏହି ପଦକ୍ଷେପ ଗ୍ରହଣ କରିଛି। ଅନଲାଇନରେ ଘର ଋଣ ଯୋଗାଇ ଦେଉଥିବା ଏହି ବେଟର ଡଟ କମ କର୍ମଚାରୀମାନଙ୍କୁ ବର୍ଷ ଶେଷରେ ବଡ଼ ଝଟ୍କା ଦେଇଛି। ଆମେରିକାରେ ଏହି ସମୟରେ କର୍ମଚାରୀମାନେ ଛୁଟି କାଟିବା ପାଇଁ ଯୋଜନା କରିଥାନ୍ତି। ଛଟେଇ ହୋଇଥିବା କର୍ମଚାରୀମାନେ ମଧ୍ୟ ସମାନ ପ୍ଲାନ କରିଥିଲେ। କିନ୍ତୁ ହଠାତ ସବୁ କିଛି ପରିବର୍ତ୍ତନ କରି
ଦେଲା ଜୁମକଲ।
କମ୍ପାନୀର ସିଇଓ ବିଶାଲ ଗର୍ଗ ଜୁମକଲରେ କର୍ମଚାରୀଙ୍କୁ ପ୍ରଥମେ ଶୁଭେଚ୍ଛା ଜଣାଇ ଏତେ ବଡ଼ ଝଟକା ଦେବେ ବୋଲି କେହି କେବେ ଭାବିନଥିଲେ। ଜଣେ କି ଦୁଇ ଜଣ ନୁହେଁ ଏକାଥରକେ ୯୦୦ କର୍ମଚାରୀଙ୍କର ଛଟେଇ ନେଇ ଖବର ପ୍ରସାରିତ ହୋଇଯିବା ପରେ ଅନ୍ୟ କମ୍ପାନୀ କର୍ମଚାରୀମାନେ ମଧ୍ଯ ଚିନ୍ତାରେ ପଡ଼ିଛନ୍ତି। ଜୁମକଲରେ ଗର୍ଗ କହିଥିଲେକି, ଯେଉଁମାନେ କଲରେ ଯୋଡ଼ି ହୋଇଛନ୍ତି, ସେମାନଙ୍କ ଦୁଃର୍ଭାଗ୍ୟଯେ ସେମାନଙ୍କୁ ଏକା ସାଙ୍ଗରେ ଚାକିରିରୁ ବିଦା କରାଯାଉଛି।
୯୦୦ କର୍ମଚାରୀଙ୍କ ଚାକିରି ଖାଇବା ପରେ ଖୁବଶୀଘ୍ର ଏଚଆରଙ୍କ ପାଖରୁ ମେଲ ମିଳିଯିବ ବୋଲି ଗର୍ଗ ଏଥିରେ କହିଥିଲେ। କର୍ମଚାରୀମାନଙ୍କର ପାରଦର୍ଶିତାର ଅଭାବ ଏବଂ ଅନ୍ୟ ଅନିୟମିତତା ନେଇ ଅଭିଯୋଗ କରିବା ସହ ସିଇଓ ବିଶାଲ ଗର୍ଗ ବର୍ଷ ଶେଷରେ କର୍ମଚାରୀମାନଙ୍କୁ ଚାକିରିରୁ ବିଦା କରୁଥିବା କାରଣରୁ ବହୁତ ଦୁଃଖ ପ୍ରକାଶ ମଧ୍ୟ କରିଛନ୍ତି।