ଜିଦରେ ଅଟଳ ତପସ୍ଵିନୀ : ତଥାକଥିତ ଶ୍ୱଶୁର ଘର ଆଗରେ କଲେ ମାର୍ଗଶୀର ଗୁରୁବାର ପୂଜା,ସ୍ଵାମୀ ସୁମିତ କହିଲେ – ଏହା ତୁଚ୍ଛ ପ୍ରହସନ

ସ୍ତ୍ରୀର ମାନ୍ୟତା ପାଇବା ପାଇଁ ସ୍ବାମୀଙ୍କର ଘର ଆଗରେ ଧାରଣା ଦେବା ପାଇଁ ୪ଦିନ ପରେ ବିବାଦର ସମାଧାନ ହୋଇପାରୁନାହିଁ। ମୁହାଁମୁହିଁ ସ୍ଥିତି ମଧ୍ୟରେ ମହିଳା ଜଣକ ଡାକ୍ତରଙ୍କର ଘର ସାମ୍ନାରେ ଧାରଣାରେ ବସିବା ଜାରି ରଖିଛନ୍ତି। ବ୍ରହ୍ମପୁର ବ୍ରହ୍ମନଗର ଦ୍ବିତୀୟ ଲାଇନରେ ତପସ୍ବିନୀ ଦାସ ଧାରଣାରେ ବସିଛନ୍ତି। ତେବେ ଆଜି ମାର୍ଗଶୀର ମାସର ପ୍ରଥମ ଗୁରୁବାର ଦିନ ହୋଇଥିବାରୁ ଧାରଣାସ୍ଥଳ ଅର୍ଥାତ ସ୍ବାମୀ ସୁମିତ ସାହୁଙ୍କ ଘର ସାମ୍ନାରେ ତପସ୍ବିନୀ ମାଣ ବସାଇଛନ୍ତି। ଏହା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ସ୍ବାମୀ ସୁମିତ ଏହାକୁ ପ୍ରହସନ ବୋଲି କହିଛନ୍ତି।

ସୂଚନା ଅନୁସାରେ, ବୁଧବାର ଦିନ ତପସ୍ବିନୀଙ୍କର ସ୍ବାମୀ ସୁମିତ ସାହୁଙ୍କ ବାପା ପ୍ରମୋଦ ସାହୁ ମୁହଁ ଖୋଲିଥିଲେ। ଧାରଣାରେ ବସିଥିବା ତପସ୍ବିନୀ ତାଙ୍କର ବୋହୂ ବୋଲି କହିବା ସହ ସେ ତାଙ୍କର ପରିବାର ନାମରେ ନିର୍ଯାତନା ମାମଲା ଦେଇଛନ୍ତି ଏବଂ ପୁଅ କୋର୍ଟରେ ବିବାହ ବିଚ୍ଛେଦ ପାଇଁ ଆବେଦନ ମଧ୍ୟ କରିଛି ବୋଲି କହିଥିଲେ। ମାମଲା କୋର୍ଟରେ ରହିଥିବା କାରଣରୁ କୋର୍ଟଙ୍କର ରାୟ ଉପରେ ସବୁକିଛି ନିର୍ଭର କରେ ବୋଲି କହିଥିଲେ।

ତପସ୍ବିନୀଙ୍କର ସ୍ବାମୀ ଡାକ୍ତର ସୁମିତ ସାହୁ ଏ ବିଷୟରେ ବ୍ରହ୍ମପୁର ଏସପି ପିନାକ ମିଶ୍ରଙ୍କୁ ସାକ୍ଷାତ କରିଥିଲେ। ତପସ୍ବିନୀଙ୍କ ଘର ଆଗରେ ବସି ରହିଥିବା ବେଳେ ଘରେ ତାଙ୍କର ମାଆ ଓ ଜେଜେ ମାଆ ବନ୍ଦୀ ଭଳି ରହିଛନ୍ତି ବୋଲି ସୁମିତ ଜଣାଇଥିଲେ। ଯୁବତୀଙ୍କର ସ୍ବାମୀ ତାଙ୍କର ଓକିଲଙ୍କ ସହିତ ବୁଧବାର ଦିନ ମଧ୍ୟାହ୍ନରେ ଏସପିଙ୍କୁ ସାକ୍ଷାତ କରିବା ସମୟରେ ସମସ୍ତ ବିଷୟରେ କହିଥିଲେ। ଘର ଭିତରେ ଥିବା ଲୋକଙ୍କର ଜୀବନ ବର୍ତ୍ତମାନ ସଂଘର୍ଷମୟ ହୋଇଥିବା ବେଳେ ବର୍ତ୍ତମାନ ସେ ପୋଲିସର ସହଯୋଗ ଲୋଡ଼ିଥିଲେ। ଏହାପରେ ସେ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟାରେ ଦେଇ କହିଥିଲେ, ସେ ତପସ୍ବିନୀଙ୍କୁ ରେଜିଷ୍ଟ୍ରି ବିବାହ କରିଛନ୍ତି। ଦୁଇ ମାସରୁ ଉର୍ଦ୍ଧ୍ବ ସମୟ ତାଙ୍କ ସହ ଏକାଠି ରହିଛନ୍ତି। କିନ୍ତୁ ସ୍ତ୍ରୀ ତାଙ୍କ ନାମରେ ଓ ତାଙ୍କର ପରିବାର ନାମରେ ମହିଳା ଥାନାରେ ଏକ ନିର୍ଯାତନାର ଅଭିଯୋଗ ଏତଲା ମହିଳା ଥାନାରେ ଦେଇଛନ୍ତି। ଏହାପରେ ସେ ପରିବାର ଅଦାଲତରେ ବିବାହ ବିଚ୍ଛେଦ ପାଇଁ ଆବେଦନ କରିଥିଲେ ବୋଲି କହିଥିଲେ। କୋର୍ଟର ରାୟ ଆସିବା ପରେ ସେହି ରାୟକୁ ସମସ୍ତେ ସମ୍ମାନ ଜଣାଇବେ ବୋଲି କହିଥିଲେ।

ଅନ୍ୟପକ୍ଷରେ ତପସ୍ବିନୀ ନିଜର ଧାରଣା ଜାରି ରଖିଛନ୍ତି। ମହିଳା ଜଣକ ଅଭିଯୋଗ କରିଛନ୍ତିକି, ପୋଲିସ ତାଙ୍କୁ ଓ ତାଙ୍କର ବାପାଙ୍କୁ ଦୁର୍ବ୍ୟହାର କରିଥିଲା। କିନ୍ତୁ ସେଥିପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ପୋଲିସକୁ ଦୁର୍ବ୍ୟବହାର କରିଥିବା ମିଥ୍ୟା ଅଭିଯୋଗ ଲଗାଇ ତାଙ୍କର ବାପା ଓ ଭାଇଙ୍କର ନାମରେ ଏକ ମାମଲା ରୁଜୁ କରିବା ସହ ମଙ୍ଗଳବାର ଦିନ ରାତିରେ ଗିରଫ କରିଥିଲେ। ସେପଟେ ପୋଲିସ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ତାଙ୍କର ବାପା ଓ ଭାଇଙ୍କୁ ଗିରଫ କରାଯାଇଛି। ସିଆରପିସି ୪୧ ଧାରାର ଏକ ନୋଟିସ ଜାରି କରି ଉଭୟଙ୍କୁ ଛଡାଯାଇଛି ବୋଲି ଏସଡିପିଓ ବିଷ୍ଣୁ ପ୍ରସାଦ ପତି କହିଥିଲେ।

Leave a Reply

Your email address will not be published. Required fields are marked *