କେମିତି ମମିତାକୁ ହତ୍ୟା କରିଥିଲା ଗୋବିନ୍ଦ ! ନିଜ ପାଟିରେ ସବୁ କହିଲା

ଅନୈତିକ ପ୍ରେମ ସମ୍ପର୍କକୁ ବାହାରେ ପ୍ରଘଟ କରିଦେବାର ଧମକ ହେଲା କାଳ। ଶେଷରେ ଲୋକଲଜ୍ଜା ଭୟରେ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ତଣ୍ଟି ଚିପି ହତ୍ୟା କଲେ ସନସାଇନ ସ୍କୁଲର ଅଧ୍ୟକ୍ଷ ଗୋବିନ୍ଦ ସାହୁ। ହେଲେ ମମିତାଙ୍କୁ ହତ୍ୟା କରିବାଠୁ ଆରମ୍ଭ କରି ଶବ ପୋଡ଼ିବା ଓ ପୋତିବା ପର୍ଯ୍ୟନ୍ତ ଏ ବିଷୟରେ ଗୋବିନ୍ଦ କାହାକୁ ଅବଗତ କରାଇ ନ ଥିଲେ। ନିଜର ସାଥୀମାନଙ୍କ ଦ୍ୱାରା କାମ କରାଉଥିଲା, ହେଲେ ସେମାନଙ୍କୁ କାରନାମା ଜଣାଉନଥିଲେ। ରିମାଣ୍ଡରେ ଆସି ଏପରି ଭାବରେ ନିଜ ପାପ କାହାଣୀର ସତକୁ ଗୋବିନ୍ଦ ବଖାଣିଛନ୍ତି।

ଗତକାଲି ବଂଗୋମୁଣ୍ଡା କୋର୍ଟରେ ହାଜର ହେବା ପରେ ୫ ଦିନିଆ ରିମାଣ୍ଡରେ ଆସି ଏପରି ଚାଞ୍ଚଲ୍ୟକର ତଥ୍ୟ ଗୋବିନ୍ଦ ବଖାଣିଛି। ଗୋବିନ୍ଦକୁ କୋର୍ଟରୁ ସିଧାସଲଖ ଏସ.ପି ଅଫିସକୁ ଅଣାଯାଇ ରାତି ତମାମ ଜେରା କରାଯାଇଥିଲା। ନିଜେ ଉତ୍ତରାଂଚଳ ଡି.ଆଇ.ଜି ଦୀପକ କୁମାର ସେଠାରେ ଡେରା ପକାଇଥିବା ବେଳେ ତାଙ୍କ ପ୍ରଶ୍ନବାଣରେ ଗୋଟିଏ ଗୋଟିଏ ପରେ ସତର ଖୁଲାସା ଗୋବିନ୍ଦ କରୁଛି। କୋର୍ଟରୁ ଅଣାଯାଇଥିବାରୁ ନିୟମ ଅନୁସାରେ ବିଲମ୍ୱିତ ରାତିରେ ଗୋବିନ୍ଦକୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ନେଇ ପୋଲିସ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲା।

ଗୋବିନ୍ଦଙ୍କର କହିବା ଅନୁସାରେ, ମମିତା ତାଙ୍କର ଗୁମର ଜାଣିଥିବା ବେଳେ ଏହା ବାହାରେ ପ୍ରଘଟ ହେଲେ ଲୋକଲଜ୍ଜା ଭୟରେ ମୁଣ୍ଡ ଟେକିପାରିବେ ନାହିଁ ବୋଲି ତାଙ୍କୁ ଚିନ୍ତା ଘାରିଥିଲା। ତେଣୁ ଏହାକୁ ବାହାରେ କାହାକୁ ନ କହିବାକୁ ମମିତାଙ୍କୁ ନେହୁରା ମଧ୍ୟ ହୋଇଥିଲେ। ହେଲେ ସେ ଏହାକୁ ଏଡ଼ାଇ ଯାଇଥିଲେ। ଏହାପରେ ମମିତାଙ୍କୁ ରାସ୍ତାରୁ ହଟାଇବାକୁ ଗୋବିନ୍ଦ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ।

ଶେଷ ଥର ପାଇଁ ମମିତା ସେପ୍ଟେମ୍ବର ୨୧ରେ ହଷ୍ଟେଲକୁ ଆସିଥିଲେ। ସେଦିନ ହିଁ ତାଙ୍କୁ ହତ୍ୟା କରିବାର ଯୋଜନା କରିଥିଲେ ଗୋବିନ୍ଦ। କିନ୍ତୁ ମମିତା ସାଙ୍ଗମାନଙ୍କ ସହ ଥିବାରୁ ଉଦ୍ଦେଶ୍ୟ ସଫଳ ହୋଇପାରିନଥିଲା। ପୁଣି ଥରେ ଘରୁ ଡାକି ହତ୍ୟା କରିବା ପାଇଁ ଯୋଜନା କରିଥିଲା। ହେଲେ ସେଥିରେ ମଧ୍ୟ ସଫଳ ହୋଇପାରିନଥିଲା।

ଏହାପରେ ଅକ୍ଟୋବର ୭ ତାରିଖରେ ମିଟିଂ ଅଛି କହି ୬ ତାରିଖରେ ମମିତାଙ୍କୁ ଫୋନ କରି ଡାକିଥିଲା। ଏହା ପୁଣିଥରେ ୮ ତାରିଖକୁ ଘୁଞ୍ଚାଇ ଦିଆଗଲା ବୋଲି କହିଥିଲେ। ଏହାପରେ ୮ ତାରିଖରେ ମମିତା ପହଞ୍ଚିବା ପରେ ଭବାନୀପାଟଣାରେ ସପିଂ କରାଇଥିଲା ଗୋବିନ୍ଦ। ଏହାପରେ ମାଣିକେଶ୍ୱରୀ ପୀଠରେ ଗୁମର ନ ଫିଟାଇବାକୁ ଶପଥ ନେବାକୁ କହିଥିଲା। ମାତ୍ର ମମିତା ଏହାକୁ ପ୍ରତ୍ୟାଖାନ କରିଦେବାରୁ ଗୋବିନ୍ଦ କ୍ରୋଧିତ ହୋଇପଡ଼ିଲା।

ବାଟରେ ଉଭୟଙ୍କର ମଧ୍ୟରେ ବଚସା ହେବାରୁ କୁରସୁର ନିକଟରେ ମୁଖ୍ୟ ରାସ୍ତା କଡ଼ରେ ଗାଡ଼ି ରଖିଥିଲେ। ଏହାପରେ ଦିନ ପ୍ରାୟ ୧୧ଟାରେ ମମିତାଙ୍କ ତଣ୍ଟି ଚିପି ତାଙ୍କୁ ହତ୍ୟା କରିଥିଲେ। ହତ୍ୟା ପରେ ଗାଡ଼ିରେ ମୃତଦେହକୁ ଗୋବିନ୍ଦଙ୍କ ଘରକୁ ନେଇ ଯାଇଥିଲା। ଘରେ ଖାଇପିଇ ରହିଥିଲା।

ଏହା ପୂର୍ବରୁ ଅକ୍ଟୋବର ୬ ତାରିଖରେ ମହାଲିଙ୍ଗ ଷ୍ଟାଡିୟମରେ ଗାତ ମଧ୍ୟ ଖୋଳିଦେଇଥିଲା। ଏହାପରେ ଜେସିବି ଡ୍ରାଇଭର ରାଧେଙ୍କୁ ଫୋନ କରି ଷ୍ଟାଡିୟମର ପଛ ଗେଟ ଖୋଲା ରଖିବାକୁ କହିଥିଲେ। ଏହାପରେ କାରକୁ ନେଇ ଭିତରେ ପଶିଥିଲା। ଏପରିକି ସବୁ କିଛି ଠିକଠାକ ଥିବାର ଅଭିନୟ କରି ଖାଇପିଇ ରହିଥିଲା। ଉକ୍ତ ଗାତରେ କିଛି ଟାୟାର ପକାଇବାକୁ ରାଧେକୁ କହିଥିବା ବେଳେ କାଠଗଣ୍ଡି ରଖିବାକୁ ମୁନସୀକୁ କହିଥିଲେ। ଏହାବାଦ ନିଜେ କାର୍ଡବୋର୍ଡ ରଖିଥିଲେ। ଏନେଇ ରାଧେ ଓ ମୁନସୀ ପଚାରିବାରୁ ଷ୍ଟାଡିୟମର ଆବର୍ଜନା ଜିନିଷ ସେଠାରେ ପୋଡ଼ାଯିବ ବୋଲି କହିଥିଲେ। ଏହାପରେ ରାତିରେ ନିଜେ ମୃତଦେହ ପୋଡ଼ିବା ଓ ପୋତିବା କାମ କରିଥିଲେ। ହେଲେ ଏ ସମ୍ପର୍କରେ କେହି ସୁରାଗ ପାଇପାରି ନଥିବାର ପୋଲିସକୁ ଗୋବିନ୍ଦ କହିଛନ୍ତି।

ମମିତାଙ୍କୁ ହତ୍ୟାଠାରୁ ଆରମ୍ଭ କରି ପୋତିବା ପର୍ଯ୍ୟନ୍ତ କୌଣସି ଅସ୍ତ୍ରର ବ୍ୟବହାର କରାଯାଇ ନାହିଁ। ତଣ୍ଟି ଚିପି ଗୋବିନ୍ଦ ନେଇଛି ମମିତାଙ୍କର ଜୀବନ। ସବୁ କାମ ନିଜେ କରିଥିବା ଗୋବିନ୍ଦ କହୁଥିବା ବେଳେ ଏହାକୁ କିନ୍ତୁ ସହଜେ ବିଶ୍ୱାସ କରିପାରୁନି ପୋଲିସ। ହେଲେ ଅନ୍ୟ କାହା ସମ୍ମୁଖରେ ସତ କହିଲେ, ଭବିଷ୍ୟତରେ ସେ ଏହାକୁ ବାହାରେ ପ୍ରଘଟ କରିଦେବାର ଆଶଙ୍କା ଥିବା ତଥା ବ୍ଲାକମେଲ କରିବା ଆଶଙ୍କା ଥିବା କହିଥିଲା ଗୋବିନ୍ଦ। ତେଣୁ ନିଜ ସହଯୋଗୀଙ୍କୁ କାମ ଦେଉଥିଲା, କିନ୍ତୁ ସେମାନଙ୍କୁ କାରନାମା ଜଣାଉ ନ ଥିବା ବୋଲି କହିଛି ଗୋବିନ୍ଦ।

ପୋଲିସ ବର୍ତ୍ତମାନ ବିଭିନ୍ନ ତଥ୍ୟ, ପ୍ରମାଣ ଯୋଗାଡ଼ କରିବାରେ ଲାଗି ପଡ଼ିଥିବା ବେଳେ ମମିତାଙ୍କର ମୋବାଇଲ ଓ ପେନଡ୍ରାଇଭ ତଥା ହତ୍ୟା ଦିନ ସପିଂ କରିଥିବା ଜିନିଷକୁ ପାଇପାରିନାହିଁ। ମମିତାଙ୍କୁ ପୋତିଥିବା ଗାତରେ ଏହି ସମସ୍ତ ସାମଗ୍ରୀ ଫୋପାଡ଼ି ଦେଇଥିବାର ଗୋବିନ୍ଦ କହିଛି। ଏହାକୁ ଜବତ କରିବାକୁ ଆଜି ଖୋଦ ଡିଆଇଜି ଓ ବଲାଙ୍ଗିର ଏସପି ସ୍ପଟ ଭେରିଫିକେସନରେ ଯାଇଛନ୍ତି। କିନ୍ତୁ ସିନ ରିକ୍ରିଏଟ ପାଇଁ ଆଜି ଗୋବିନ୍ଦକୁ ନିଆଯାଇ ନାହିଁ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *