ବାପାଙ୍କ ଇଛା ବିରୋଧରେ ବାହା ହେଲା ଝିଅ,ରାଗରେ ବାପା ପରିବାରର ୭ ଜଣଙ୍କୁ ଜୀବନ୍ତ ଜାଳିଦେଲା

ଅତ୍ୟନ୍ତ ସମ୍ବେଦନଶୀଳ ଓ ଲୋମହର୍ଷଣକାରୀ ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି। ଇଚ୍ଛା ବିରୋଧରେ ଝିଅ ଅନ୍ୟତ୍ର ବିବାହ କରିଥିବାରୁ ତାଙ୍କର ବାପା ଅତ୍ୟନ୍ତ ବର୍ବରକାଣ୍ଡ ଘଟାଇଛନ୍ତି। ଝିଅ ଉପରେ ପ୍ରତିଶୋଧ ନେବା ପାଇଁ ବ୍ୟକ୍ତି ଜଣକ ନିଜ ପରିବାରର ସମସ୍ତ ୭ ଜଣ ସଦସ୍ୟଙ୍କୁ ଜୀବନ୍ତ ଜାଳି ଦେଇଛନ୍ତି। ମୃତକଙ୍କ ମଧ୍ୟରେ ବ୍ୟକ୍ତିଙ୍କର ୨ଟି ଝିଅ ଓ ୪ଟି ନାତୁଣୀ ରହିଛନ୍ତି। ପାକିସ୍ତାନର ପଞ୍ଜାବ ପ୍ରଦେଶ ଅନ୍ତର୍ଗତ ମୁଜାଫରଗଡ଼ ଜିଲ୍ଲାରେ ଏହି ଘଟଣା ଘଟିଛି।

ଅଭିଯୁକ୍ତ ମନଜୋର ହୁସେନ ମୁଜାଫରଗଡ଼ରେ ଥିବା ଗୋଟିଏ ଘରେ ନିଆଁ ଲଗାଇ ଦେଇଥିଲେ। ଏଠାରେ ତାଙ୍କ ଝିଅ ଫଉଜିଆ ବିବି ଓ ଖୁର୍ସିଦ ମାଇ ସେମାନଙ୍କର ପରିବାର ଲୋକଙ୍କ ସହ ରହୁଥିଲେ। ହୁସେନ ଘରେ ନିଆଁ ଲଗାଇ ଦେଇଥିବାରୁ ଏଥିରେ ଜୀଅନ୍ତା ପୋଡ଼ି ହୋଇ ବିବି, ତାଙ୍କର ନବଜାତ ଶିଶୁ, ମାଇ ଓ ତାଙ୍କର ସ୍ୱାମୀ ଏବଂ ତାଙ୍କର ୪ ଜଣ ପିଲା ପ୍ରାଣ ହରାଇଛନ୍ତି।

ଏହି ଭୟଙ୍କର ଘଟଣାରୁ ବିବିଙ୍କର ସ୍ୱାମୀ ମେହବୁବ ଅହମଦ ଏକମାତ୍ର ବ୍ୟକ୍ତି ଭାବରେ ରକ୍ଷା ପାଇଛନ୍ତି। ଅହମଦ ହିଁ ପୋଲିସ ନିକଟରେ ହୁସେନ ଓ ତାଙ୍କର ପୁଅ ସବିର ହୁସେନଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିଛନ୍ତି।

ସେ ପୋଲିସକୁ କହିଛନ୍ତି, “ଘଟଣା ଦିନ ମୁଁ ବ୍ୟବସାୟିକ କାମରେ ମୁଲତାନରେ ଥିଲି। ମୁଁ ସେଠାରୁ ଫେରିବା ପରେ ମୋ ଘର ପାଉଁଶ ହୋଇ ଯାଇଥିବା ଦେଖିବାକୁ ପାଇଥିଲି। ଘର ନିଆଁରେ ପୋଡ଼ି ଯାଉଥିବା ବେଳେ ହୁସେନ ଓ ସବିର ସେଠାରୁ ଖସି ଯାଉଥିବା ଦେଖିଥିଲି।”

ପୋଲିସ ତାଙ୍କର ବୟାନକୁ ଭିତ୍ତି କରି ହୁସେନ ଓ ସବିରଙ୍କୁ ଧରିବାକୁ ପ୍ରୟାସ ଆରମ୍ଭ କରିଛି। ପୋଲିସ ଅଫିସର ଅବଦୁଲ ମଜୀଦ କହିଛନ୍ତି, ପ୍ରେମ ବିବାହକୁ ନେଇ ଦୁଇ ପରିବାରର ମଧ୍ୟରେ ତିକ୍ତତା ଲାଗି ରହିଥିଲେ। ଏହି କାରଣରୁ ଏପରି ଘଟଣା ଘଟିଅଛି। ଅହମଦ ଓ ବିବି ୨୦୨୦ରେ ପ୍ରେମ ବିବାହ କରିଥିଲେ। ଏହି ଘଟଣା ହୁସେନକୁ ବ୍ୟଥିତ କରିଥିଲା। ଏଥିପାଇଁ ସେ ନିଜର ପରିବାର ୭ ଜଣ ସଦସ୍ୟଙ୍କୁ ଜୀବନ୍ତ ପୋଡ଼ି ହତ୍ୟା କରି ଦେଇଛନ୍ତି।

Leave a Reply

Your email address will not be published. Required fields are marked *