ମମିତା ମିଷ୍ଟ୍ରି : ମୋଷ୍ଟ ଓ୍ୱାଣ୍ଟେଡ୍ ଗୋବିନ୍ଦକୁ ଧରାଇ ଦେଲେ ମିଳିବ ଲକ୍ଷେ ଟଙ୍କା ପୁରସ୍କାର

କଳାହାଣ୍ଡିର ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ଧରାଇ ଦେଲେ ୨୦ ହଜାର ଟଙ୍କାର ପୁରସ୍କାର ରାଶି ମିଳିବ। ଆଜି ବଲାଙ୍ଗିର ପୋଲିସ ତରଫରୁ ଏପରି ଘୋଷଣା କରାଯାଇଛି। ଏହା ସହ ସ୍କୁଲର ସଭାପତି ଗୋବିନ୍ଦଙ୍କୁ ମୋଷ୍ଟ ଓ୍ୱାଣ୍ଟେଡ ଦର୍ଶାଇ ପୋଲିସ ଫଟୋ ଜାରି କରିଛି। ପୋଲିସ ବିଭିନ୍ନ ସ୍ଥାନରେ ଗୋବିନ୍ଦଙ୍କର ପୋଷ୍ଟର ମାରିଛି।

ଗୋବିନ୍ଦ ଟିଟିଲାଗଡ଼ ପୋଲିସ ବ୍ୟାରେକରେ ଥିବା ବେଳେ ରବିବାର ରାତିରେ ହାତ ଧୋଇବାକୁ ଯିବା କହି ଖସି ପଳାଇଥିଲେ। ଆଜି ସକାଳେ ମହାଲିଙ୍ଗ ହାଇସ୍କୁଲ ଷ୍ଟାଡିୟମ୍‌ରୁ ଏକ ଦଗ୍ଧ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତଦେହଟି ନଷ୍ଟ ହୋଇଯାଇଥିବାବେଳେ ଏହା କାହାର ତାହା ସ୍ପଷ୍ଟ ଭାବରେ ଜଣାପଡି ନାହିଁ।

କଳାହାଣ୍ଡି ଜିଲ୍ଲାର ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେର ଗତ ୧୧ ଦିନ ତଳେ ନିଖୋଜ ଥିବା ବେଳେ ଏହି ଘଟଣାର ତଦନ୍ତ କରିବାକୁ ଯାଇ ମହାଲିଙ୍ଗ ହାଇସ୍କୁଲ ଷ୍ଟାଡିୟମକୁ ଆଜି ସକାଳେ ଜେସିବି ସାହାଯ୍ୟରେ ଖୋଳାଖୋଳି ଆରମ୍ଭ କରାଯାଇଥିଲା। ଘଟଣାର ମାତ୍ର ୩ ଘଣ୍ଟା ପରେ ଜେସିବି ଖୋଳୁ ଖୋଳୁ ମାତ୍ର ୮-୧୦ ଫୁଟ ତଳୁ ଏକ ପୋଡ଼ି ଯାଇଥିବା ମୃତଦେହ ଉଦ୍ଧାର ହୋଇଥିଲା। ମୃତଦେହଟି ପୋଡ଼ି ଯାଇଥିବାରୁ ତାହାକୁ ଚିହ୍ନିବା ବହୁତ କଷ୍ଟକର ହୋଇଥିଲା। ଉକ୍ତ ସ୍ଥାନକୁ ପୋଲିସ ଚାରିଆଡୁ ସିଲ କରି ଦେଇଛି। ଘଟଣାସ୍ଥଳରୁ ମୃତଦେହ ମିଳିବା ପରେ ଏକ ଧୂପକାଠି, ପାଉଁଜି, ସୁନା ଚେନ, ବ୍ରେସଲେଟ, ମୁଦି ଓ ଆହୁରି କିଛି ସାମଗ୍ରୀ ମଧ୍ୟ ଉଦ୍ଧାର କରାଯାଇଛି ।

ପାରିପାର୍ଶ୍ୱିକ ସ୍ଥିତିରୁ ଏହା ମମିତାଙ୍କର ମୃତଦେହ ବୋଲି ଜଣା ପଡ଼ୁଥିବା ବେଳେ ଏହାକୁ ନେଇ କିଛି ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ଘଟଣାସ୍ଥଳରେ ମମିତାଙ୍କର ସମ୍ପର୍କୀୟ ଉପସ୍ଥିତ ଥିଲେ ମଧ୍ୟ ପୋଲିସ ତରଫରୁ ସେମାନଙ୍କୁ କୌଣସି ସହଯୋଗ କରାଯାଉ ନ ଥିବାରୁ ସେ ଅସନ୍ତୋଷ ପ୍ରକାଶ ହୋଇଛନ୍ତି।

ପରିବାର ଲୋକଙ୍କୁ ମୃତଦେହ କିମ୍ବା ସେଠାରୁ ମିଳିଥିବା କୌଣସି ସାମଗ୍ରୀ ଦେଖାଯାଇ ନ ଥିବା ପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ତାଙ୍କର ବଡ଼ ବାପା। ସେ କହିଛନ୍ତିକି, ମମିତା ୯ ତାରିଖରେ ନିଖୋଜ ନେଇ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ ମାମଲା ରଖି ନଥିଲା। ଏହା ପରେ ଆମେ ଗୋବିନ୍ଦ ସାହୁଙ୍କ ସହ ଯୋଗାଯୋଗ କରିଲୁ। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଅଛନ୍ତି, କିଛି ଅସୁବିଧା ହେବନି ବୋଲି ଗୋବିନ୍ଦ ତାଙ୍କୁ କହିଥିଲେ ।

ଗଣମାଧ୍ୟମକୁ କାହିଁକି ପ୍ରାଥମିକ ପ୍ରତିକ୍ରିୟା ଦେଉ ନଥିଲେ ପ୍ରଶ୍ନରେ ମମିତାଙ୍କ ବଡ଼ବାପା କହିଛନ୍ତିକି, ପୋଲିସ ମୁହଁ ନ ଖୋଲିବାକୁ କହିଥିଲା। ତଦନ୍ତରେ ସହଯୋଗ କରନ୍ତୁ, ମୁହଁ ଖୋଲନ୍ତୁନି ବୋଲି ପୋଲିସ କହିଥିଲା। ଝିଅ ଜୀବିତ ଥିବାର ସେ ଆଶ୍ୱାସନା ମଧ୍ୟ ଦେଇଥିଲା। ତେଣୁ ଆମେ ଚୁପ ରହିଥିଲୁ।

Leave a Reply

Your email address will not be published. Required fields are marked *