୨୧ ତାରିଖରୁ ଏକାଦଶ ଓ ୨୫ ତାରିଖରୁ ଅଷ୍ଟମ ଶ୍ରେଣୀର ପାଠପଢା ଆରମ୍ଭ

ଆସନ୍ତା ୨୧ ତାରିଖରୁ ଏକାଦଶ ତଥା ଯୁକ୍ତ ୨ର ପ୍ରଥମ ବର୍ଷର କ୍ଲାସ ଆରମ୍ଭ ହେବ। ସେହିପରି ୨୫ ତାରିଖରୁ ଅଷ୍ଟମ ଶ୍ରେଣୀର ପଢା ଆରମ୍ଭ ହେବ। ଏ ବିଷୟରେ ଆଜି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି। ଅଷ୍ଟମ ଓ ଏକାଦଶ ଶ୍ରେଣୀର ପାଠପଢା ଅଫଲାଇନ ମୋଡରେ ହେବ। ବିଭାଗ ତରଫରୁ ସୂଚନା ଦିଆଯାଇଛିଯେ ପିଲାମାନେ ସ୍କୁଲକୁ ଯାଇ ପାଠ ପଢ଼ିବେ।

ସେହିପରି ଆସନ୍ତାକାଲି ସମସ୍ତ ଜିଲ୍ଲାର ଡିଇଓଙ୍କ ସହିତ ବୈଠକ ହେବ। ଭର୍ଚୁଆଲ ମୋଡରେ ଏହି ବୈଠକ କରାଯିବ। ଏଥିରେ କ୍ଲାସ ରୁମର ପରିଚାଳନାକୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ। ଏଥିସହ କିଭଳି ଗାଇଡଲାଇନ ମାନି ପିଲାଙ୍କର ପାଠପଢ଼ା ହେବ ସେ ବିଷୟରେ ମଧ୍ୟ ଯୋଜନା ହେବ।

ବର୍ତ୍ତମାନ ସମୟରେ ନବମ, ଦଶମ ଓ ଦ୍ୱାଦଶ ଶ୍ରେଣୀ ଲାଗି ଅଫଲାଇନରେ ପାଠପଢ଼ା ଜାରି ରହିଛି। ତେବେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ଯନ୍ତ ସ୍କୁଲ କେବେ ଖୋଲିବ ସେ ବିଷୟରେ ନିଷ୍ପତ୍ତି ନିଆଯାଇନଥିବା ମନ୍ତ୍ରୀ କହିଛନ୍ତି। ଅଷ୍ଟମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଯାଇ ଅଫଲାଇନରେ କ୍ଲାସ କରିପାରିବେ। ପୂର୍ବରୁ ନିର୍ଦ୍ଧାରିତ ଏସଓପି ଅନୁଯାୟୀ ପାଠପଢ଼ା ହେବ ବୋଲି ଗଣଶିକ୍ଷାମନ୍ତ୍ରୀ ସୂଚନା ଦେଇଛନ୍ତି।

ପୂର୍ବରୁ ନବମ ଓ ଦ୍ୱାଦଶ ଶ୍ରେଣୀ କ୍ଲାସ ଚାଲିଥିଲା। ଉଭୟ କ୍ଲାସର ଛାତ୍ରଛାତ୍ରୀ ଅଫ୍ଲାଇନରେ ପାଠ ପଢୁଛନ୍ତି। ତେବେ ଦଶହରା ଛୁଟି ପରେ ୨୫ ତାରିଖରୁ ଅଷ୍ଟମ ଏବଂ ୨୧ ତାରିଖରୁ ଏକାଦଶ ପିଲାଙ୍କର ପାଠପଢ଼ା ଅଫଲାଇନ ମୋଡରେ ଆରମ୍ଭ ହେବାକୁ ଯାଉଛି।

Leave a Reply

Your email address will not be published. Required fields are marked *