ପୁଣି ବିବାହ ବନ୍ଧନରେ ବାନ୍ଧିହେଲେ ପ୍ରକାଶ ରାଜ

ପୁଣି ହାତକୁ ଦି ହାତ ହେଲେ ସାଉଥ ସୁପରଷ୍ଟାର ପ୍ରକାଶ ରାଜ। ସେ ପୁଣି ଥରେ ବିବାହ ବନ୍ଧନରେ ବାନ୍ଧିହେଲେ। ସେ ଏହି ସମ୍ପକରେ ଟୁଇଟ କରି ସୂଚନା ଦେଇଛନ୍ତି।

ପୂର୍ବରୁ ସାଉଥ ସୁପରଷ୍ଟାର ପ୍ରକାଶ ରାଜ ପୋନି ବର୍ମାଙ୍କୁ ବିବାହ କରିଥିଲେ। ଦୀର୍ଘ ୧୧ ବର୍ଷ ପର୍ଯ୍ୟନ୍ତ ଉଭୟ ଏକାଠି ରହିଥିଲେ। ଗତକାଲି ବିବାହ ବାର୍ଷିକ ଅବସରରେ ପ୍ରକାଶ ରାଜ ଆଉ ଥରେ ବିବାହ କରିଛନ୍ତି। କିନ୍ତୁ, ସେ ଅନ୍ୟ କୌଣସି ଯୁବତୀଙ୍କୁ ବିବାହ କରିନାହାନ୍ତି ବରଂ ତାଙ୍କ ଧର୍ମପତ୍ନୀ ଥିବା ପୋନି ବର୍ମାଙ୍କ ସହିତ ନେଇଛନ୍ତି ସାତ ଫେରା।

ପ୍ରକାଶ ରାଜ ତାଙ୍କ ବିବାହର ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଫଟୋରେ ପ୍ରକାଶ ରାଜ ବର ସାଜିଥିବା ସମୟରେ ପୋନି ବର୍ମା ନବବଧୂ ଗେଟଅପରେ ଅଛନ୍ତି। ସେହି ସମୟର ଫଟୋକୁ ପୋଷ୍ଟ କରି ଲେଖିଛନ୍ତି ଯେ, “ଆମେ ଆଜି ପୁଣି ଥରେ ବିବାହ କରିନେଲୁ…କାରଣ ଆମର ପୁଅ ବେଦାନ୍ତ ଆମ ବିବାହ ଦେଖିବାକୁ ଚାହୁଁଥିଲା।”

ଏହା ସହିତ ପ୍ରକାଶ ରାଜ ଆହୁରି ଲେଖିଛନ୍ତି ଯେ, ମୁଁ ମୋ ଧର୍ମ ପତ୍ନୀ ପୋନି ବର୍ମାଙ୍କୁ ଧନ୍ୟବାଦ ଦେଉଛି। “ମୋର ପତ୍ନୀ ହେବା ସହିତ ଜଣେ ଭଲ ବନ୍ଧୁ ହୋଇ ମୋ ଜୀବନ ସାଥୀ ସାଜିଥିବା ପାଇଁ ମୁଁ ଧନ୍ୟବାଦ ଦେଉଛି।

ସୂଚନା ଅନୁଯାୟୀ, ୪୫ ବର୍ଷୀୟ ପ୍ରକାଶ ରାଜ ନିଜର ନୂଆ ଜୀବନ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ସେ ୨୦୧୦ ମସିହାରେ ନିଜର ଘନିଷ୍ଠ ବନ୍ଧୁ ଏବଂ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ପୋନି ବର୍ମାଙ୍କୁ ବିବାହ କରିଥିଲେ। ଆଉ ଗତକାଲି ତାଙ୍କର ଦ୍ୱିତୀୟ ବିବାହ ହୋଇଥିଲା। ସେ ୨୦୦୯ ମସିହାରେ ତାଙ୍କ ପ୍ରଥମ ପତ୍ନୀ ଲଳିତା କୁମାରୀଙ୍କୁ ଛାଡପତ୍ର ଦେଇଥିଲେ।

ସାଉଥର ନାମିଦାମୀ କଳାକାରଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପ୍ରକାଶ ରାଜ। ସେ ନିଜ କ୍ୟାରିଅର ମଧ୍ୟରେ ଅନେକ ହିଟ ଫିଲ୍ମ କରିଛନ୍ତି। ଏହାସହିତ ତାଙ୍କର ଭଲ ଅଭିନୟ ପାଇଁ ତାଙ୍କୁ ଜାତୀୟ ପୁରସ୍କାର ମଧ୍ୟ ମିଳିଛି। ଆଗକୁ ସେ ମଣିରତ୍ନମଙ୍କ ଫିଲ୍ମ “ପୋନ୍ନିୟନ ସେଲବନ” ରେ ନଜର ଆସିବେ। ଏହା ସହିତ “କେଜିଏଫ ଚାପ୍ଟର-୨” ରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିବ।

Leave a Reply

Your email address will not be published.