ଫରେଷ୍ଟ ଗେଟ୍‌ ଛକରେ କାହିଁକି ଅଟକିଥିଲା ସୌମ୍ୟଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ?

ପାରଳାଖେମୁଣ୍ଡିର ସହକାରୀ ବନ ସଂରକ୍ଷକ(ଏସିଏଫ) ସୌମ୍ୟ ରଞ୍ଜନ ମହାପାତ୍ର ଆମ୍ବୁଲାନ୍ସ ଭିତରେ ଜୀବନ ସହିତ ସଂଘର୍ଷ କରୁଥିଲେ। ତାଙ୍କୁ ବ୍ରହ୍ମପୁରର ଏମସିଜି ମେଡିକାଲ ନେବା ବଦଳରେ ପାରଳାଖେମୁଣ୍ଡିର ଫରେଷ୍ଟଗେଟ ଛକ ନିକଟରେ ଘଣ୍ଟାଏ ପାଖାପାଖି ଆମ୍ବୁଲାନ୍ସ ଅଟକି ରହିଥିଲା। ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛୁକି କାହିଁକି ସେଠାରେ ଏତେ ସମୟ ଧରି ଆମ୍ବୁଲାନ୍ସ ଅଟକି ରହିଥିଲା? ଏହାର ଉତ୍ତର ବନ ବିଭାଗ କିମ୍ବା ପୋଲିସ ମଧ୍ୟ ଦେଇପାରୁନାହାନ୍ତି।

ସୋମବାର ଦିନ ରାତି ପ୍ରାୟ ୯ଟା ସମୟରେ ସରକାରୀ କ୍ୱାର୍ଟରରେ ରହୁଥିବା ସୌମ୍ୟ ରଞ୍ଜନଙ୍କ ଦେହରେ ନିଆଁ ଲାଗିଯାଇଥିଲା। ଏ ସମ୍ପର୍କରେ ତାଙ୍କର ପତ୍ନୀ ବିଦ୍ୟାଭାରତୀ ପଣ୍ଡା ତାଙ୍କର ପଡ଼ୋଶୀଙ୍କୁ ଖବର ଦେଇଥିଲେ। ଏହା ପରେ ସୌମ୍ୟ ରଞ୍ଜନଙ୍କୁ ମେଡିକାଲ୍ ନେବା ପାଇଁ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ଆମ୍ବୁଲାନ୍ସ ଆସିବାରେ ବିଳମ୍ୱ ହେଉଥିବାରୁ ଅଫିସ ଗାଡ଼ିରେ ସୌମ୍ଯଙ୍କୁ ପାରଳାଖେମୁଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ସୌମ୍ୟରଞ୍ଜନଙ୍କ ଶରୀରର ପାଖାପାଖି ୮୦ ପ୍ରତିଶତ ପୋଡ଼ି ଯାଇଥିବାରୁ ପାରଳାଖେମୁଣ୍ଡି ମେଡିକାଲରେ ତାଙ୍କର ଚିକିତ୍ସା କରିବା ଅସମ୍ଭବ ଥିଲା। ତେଣୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ତାଙ୍କୁ ସ୍ଥାନାନ୍ତରିତ କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ସୌମ୍ୟଙ୍କୁ ସେଠାରୁ ସ୍ଥାନାନ୍ତର ପାଇଁ ପ୍ରାୟ ୪ ଘଣ୍ଟା ସମୟ ଲାଗିଥିଲା। ଯେଉଁ ମେଡ଼ିକାଲରେ ବର୍ନ ୱାର୍ଡ ନାହିଁ, ଜଣେ ସରକାରୀ ବାବୁଙ୍କୁ ସେଠାରୁ ସ୍ଥାନାନ୍ତର କରିବା ପାଇଁ କାହିଁକି ଏତେ ସମୟ ଲାଗିଲା? ଏହା ପଛରେ କିଛି ମନ୍ଦ ଉଦ୍ଦେଶ୍ୟ ଅଛି କି?

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛିକି, ସୌମ୍ୟଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ ରାତି ୧୨ଟା ପାଖାପାଖି ପାରଳାଖେମୁଣ୍ଡି ମେଡିକାଲରୁ ବାହାରିଥିଲା। କିନ୍ତୁ ଆମ୍ବୁଲାନ୍ସ ବ୍ରହ୍ମପୁର ଯିବା ପରିବର୍ତ୍ତେ ପ୍ରାୟ ଘଣ୍ଟାଏ ପାଖାପାଖି ପାରଳାଖେମୁଣ୍ଡି ଫରେଷ୍ଟ ଗେଟ ଛକ ନିକଟରେ ଅଟକି ରହିଥିଲା। ଅନ୍ୟପଟେ ସୌମ୍ୟ ରଞ୍ଜନ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଥିଲେ। ତେବେ ସେଠାରେ କାହିଁକି ଆମ୍ବୁଲାନ୍ସ ଅଟକିଥିଲା? ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ଶୁଣିବାକୁ ମିଳୁଛିଯେ, ସୌମ୍ୟଙ୍କ ସହିତ ଯିବାକୁ ଥିବା ରେଞ୍ଜର ଅଫିସରଙ୍କ ପାଇଁ ଆମ୍ବୁଲାନ୍ସ ଅଟକିଥିଲା। ଏହି କଥାରେ କେତେ ସତ କେତେ ମିଛ ତାହା ଜଣାନାହିଁ। ତେବେ ଏଠାରେ ଏକ ପ୍ରଶ୍ନ ଉଙ୍କି ମାରୁଛିକି, ୮୦ ପ୍ରତିଶତ ପୋଡ଼ି ଯାଇଥିବା ଜଣେ ବ୍ୟକ୍ତିଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସର ଅଧା ରାସ୍ତାରେ ଅଟକିବା କେତେଦୂର ଯୁକ୍ତି ଯୁକ୍ତ ହୋଇପାରେ? ତେବେ ଏ ବିବାଦରେ କେହି ଆଦୌ ମୁହଁ ଖୋଲୁନାହାନ୍ତି। ଏହି ପ୍ରସଙ୍ଗରେ ବନ ବିଭାଗର ମୌନବ୍ରତ କରିଛି ଓ ପୋଲିସ ମଧ୍ୟ କିଛି କହୁନାହିଁ। ପଚାରିଲେ ନାନାପ୍ରକାର ବାହାନା କରୁ ବୁଲୁଛି।

ଯଦି ଠିକ ସମୟରେ ସୌମ୍ୟ ମେଡିକାଲରେ ପହଞ୍ଚି ଯାଇଥାନ୍ତେ, ତେବେ ହୁଏତ ତାଙ୍କର ଜୀବନ ବଞ୍ଚି ଯାଇଥାଆନ୍ତା।

Leave a Reply

Your email address will not be published. Required fields are marked *