ଆଉ ନାହାନ୍ତି ଓଡିଶାର ସୁନାମଧନ୍ୟ ଗାୟିକା ତପୁ ମିଶ୍ର  

ଶନିବାର ଦିନ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ୍‌ରେ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କର ପରଲୋକ ହୋଇଛି। ତପୁ ଦୀର୍ଘ ୨୮ ଦିନ ଧରି ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ କିନ୍ତୁ ସେ ଆଜି ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ସେ ପ୍ରଥମେ କରୋନା ଆକ୍ରାନ୍ତ ହୋଇଥିଲେ ଓ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇ ଚିକିତ୍ସିତ ହୋଇଥିଲେ। ପରେ ପରେ ତାଙ୍କର କରୋନା ରିପୋର୍ଟ ମଧ୍ୟ ନେଗେଟିବ ଆସିଥିଲା କିନ୍ତୁ ତାଙ୍କର ଫୁସଫୁସରେ ବହୁ ମାତ୍ରାରେ ସଂକ୍ରମଣ ହୋଇଥିଲା, ଯେଉଁଥିପାଇଁ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଆହୁରି ଅଧିକ ସଂକଟାପନ୍ନ ରହିଥିଲା।

ତପୁ ମିଶ୍ର ଗତ ମେ ମା ୨୦ ତାରିଖରେ କରୋନାରେ ଆକ୍ରାନ୍ତ ହୋଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। କିନ୍ତୁ ସ୍ୱାସ୍ଥ୍ୟ ଅବସ୍ଥା‌ରେ କୌଣସି ସୁଧାର ନ ଆସିବାରୁ ତାଙ୍କୁ ଭୁବନେଶ୍ଵରର ସମ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରଣ କରାଯାଇଥିଲା। ସେଠାରେ କିଛି ଦିନ ଚିକିତ୍ସିତ ହେବା ପରେ ସେ ‌କରୋନାରୁ ମୁକ୍ତ ହୋଇଥିଲେ ଓ ତାଙ୍କର କରୋନା ଟେଷ୍ଟ ରିପୋର୍ଟ ମଧ୍ୟ ନେଗେଟିବ ଆସିଥିଲା। କିନ୍ତୁ କରୋନା ଯୋଗୁଁ ତାଙ୍କର ଫୁସଫୁସ ୭୫ ପ୍ରତିଶତ ସଂକ୍ରମିତ ହୋଇଯାଇଥିଲା।

ଶତ ପ୍ରତିଶତ ଅକ୍ସିଜେନର ସପୋର୍ଟରେ ରହିଥିଲେ ମଧ୍ୟ ତାଙ୍କ ଶରୀରରେ ଅକ୍ସିଜେନର ସ୍ତର ଧୀରେ ଧୀରେ ତଳକୁ ଖସି ଚାଲିଥିଲା। ତେଣୁ ଡାକ୍ତରମାନେ ଇକମୋ ଚିକିତ୍ସା କରାଇବାକୁ ପରାମର୍ଶ ଦେଇପାରନ୍ତି ବୋଲି ତପୁଙ୍କର ବଡ଼ ଭଉଣୀ ଧ୍ରୁତିଦୀପା ନିକଟରେ ସର୍ବସାଧାରଣରେ ପ୍ରକାଶ କରିଥିଲେ ଓ ଆର୍ଥିକ ସହଯୋଗ ପାଇଁ ସେ ସହାୟତା ବିଷୟରେ ମଧ୍ୟ କହିଥିଲେ।

ସୂଚନା ଅନୁସାରେ, ଓଡ଼ିଆ ସଂଗୀତ ଦୁନିଆର ଜଣେ ପରିଚିତ ଚେହେରା ତପୁ ମିଶ୍ର। ସେ ପାଖାପାଖି ୨୦୦ଟି ଚଳଚ୍ଚିତ୍ରରେ ଗୀତ ଗାଇଥିଲେ। ଏହି କଣ୍ଠଶିଳ୍ପୀ ୨୦୦୩ ମସିହାରେ ‘କୁଳନନ୍ଦନ’ ଚଳଚ୍ଚିତ୍ରରୁ ତାଙ୍କ ସଂଗୀତର ଯାତ୍ରାକୁ ଆରମ୍ଭ କରିଥିଲେ। ଧୀରେ ଧୀରେ ଗୋଟିଏ ପରେ ଗୋଟିଏ ଲୋକପ୍ରିୟ ଗୀତ ଗାଇଥିଲେ ଓ ଦୀର୍ଘ ଦୁଇ ଦଶନ୍ଧି ମଧ୍ୟରେ ଓଲିଉଡ ଇଣ୍ଡଷ୍ଟ୍ରି ସହ ଯୋଡ଼ି ହୋଇ ରହିଛନ୍ତି। ତାଙ୍କ ଲୋକପ୍ରିୟ ଗୀତଗୁଡ଼ିକ ମଧ୍ୟରୁ ‘ଆ ମାନେ ଆନନ୍ଦପୁର…’, ‘ଆଇ ଲଭ୍‌ ୟୁ…’, ‘ଇସ୍କ ତୁ ହିଁ ତୁ…’ ଆଦି ଅନ୍ୟତମ ଅଟେ। ଶ୍ରେଷ୍ଠ କଣ୍ଠଶିଳ୍ପୀ ଭାବରେ ତପୁ ମିଶ୍ର ୪ଟି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି। ସେ ଓଡ଼ିଶାର ଆହୁରି ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି।

Leave a Reply

Your email address will not be published. Required fields are marked *